ଭୁବନେଶ୍ବର: ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମରେ ସାମିଲ ହେବ ‘ନିର୍ବାଚନ ସାକ୍ଷରତା’ ବିଷୟ । ଏନେଇ ତର୍ଜମା କରୁଛି ଏକ୍ସପର୍ଟ କମିଟି । ଭାରତୀୟ ନିର୍ବାଚନ ଆୟୋଗଙ୍କ ବିସ୍ତୃତ ପ୍ରସ୍ତାବ NCERTରେ ବିଚାରାଧୀନ ରହିଛି । ଆସନ୍ତା ଶିକ୍ଷାବର୍ଷରୁ ପାଠ୍ୟପୁସ୍ତକରେ ଏହା ସାମିଲ ହେବା ନେଇ ଆଶା କରାଯାଉଛି । ଆସନ୍ତା ଶିକ୍ଷାବର୍ଷରୁ ପାଠ୍ୟପୁସ୍ତକରେ ଏହା ସାମିଲ ହେବା ନେଇ ଆଶା କରାଯାଉଛି । ଏନେଇ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସବୁ ରାଜ୍ୟକୁ ଚିଠି ଲେଖାଯାଇଛି । ଗତ ୨ ତାରିଖରେ ଭାରତୀୟ ନିର୍ବାଚନ ଆୟୋଗ ଏବଂ ଶିକ୍ଷା ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି ।
୧୮ ବର୍ଷ ହେବା ମାତ୍ରେ ତୁରନ୍ତ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଭୋଟର ପରିଚୟପତ୍ର ପ୍ରଦାନ କରିବାକୁ ନିର୍ବାଚନ ଆୟୋଗଙ୍କ ଲକ୍ଷ୍ୟ ରହିଛି । ଏଥିପାଇଁ ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରରୁ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ଯୋଜନା କରାଯାଉଛି । ନିର୍ବାଚନ ସମ୍ପର୍କରେ ବିଦ୍ୟାଳୟରୁ ସଚେତନତା ଆରମ୍ଭ ହେବ । ନିର୍ବାଚନରେ ମତଦାନ କେତେ ଜରୁରୀ, ସେ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯିବା ସହ ବିଦ୍ୟାଳୟ ପାଠ୍ୟକ୍ରମରେ ଏହି ବିଷୟ ଅନ୍ତର୍ଭୁକ୍ତ ହେବ । ରାଜ୍ୟ ଶିକ୍ଷା ବୋର୍ଡ ଓ ଅନ୍ୟ ଶିକ୍ଷା ବୋର୍ଡ ଗୁଡ଼ିକୁ ମଧ୍ୟ ନିର୍ବାଚନ ସାକ୍ଷରତା ପାଠ୍ୟକ୍ରମକୁ ସାମିଲ କରିବା ପାଇଁ ପରାମର୍ଶ ଦିଆଯାଇଛି । କଲେଜ ଓ ବିଶ୍ବବିଦ୍ୟାଳୟରେ ମଧ୍ୟ ଏହାକୁ ଅନ୍ତର୍ଭୁକ୍ତ କରିବାକୁ ଯୋଜନା ରହିଛି ।