ଭୁବନେଶ୍ବର: ଖୁବଶୀଘ୍ର ପୂର୍ତ୍ତ ବିଭାଗରେ ଜାରି ହେବ ନୂଆ ବଦଳି ନୀତି । ପ୍ରସ୍ତାବିତ ଚୁଡାନ୍ତ ନୀତି ପାଇଁ ଚାଲିଛି ପ୍ରସ୍ତୁତି । ଏହାମଧ୍ୟରେ ବିଭାଗ ପକ୍ଷରୁ ଏକ ମଧ୍ୟବର୍ତ୍ତିକାଳୀନ ବଦଳି ନୀତି ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀଙ୍କ 5‘ଟି’ ମନ୍ତ୍ରର ପୃଷ୍ଠଭୂମିରେ ଏହି ନୀତି ପ୍ରସ୍ତୁତ ହୋଇଛି ।
ଏଣିକି ଏହି ନୂତନ ବଦଳି ନୀତି ଆଧାରରେ ଓଡିଶା ଇଞ୍ଜିନିଅରିଂ ସର୍ଭିସ ଓ ଓଡିଶା ଡିପ୍ଲୋମା ଇଞ୍ଜିନିଅର୍ସ ସର୍ଭିସ କ୍ୟାଡର ଯନ୍ତ୍ରୀଙ୍କ ବଦଳି କରାଯିବ । ବିଶେଷ କରି ବ୍ୟକ୍ତିଗତ ଏବଂ ପ୍ରଶାସନିକ ଆବଶ୍ୟକତା,ପ୍ରଶାସନିକ ଆବଶ୍ୟକତାରେ ବିଭିନ୍ନ କ୍ଷେତ୍ରୀୟ କାର୍ଯ୍ୟାଳୟର ଆବଶ୍ୟକତା ଓ ବ୍ୟକ୍ତିଗତ ଆଧାର, ସ୍ବାସ୍ଥ୍ୟ କିମ୍ବା ଅନ୍ୟ ବ୍ୟକ୍ତିଗତ କାରଣ ପାଇଁ ବଦଳି କରାଯିବ ।
ତେବେ ସାଧାରଣ ଭାବେ ଗୋଟିଏ ସ୍ଥାନ ଓ ଗୋଟିଏ ପଦବୀରେ ତିନି ବର୍ଷ କାମ କରିବା ପରେ ଇଞ୍ଜିନିଅରଙ୍କୁ ବଦଳି ହେବ । କିନ୍ତୁ କୌଣସି ଅଧିକାରୀ ଗୋଟିଏ ସ୍ଥାନ କିମ୍ବା ପଦରେ 5 ବର୍ଷରୁ ଅଧିକ ରହିପାରିବେ ନାହିଁ । ଏହାବାଦ୍ ଓଡିଶା ଇଞ୍ଜିନିଅରିଂ ସର୍ଭିସ କ୍ୟାଡର ଅଧିକାରୀମାନେ ଗୋଟିଏ ରାଜସ୍ବ ଜିଲ୍ଲାରେ 10 ବର୍ଷରୁ ଅଧିକ ରହି କାମ କରିପାରିବେ ନାହିଁ । ସେହିପରି ଓଡିଶା ଡିପ୍ଲୋମା ଇଞ୍ଜିନିଅର ସର୍ଭିସ କ୍ୟାଡର ପାଇଁ ଏହି ସମୟ ସୀମା ରହିଛି 15 ବର୍ଷ । ଓଡିଶା ଇଞ୍ଜିନିଅରିଂ ସର୍ଭିସ କ୍ୟାଡର ଅଫିସର ନିଜ ଜିଲ୍ଲାରେ ଏବଂ ଓଡିଶା ଡିପ୍ଲୋମା ଇଞ୍ଜିନିଅରିଂ ସର୍ଭିସ କ୍ୟାଡର ଇଞ୍ଜିନିଅର ନିଜ ସବଡିଭିଜନରେ ପୋଷ୍ଟିଂ ପାଇପାରିବେ ନାହିଁ ।