ଭୁବନେଶ୍ବର: ସ୍ୱାସ୍ଥ୍ୟମନ୍ତ୍ରୀ ଦାୟିତ୍ୱରେ ଥିବା ନବକିଶୋର ଦାସଙ୍କ ଦେହାନ୍ତର 24 ଘଣ୍ଟା ଭିତରେ ପୂରଣ ହୋଇଛି ତାଙ୍କ ପଦବୀ । ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ମିଳିଛି ଅତିରିକ୍ତ ଦାୟିତ୍ୱ । ଅର୍ଥ ସହ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଦାଇତ୍ୱ ତୁଲାଇବେ ନିରଞ୍ଜନ । ସ୍ୱାସ୍ଥ୍ୟ ମନ୍ତ୍ରୀ ପଦବୀ ପୂରଣ କରିବା ଲାଗି ରାଜ୍ୟପାଳଙ୍କୁ ନିରଞ୍ଜନ ପୂଜାରୀଙ୍କ ନାଁ ପ୍ରସ୍ତାବ ଦେଇଥିଲେ ରାଜ୍ୟ ସରକାର । ସ୍ୱାସ୍ଥ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ହୋଇଥିବାରୁ ତତ୍କାଳ ଅନୁମୋଦନ ଦେଇଛନ୍ତି ରାଜ୍ୟପାଳ ।
ରାଜ୍ୟପାଳ ଅନୁମୋଦନ କରିବା ପରେ ଆଜି ବିଧିବଦ୍ଧ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ସଂକ୍ରମଣ ସ୍ଥିର ଥିଲେ ବି ବିପଦ ଟଳିନାହିଁ । ତେଣୁ ନିରଞ୍ଜନଙ୍କ ଲାଗି ଏହା ଏକ ବଡ଼ ଚ୍ୟାଲେଞ୍ଜ ରହିବ । ଅର୍ଥ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାଇତ୍ୱରେ ଥିବାବେଳେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱ ତାଙ୍କ ଉପରେ ଚାପ ରହିବ । ଆଗାମୀ ଦିନରେ ରାଜ୍ୟ ସରକାର ବଜେଟ ଆଣିବାକୁ ଯାଉଛନ୍ତି । ତେଣୁ ଉଭୟ ବିଭାଗରେ ସମନ୍ୱୟ ରଖି ନିରଞ୍ଜନଙ୍କୁ କାର୍ଯ୍ୟ କରିବାକୁ ପଡିବ । ସେହିପରି କଟକ ଏମ୍ସ ପ୍ଲସ ହସ୍ପିଟାଲ, ଭୁବନେଶ୍ୱର କ୍ୟାନ୍ସର ହସ୍ପିଟାଲ ଓ କ୍ୟାପିଟାଲ ହସ୍ପିଟାଲର ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି । ଏହାର ମଧ୍ୟ ତାଙ୍କୁ ତଦାରଖ କରିବାକୁ ପଡିବ ।
ଗତକାଲି ପୂର୍ବାହ୍ନରେ ଝାରସୁଗୁଡା ବ୍ରଜରାଜନଗରର ଗାନ୍ଧି ଛକରେ ମନ୍ତ୍ରୀଙ୍କ ଉପରକୁ ଗୁଳି ମାଡ କରିଥିଲେ । ଏହାପରେ ତୁରନ୍ତ ତାଙ୍କୁ ପ୍ରଥମେ ଝାରସୁଗୁଡା ପରେ ଏୟାର ଲିଫ୍ଟ ଯୋଗେ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ବିମାନ ବନ୍ଦରରୁ ଗ୍ରୀନ କରିଡର ଯୋଗେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସ୍ବତନ୍ତ୍ର ଡାକ୍ତରୀ ଦଳ ତାଙ୍କ ଚିକିତ୍ସା କରୁଥିଲେ । କିନ୍ତୁ ଡାକ୍ତରଙ୍କ ସମସ୍ତ ଉଦ୍ୟମ ବିଫଳ ହୋଇଥିଲା । ଶେଷରେ ନବ ଦାସଙ୍କ ମୃତ୍ୟୁ ହୋଇଥିଲା। ଏହି ଖବର ଜଣା ପଡିବା ପରେ ପୁରା ରାଜ୍ୟ ସ୍ତବ୍ଦ ହୋଇ ଯାଇଥିଲା।