ଭୁବନେଶ୍ବର:ରାଜ୍ୟରେ ଭୟ ବଢ଼ାଉଛି କୋରୋନା ଭାଇରସ । ଦେଶର ସଂକ୍ରମିତଙ୍କ ସଂଖ୍ୟା ରେକର୍ଡ ସ୍ତରରେ ବୃଦ୍ଧି ପାଉଥିବା ବେଳେ ବର୍ତ୍ତମାନ ଡରାଇଲାଣି ଓଡିଶାର କୋରୋନା ଗ୍ରାଫ୍ । ଗତ 3 ଦିନ ହେବ ଓଡ଼ିଶାରେ ଚିହ୍ନଟ ହେଉଛନ୍ତି କୋରୋନା ସଂକ୍ରମିତ । ଗତ 24 ଘଣ୍ଟାରେ ଓଡ଼ିଶାରୁ ପୁଣି 2 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା 5ରେ ପହଞ୍ଚିଛି । ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗୋଟିଏ ସପ୍ତାହରେ 5ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏକ ପ୍ରକାର ଚିନ୍ତା ବୃଦ୍ଧି ପାଇଛି ।
ପ୍ରଥମ ଥର ଡିସେମ୍ବର 23 ତାରିଖରେ ପ୍ରଥମ ମାମଲା ସାମ୍ନାକୁ ଆସିଥିବା ବେଳେ ସେମବାର ଦ୍ବିତୀୟ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହାପରେ ମଙ୍ଗଳବାର ପୁଣି ଜଣେ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଲଗାତାର ତୃତୀୟ ଦିନରେ ଅର୍ଥାତ ଗତ 24 ଘଣ୍ଟାରେ ପୁଣି ଦୁଇଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ପ୍ରଥମ ଦୁଇ ସଂକ୍ରମିତ କଟକର ହୋଇଥିବା ବେଳେ ଆଉ 3 ସଂକ୍ରମିତଙ୍କ ତଥ୍ୟ ହସ୍ତଗତ ହୋଇପାରି ନାହିଁ । ତେବେ ପ୍ରଥମ ଦୁଇ ଜଣଙ୍କ ଟ୍ରାଭେଲ ହିଷ୍ଟ୍ରି ରହିନଥିବା ବେଳେ ଅନ୍ୟମାନଙ୍କର ଯାଞ୍ଚ ଚାଲିଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଦେଶରେ କୋରୋନାର ନୂଆ ଭାରିଆଣ୍ଟ ଜେଏନ1 ବ୍ୟାପିବାରେ ଲାଗିଥିବା ବେଳେ ଏହି ସଂକ୍ରମିତ ଜେଏନ 1ରେ ଆକ୍ରାନ୍ତ କି ନୁହେଁ ସେ ନେଇ ଆଶଙ୍କା ବୃଦ୍ଧି ପାଉଛି । ସମସ୍ତ ନମୂନା ଜିନେମ ସ୍ବିକେନ୍ସ ପାଇଁ ପଠାଯାଇଥିବା ବେଳେ ରିପୋର୍ଟ ଆସିବା ପରେ ସତ୍ୟାସତ୍ୟ ସାମ୍ନାକୁ ଆସିବ । ତେବେ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ପ୍ରଥମ 3 ଜଣଙ୍କ ଲକ୍ଷଣ କମ୍ ରହିଥିବା ବେଳେ ସମସ୍ତେ ଘରେ ରହି ଚିକିତ୍ସିତ ହେଉଥିବା ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପକ୍ଷରୁ କୁହାଯାଇଛି ।