ଖୋର୍ଦ୍ଧା:ନିଖିଳ ଉତ୍କଳ ୬୩ତମ ସ୍ବାୟତ୍ତ ଶାସନ ଦିବସ ସମାରୋହ ସ୍ଥାନୀୟ ଜୟୀ ରାଜଗୁରୁ ଟାଉନ ହଲ ପ୍ରେକ୍ଷାଳୟରେ ପାଳିତ ହୋଇଯାଇଛି । ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ଜନସାଧାରଣ ମାନଙ୍କୁ ସର୍ବନିମ୍ନ ସୁବିଧା ଉପଲବ୍ଧ କରାଇବା ନିମନ୍ତେ ଥିବା ସଂକଳ୍ପକୁ ଆଜିର ଦିନଟି ମନେ ପକେଇ ଦେଇଥାଏ ।
ସହରବାସୀଙ୍କୁ ପାନୀୟ ଜଳ, ସ୍ବାସ୍ଥ୍ୟ, ବିଜୁଳି, ପରିମଳ, ବର୍ଜ୍ୟବସ୍ତୁ ପରିଚାଳନା, ସହର ସୌନ୍ଦର୍ଯ୍ୟକରଣ ଭଳି ସୁବିଧା ଯୋଗାଇ ଦେବା ନିମନ୍ତେ କାର୍ଯ୍ୟ କରିବାକୁ ଜିଲ୍ଲାପାଳ କହିଥିଲେ । ସେହିପରି ୫-ଟି ମାଧ୍ୟମରେ ସମସ୍ତ ଯୋଜନାର ସଫଳ ରୂପାୟନ ନିମନ୍ତେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ। ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ସହରରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ କହିଥିଲେ ।
ପାର୍କ, ପୋଖରୀ ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସଂପର୍କରେ ଉଲ୍ଲେଖ କରିଥିଲେ । ଖୋର୍ଦ୍ଧା ଜିଲ୍ଲା ଭାରତ ଇତିହାସରେ ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଥିବାରୁ ଏହି ପବିତ୍ର ମାଟିର ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ । ସେହିଭଳି ବେଗୁନିଆ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବରୁଣେଇ ପର୍ଯ୍ୟଟନ କ୍ଷେତ୍ରର ବିକାଶ, ପାର୍କ ଉନ୍ନତିକରଣ ଓ କ୍ୟାବିନ ବ୍ୟବସାୟୀ ମାନଙ୍କ ଥଇଥାନ ସଂପର୍କରେ କହିଥିଲେ ।
ଅନେକ ଉନ୍ନତିକରଣ କାର୍ଯ୍ୟକୁ ସଫଳତାର ସହ ତ୍ବରାନ୍ବିତ ହୋଇଥିବାରୁ ପ୍ରଶାସନକୁ ମଧ୍ୟ ଧନ୍ୟବାଦ ଦେବା ସହ ଲୋକମାନଙ୍କ ସ୍ବାର୍ଥ ନିମନ୍ତେ କାର୍ଯ୍ୟ କରିବାକୁ ନବନିର୍ବାଚିତ କାଉନସିଲର ମାନଙ୍କୁ ସେ ପରାମର୍ଶ ଦେଇଥିଲେ । ପୌରପରିଷଦ ନିର୍ବାହୀ ଅଧିକାରୀ ତଥା ଉପ ଜିଲ୍ଲାପାଳ ଗୌରବ ଶିବାଜୀ ଇଶଲୱାର ବିବରଣୀ ପାଠ କରିବା ସହ ମୁକ୍ତା ଯୋଜନା, ଆବାସ ଓ ଯାଗା ମିଶନ ସମ୍ପର୍କରେ ଉଲ୍ଲେଖ କରିଥିଲେ ।
ସେହିଭଳି ପୌରଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି ଓ ଉପାଧ୍ୟକ୍ଷ ସୌର୍ଯ୍ୟ ରଞ୍ଜନ ମହାନ୍ତି ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଏହି ଅବସରରେ କଳାକାର ଭାବେ ସୁଭମଜ୍ୟୋତି, ସାମ୍ବାଦିକଙ୍କ ସମେତ ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, କାଉନସିଲର, ସ୍ବେଚ୍ଛାସେବୀ, ସରକାରୀ ଅଧିକାରୀ ଓ କର୍ମଚାରୀ, ଶିକ୍ଷକ ଶିକ୍ଷୟିତ୍ରୀ, ବୁଥସ୍ତରୀୟ ଅଧିକାରୀ, ଆଗ୍ନିକ ଓ ଟ୍ରାଫିକ କର୍ମଚାରୀ, ଛାତ୍ରଛାତ୍ରୀ, ଷ୍ଟାଫ ନର୍ସ, ପୋଷ୍ଟ ଅଫିସ କର୍ମଚାରୀ, ସ୍ବୟଂ ସହାୟକ ଗୋଷ୍ଠୀ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା ।
ପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ ମାନଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିବା ବେଳେ ଭୂମି ଅଧିକାର ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ପୌର ପରିଷଦ ଉପାଧ୍ୟକ୍ଷ ଧନ୍ୟବାଦ ପ୍ରଦାନ କରିଥିଲେ । ଆଜି ପ୍ରାତଃ ସମୟରେ ପୌର କାର୍ଯ୍ୟାଳୟ ପ୍ରାଙ୍ଗଣରେ ପତାକା ଉତ୍ତୋଳନ ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା । ବିଧାୟକଙ୍କ ଦ୍ବାରା ବିଭିନ୍ନ ୱାର୍ଡରେ ପ୍ରକଳ୍ପ ଗୁଡିକର ମଧ୍ୟ ଉଦଘାଟନ କରାଯାଇଥିଲା ।
ଇଟିଭି ଭାରତ, ଖୋର୍ଦ୍ଧା