ଭୁବନେଶ୍ବର:ସରିଲା ଶ୍ରଦ୍ଧାଞ୍ଜଳିଙ୍କ ଲୁଚକାଳି ଖେଳ । ଏଥର ଶ୍ରଦ୍ଧାଞ୍ଜଳିଙ୍କୁ ଯେଉଁଠି ପାଇବ ଗିରଫ କରିବ ପୋଲିସ । ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗ ମାମଲାରେ ସମ୍ପୃକ୍ତ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାଁରେ ଜାରି ହୋଇଛି ଜାମିନ ବିହୀନ ଗିରଫ ପରଓ୍ବାନା ବା NBW । ସିବିଆଇ କୋର୍ଟରେ ବାରମ୍ବାର ହାଜର ପାଇଁ ନୋଟିସ ସତ୍ତ୍ବେ ଶ୍ରଦ୍ଧାଞ୍ଜଳି ହାଜର ହେଉନଥିଲେ । ବିଭିନ୍ନ ଆଳ ଦେଖାଇ ସ୍ବାସ୍ଥ୍ୟ ଖରାପ ଦର୍ଶାଇ ଓକିଲଙ୍କ ଜରିଆରେ ସମୟ ଗଡ଼ାଇ ଚାଲିଥିଲେ । ୨୦ ତାରିଖ ଶେଷ ସମୟ ଅବଧି ଥିଲା । କୋର୍ଟରେ ହାଜର ନ ହେବାରୁ ଶେଷରେ NBW ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ଶ୍ରଦ୍ଧାଞ୍ଜଳି ତାଙ୍କ କୋର୍ଟ କପିରେ ବାଙ୍କି ସ୍ଥିତ ଠିକଣା ରହିଥିବାରୁ ବାଙ୍କି ଥାନାକୁ NBWର ଓ୍ବାରେଣ୍ଟ ଯାଇପାରେ । କୌଣସି ମୂହୁର୍ତ୍ତରେ ମଧ୍ୟ ଶ୍ରଦ୍ଧାଞ୍ଜଳିଙ୍କୁ ପୋଲିସ ଗିରଫ କରିପାରେ । ତେବେ କୋର୍ଟରେ ତାଙ୍କ ଓକିଲ ହାଜର ହୋଇ ହାଇକୋର୍ଟରେ ଚ୍ୟାଲେଞ୍ଜ ହୋଇଥିବାରୁ ତାଙ୍କୁ ହାଜର ପାଇଁ ସମୟ ମାଗିଥିଲେ। କିନ୍ତୁ ସେ ହାଜର ହୋଇନଥିଲେ । NBW ପାଇଁ ନିର୍ଦ୍ଦେଶ ପରେ ତାଙ୍କ ଓକିଲ ଅବୋକ ଦାସ କହିଛନ୍ତି, "ଏହି ମାମଲାକୁ ନେଇ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯିବ । କୋର୍ଟରେ ଗ୍ରୀଷ୍ମ କାଳୀନ ଛୁଟି ଘୋଷଣା ହୋଇଥିବାରୁ ଆସନ୍ତା ଜୁନ ୩ ତାରିଖରେ ପରବର୍ତ୍ତୀ ଶୁଣାଣି ରହିଛି ।"