ଭୁବନେଶ୍ବର: ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି କୋରୋନା ସଂକ୍ରମଣ । ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । ଲଗାତାର 4ର୍ଥ ଦିନରେ ଚିହ୍ନଟ ହେଲେ କୋରୋନା ସଂକ୍ରମଣ । ଗତ 24 ଘଣ୍ଟାରେ ପୁଣି 3 ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ପଜିଟିଭ ସଂଖ୍ୟା 8କୁ ବୃଦ୍ଧି ପାଇଛି । ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଦେଶର ସଂକ୍ରମିତଙ୍କ ସଂଖ୍ୟା ରେକର୍ଡ ସ୍ତରରେ ବୃଦ୍ଧି ପାଉଥିବା ବେଳେ ବର୍ତ୍ତମାନ ଡରାଇଲାଣି ଓଡିଶାର କୋରୋନା ଗ୍ରାଫ୍ ।
ଡିସେମ୍ବର 23 ତାରିଖରେ ରାଜ୍ୟରେ ପ୍ରଥମ ମାମଲା ସାମ୍ନାକୁ ଆସିଥିଲା । ଗତ ସୋମବାର ଦ୍ବିତୀୟ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହାପରେ ମଙ୍ଗଳବାର ପୁଣି ଜଣେ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବୁଧବାର ପୁଣି ଦୁଇ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହାପରେ ଆଜି ଅର୍ଥାତ ଗତ 24 ଘଣ୍ଟାରେ ଆଉ 3 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ପ୍ରଥମ ଦୁଇ ସଂକ୍ରମିତ କଟକର ହୋଇଥିବା ବେଳେ ଅନ୍ୟ ସଂକ୍ରମିତଙ୍କ ତଥ୍ୟ ହସ୍ତଗତ ହୋଇପାରି ନାହିଁ ।
ଏନେଇ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ କହିଛନ୍ତି, "ରାଜ୍ୟରେ କୋଭିଡ ଟେଷ୍ଟିଂ ବଢାଯାଇଛି । ଗତକାଲି(ବୁଧବାର) ୬୯୦ ଟେଷ୍ଟ ହୋଇଥିବା ବେଳେ ସେଥିରୁ ୩୭୮ ଆରଟିପିସିଆର କରାଯାଇଥିଲା । ତେବେ ଏହି ଟେଷ୍ଟିଂରୁ ୩ ଜଣ ପଜିଟିଭି ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ରାଜ୍ୟରେ 8ଟି ଆକ୍ଟିଭ କେସ ରହିଛି । ସମସ୍ତେ ହୋମ ଆଇସୋଲେସନରେ ଅଛନ୍ତି । ମେଡିକାଲରେ କେହି ନାହାଁନ୍ତି ତେଣୁ ଆତଙ୍କିତ ହୁଅନ୍ତୁ ନାହିଁ । ରାଜ୍ୟରେ ଭୟାବହ ସ୍ଥିତି ନାହିଁ । ସଂକ୍ରମିତଙ୍କ ଠାରେ କୌଣସି ଗମ୍ଭୀର ଲକ୍ଷଣ ମଧ୍ୟ ଦୃଷ୍ଟିଗୋଚର ହୋଇନାହିଁ ।"