ଭୁବନେଶ୍ବର: ଓଡିଶା କାଜୁ ଉତ୍ପାଦନ ଏବଂ ପ୍ରକ୍ରିୟାକରଣରେ ଏକ ଅଗ୍ରଣୀ ରାଜ୍ୟ । କାଜୁ ଲକ୍ଷ ଲକ୍ଷ ଗରିବ ଲୋକଙ୍କୁ ବିଶେଷ କରି ମହିଳାମାନଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇଥାଏ । ରାଜ୍ୟରେ କାଜୁ ଚାଷ ଓ ପ୍ରକ୍ରିୟାକରଣର ବ୍ୟାପକ ସୁଯୋଗ ରହଛି । ଏହା ସହିତ ମହିଳାମାନେ ରାଜ୍ୟରେ କାଜୁର ବିକାଶ ଦିଗରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବେ । ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାଜୁ ସଂପର୍କିତ ଏକ ଦୁଇଦିନିଆ ଜାତୀୟ ସମ୍ମିଳନୀ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି ।
ଭୁବନେଶ୍ବର ଲୋକସେବା ଭବନର କନଭେନସନ ସେଣ୍ଟରରେ ଆଜିଠାରୁ ଆରମ୍ଭ ହୋଇଛି କାଜୁ ସଂପର୍କିତ ଏକ ଦୁଇଦିନିଆ ଜାତୀୟ ସମ୍ମିଳନୀ । ଭାରତ ସରକାରଙ୍କ କୋଚିନସ୍ଥିତ କାଜୁ ଓ କୋକୋ ଉନ୍ନୟନ ନିର୍ଦ୍ଦେଶାଳୟ ଏବଂ ଓଡିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ଲିମିଟେଡର ମିଳିତ ଭାବେ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି । ଜାତୀୟ ସମ୍ମିଳନୀରେ ଅଂଶଗ୍ରହଣ କରିଥିବା ବୈଜ୍ଞାନିକ, ଶିକ୍ଷାବିତ, କାଜୁଚାଷୀ ଓ କାଜୁ ଶିଳ୍ପୋଦ୍ୟୋଗୀମାନେ ନୂତନ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗରେ କାଜୁ ଉତ୍ପାଦନ ଓ ଉତ୍ପାଦିକତା ବୃଦ୍ଧି ଦିଗରେ ସମାଧାନର ପନ୍ଥା ନିର୍ଦ୍ଧାରଣ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ‘କାଜୁ ଉତ୍ପାଦନ ଓ ଉତ୍ପାଦିକତାରେ ପ୍ରଯୁକ୍ତିବିଦ୍ୟାର ସଫଳ ପ୍ରୟୋଗ’ ଶୀର୍ଷକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀ । ସେ କହିଛନ୍ତି ଯେ, ‘‘ଓଡିଶାର ଜଳବାୟୁ ଓ ମୃତ୍ତିକା କାଜୁ ଚାଷ ନିମନ୍ତେ ଅତ୍ୟନ୍ତ ଉପଯୋଗୀ । ଚଳିତ ବର୍ଷ ରାଜ୍ୟର ୨୦ ହଜାର ହେକ୍ଟର ଜମିରେ ନୂତନ ଭାବରେ କାଜୁ ଚାଷ କରାଯିବା କାର୍ଯ୍ୟକ୍ରମ ହାତକୁ ନିଆଯିବ । ରାଜ୍ୟର ଜନଜାତି ଓ ପଛୁଆ ଜିଲ୍ଲା ଗୁଡ଼ିକରେ କାଜୁ ଚାଷକୁ ପ୍ରୋତ୍ସାହନ ଦିଆଯାଉଛି । କାଜୁ ଉତ୍ପାଦନ ଓ ଉତ୍ପାଦିକତା ବୃଦ୍ଧି ନିମନ୍ତେ ନୂତନ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ସହ ଉନ୍ନତ ମାନର ଚାରା ଓ ପରିଚାଳନା ଆବଶ୍ୟକ ରହିଛି ।’’
ଭାରତ ସରକାରଙ୍କ ଉଦ୍ୟାନ କୃଷି ବିଭାଗର କମିଶନର ଡ. ପ୍ରଭାତ କୁମାର କହିଛନ୍ତି ଯେ, କାଜୁରେ ନୂଆ ଷ୍ଟାର୍ଟଅପ୍ ପ୍ରତିଷ୍ଠା କରିବାରେ ଅନେକ ସୁଯୋଗ ରହିଛି । କାଜୁଚାଷ ନିମନ୍ତେ କ୍ଲଷ୍ଟରପନ୍ଥା ଆପଣାଇବା ସହିତ ମୂଲ୍ୟବୃଦ୍ଧି ବଜାରୀକରଣ ସୃଷ୍ଟି ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ । ଜାତୀୟ ସମ୍ମିଳନୀ ଅବସରରେ କାଜୁର ବିକାଶ ଦିଗରେ “ଭୁବନେଶ୍ୱର ଘୋଷଣାନାମା’’ ପ୍ରକାଶନ କରିବା ନିମନ୍ତେ ସେ ପ୍ରସ୍ତାବ ଦେଇଛନ୍ତି । ସମ୍ମାନିତ ଅତିଥି ଭାବେ ଯୋଗ ଦେଇଛନ୍ତି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ । ସେ କହିଛନ୍ତି ଯେ, ‘‘ବିଶ୍ୱବିଦ୍ୟାଳୟ ପକ୍ଷରୁ ୩ଟି ହାଇବ୍ରିଡ କାଜୁ କିସମ ତିଆରି କରାଯାଇଛି । ଏଥି ସହିତ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘କଳିଙ୍ଗ କାଜୁ-୧’ ନାମରେ ଏକ ନୂତନ ହାଇବ୍ରିଡ କିସମ ମଧ୍ୟ ଖୁବଶୀଘ୍ର ବାହାର କରାଯିବାର କାର୍ଯ୍ୟକ୍ରମ ରହିଛି । କାଜୁ ବଗିଚାରେ ଅନ୍ତଃଚାଷ ଭାବରେ ସାରୁ, ଭେଣ୍ଡି, ବାଇଗଣ ଇତ୍ୟାଦି ଚାଷ କଲେ ଚାଷୀଙ୍କ ରୋଜଗାର ବୃଦ୍ଧି ପାଇବ ବୋଲି ସେ କହିଛନ୍ତି ।’’