ଭୁବନେଶ୍ବର: ଆଉ ମାତ୍ର ଗୋଟିଏ ଦିନର ଅପେକ୍ଷା । ଏହା ପରେ ବିଦାୟ ନେବ ବର୍ଷ 2022 । ଆସିବ ନବ ବର୍ଷ 2023 । ନୂଆ ବର୍ଷକୁ ସ୍ବାଗତ କରିବା ପାଇଁ ସଭିଏଁ ଉତ୍ସାହିତ ଥିବାବେଳେ ଏବେଠୁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଜିରୋ ନାଇଟ୍ ସେଲିବ୍ରେସନ ଲାଗି ଟ୍ବିନସିଟି ସମେତ ଅନେକ ବଡ ବଡ ସହରରେ ଚାଲିଛି ବ୍ୟାପକ ଆୟୋଜନ । ଗାଁଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମସ୍ତେ ଆରମ୍ଭ କଲେଣି ପ୍ରସ୍ତୁତି । ଜିରୋ ନାଇଟ୍ ସେଲିବ୍ରେସନ ପାଇଁ କାଉଣ୍ଟଡାଉନ ଆରମ୍ଭ ହେଇଗଲାଣି ।
ଚୀନରେ ଓମିକ୍ରୋନ ସବ୍-ଭାରିଆଣ୍ଟ BF.7 (Omicron Sub-variant)ର ଦ୍ରୁତ ଭାବେ ବଢ଼ି ଚାଲିଛି । ଦେଶରେ BF.7 ଆକ୍ରାନ୍ତ ଚିହ୍ନଟ ପରେ ଏବେ ଚିନ୍ତାର ବିଷୟ ପାଲଟିଛି । ନୂଆ ଭାରିଆଣ୍ଟ ପ୍ରଭାବରେ ଏକାଧିକ ସମୃଦ୍ଧ ଦେଶର ସ୍ଥିତି ଗମ୍ଭୀର ହୋଇଛି । ଚୀନ ସମେତ ବିଶ୍ବର ବିଭିନ୍ନ ଭାଗରେ କୋଭିଡ ମହାମାରୀ ପୁଣିଥରେ ଲେଉଟିଛି । ବିଦେଶରେ କରୋନା ସଂକ୍ରମଣ ବଢିବା ନେଇ ଭୟ ଓ ଆତଙ୍କିତ ଅବସ୍ଥାରେ ରହିଛି ଭାରତ । ତେବେ ଏହା ମଧ୍ୟରେ ନୂଆ ବର୍ଷ ଓ ଜିରୋ ନାଇଟ ସେଲିବ୍ରେସନ ପାଇଁ ସବୁଠି ପ୍ରସ୍ତୁତି ଆରମ୍ଭ ହୋଇଛି । ତେବେ ନୂଆ ବର୍ଷକୁ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ଏଭଳି ପୂଜା ପାର୍ବଣ ଓ ନୂଆ ବର୍ଷ ପାଇଁ ଭାରତ ସରକାରଙ୍କର ଏକ ଗାଇଡ ଲାଇନ ରହିଛି । ସେହି ଗାଇଡ ଲାଇନ ବଳବତ୍ତର ରହିବ । ରଜ୍ୟରେ ମଧ୍ୟ ଏହି ଗାଇଡ ଲାଇନକୁ ଅନୁପାଳନ କରାଯିବ । ତେବେ ନୂଆ ବର୍ଷ ପାଳନ ସହିତ ସମସ୍ତେ ଠିକ ଭାବରେ ସ୍ଵାସ୍ଥ୍ୟର ଯତ୍ନ ନେଇ କରୋନା ପ୍ରତି ସଚେତନା ଅବଲମ୍ବନ କରନ୍ତୁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଯଦି ସମସ୍ତେ ନିଜେ ସଚେତନ ରହିବେ ତାହାଲେ କରୋନାକୁ ହରାଇ ପାରିବା ।