ଭୁବନେଶ୍ବର: ଶିମିଳିପାଳରେ ଶିକାରୀଙ୍କ ଗୁଳିରେ ୨ ଜଣ ବନ କର୍ମଚାରୀ ପ୍ରାଣ ହରାଇଥିବା ବେଳେ ବନ କର୍ମଚାରୀଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ । ଗତ ମେ' ମାସ ୨୪ ତାରିଖରେ ବନରକ୍ଷୀ ବିମଳ ଜେନାଙ୍କର ଶିକାରୀଙ୍କ ଗୁଳିରେ ମୃତ୍ୟୁ ହୋଇଥିଲା । ଏହାର କିଛି ମାସ ବ୍ୟବଧାନ ପରେ ପୁଣି ଜଣେ ବନପାଳ ମାଥି ହାଁସଦାଙ୍କ ମୃତ୍ୟୁ ହୋଇଛି । ବାରମ୍ବାର ବନ କର୍ମଚାରୀଙ୍କ ମୃତ୍ୟୁକୁ ନେଇ ଓଡ଼ିଶା ଅଣଗେଜେଟେଡ୍ ବନସେବା ସଂଘର ସଭାପତି ଜଗବନ୍ଧୁ ପାତ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଯଦି ଜୁଲାଇ ୮ ତାରିଖ ମଧ୍ୟରେ ୫ ଦଫା ଦାବି ପୂରଣ ନହୁଏ, ତେବେ ଫରେଷ୍ଟ ଗାର୍ଡ, ଫରେଷ୍ଟର ଓ ଡେପୁଟି ରେଞ୍ଜରମାନେ ଆନ୍ଦୋଳନ କରିବେ ।
ବର୍ତ୍ତମାନ ଏହି କର୍ମଚାରୀମାନେ ଆନ୍ଦୋଳନ ସମୟରେ ସେମାନେ ଜଙ୍ଗଲ ଭିତରେ ପାଟ୍ରୋଲିଂ କରୁନଥିବା କହିଛନ୍ତି ସଂଘର ସଭାପତି ଜଗବନ୍ଧୁ ପାତ୍ର । ଏଥିସହ ସରକାରଙ୍କ ଆଗରେ ବନସେବା ସଂଘ ୫ ଦଫା ଦାବି ରଖିଛି । ୫୦ଟି ସ୍ଥାନରେ ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ ମୁତୟନ, କର୍ମଚାରୀ ୱେଲଫେୟାର ଫଣ୍ଡ ଗଠନ, ସର୍କଲ ରି-ଅର୍ଗାନାଇଜେସନ, ରେଞ୍ଜ ଓ ବିଟ ରିଭିଜନ ସହ ଖାଲି ପଡିଥିବା ପଦବୀ ଗୁଡିକରେ ପର୍ଯ୍ୟାପ୍ତ ସଂଖ୍ୟକ କର୍ମଚାରୀ ନିଯୁକ୍ତି ପାଇଁ ଦାବି ରଖିଛି ସଂଘ । ଯଦି ଜୁଲାଇ ୮ ତାରିଖ ସୁଦ୍ଧା ୫ ଦଫା ଦାବି ରାଜ୍ୟ ସରକାର ପୂରଣ ନକରନ୍ତି, ତେବେ ଜୁଲାଇ ୧୦ ତାରିଖରୁ ସମସ୍ତ ଅଣଗେଜେଟେଡ ବନ କର୍ମଚାରୀ ଭୁବନେଶ୍ବରରେ ଆନ୍ଦୋଳନ କରିବେ ବୋଲି ସରକାରଙ୍କୁ ଚେତାବନୀ ଦେଇଛି ।
ଏନେଇ ସଂଘର ସଭାପତି ଜଗବନ୍ଧୁ ପାତ୍ର କହିଛନ୍ତି, "ଆଜକୁ ୬ ଦିନ ହୋଇଗଲା, କିନ୍ତୁ ଗୋଟିଏ ବି ଦାବି ପୂରଣ ହୋଇପାରିଲା ନାହିଁ । ସଂଘ ଏନେଇ ୱାଇଲ୍ଡ ଲାଇଫ୍ ପିସିସିଏଫ୍ଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିଲାନାହିଁ । କିନ୍ତୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ନକରି କାର୍ଯ୍ୟରେ ଯୋଗଦେବାକୁ ପିସିସିଏଫ୍ ସଂଘକୁ ଅନୁରୋଧ କରିଛନ୍ତି । ସମସ୍ତ ଦାବିକୁ ପୂରଣ କରିବା ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଥିବା କହିବା ସହ କାର୍ଯ୍ୟରେ ଯୋଗ ଦେଇ ଜଙ୍ଗଲ ଏବଂ ବନ୍ୟଜନ୍ତୁଙ୍କ ସୁରକ୍ଷା କରିବାକୁ ପିସିସିଏଫ୍ ସଂଘକୁ ଅନୁରୋଧ କରିଛନ୍ତି ।" ହେଲେ ଏପଟେ ୫ ଦଫା ଦାବିକୁ ନେଇ ଅଡି ବସିଛି ସଂଘ । ଯଦିଓ ରାଜ୍ୟ ସରକାର ଶିମିଳିପାଳକୁ ଅଧିକ ଗୁରୁତ୍ବ ଦେଉଛନ୍ତି, ତେବେ ବାକି ଜଙ୍ଗଲ ଗୁଡିକକୁ ମଧ୍ୟ ସୁରକ୍ଷା କିଭଳି ଦିଆଯିବ ଏବଂ କର୍ମଚାରୀଙ୍କୁ ମଧ୍ୟ କିଭଳି ସୁରକ୍ଷା ଦିଆଯିବ, ସେନେଇ ନଜର ଦେବା ଆବଶ୍ୟକ ବୋଲି କହିଛି ସଂଘ ।
ସୂଚନା ଅନୁଯାୟୀ, ଜୁନ ୧୯ ତାରିଖ ଠାରୁ ସମୂହ ଭାବରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଓଡ଼ିଶା ଅଣଗେଜେଟେଡ ବନସେବା ସଂଘ । ଏହି ଆନ୍ଦୋଳନରେ ସାମିଲ୍ ହୋଇଛନ୍ତି ୫୩୭୬ ଫରେଷ୍ଟଗାର୍ଡ, ୨୫୩୦ ଫରେଷ୍ଟର ଓ ୨୮୨ ଡେପୁଟି ରେଞ୍ଜର । ଡ୍ୟୁଟିରେ ରହି ମଧ୍ୟ ପାଟ୍ରୋଲିଂ କରୁନାହାନ୍ତି । ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ଏଭଳି ଆନ୍ଦୋଳନ ଜାରି ରଖିବେ । ତେବେ ଏହି ସମୟ ମଧ୍ୟରେ ସରକାର ଯଦି ୫ ଦଫା ଦାବି ପୂରଣ ନକରନ୍ତି, ତେବେ ଆସନ୍ତା ୧୦ ତାରିଖରୁ ଭୁବନେଶ୍ବର ଲୋୟର ପିଏମ୍ଜିରେ ସମୂହ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସଂଘ ଚେତାବନୀ ଦେଇଛି ।
ଇଟିଭି ଭାରତ, ଭୁବନେଶ୍ବର