ଖୋର୍ଦ୍ଧା: ତୀବ୍ର ହେଉଛି ନୟାଗଡ଼ ଚିନିକଳ ବଞ୍ଚାଅ ଆନ୍ଦୋଳନ । ନୟାଗଡ଼ ବ୍ଲକ ପାଣିପଇଲାଠାରେ ଥିବା ଚିନି କାରଖାନାକୁ ପୁନଃକାର୍ଯ୍ୟକ୍ଷମ କରିବା ଦାବିରେ ଚିନିକଳ କ୍ରିୟାନୁଷ୍ଠାନ କମିଟି ଗତ 30 ତାରିଖରୁ ଆଖୁଚାଷୀମାନଙ୍କୁ ନେଇ ନୟାଗଡ଼ ଠାରୁ ଭୁବନେଶ୍ବରକୁ ପଦଯାତ୍ରା ବାହାରିଛି । ଏହି ପଦଯାତ୍ରା ଆସନ୍ତା ୩ ତାରିଖରେ ଭୁବନେଶ୍ବରରେ ପହଞ୍ଚି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିବେ ବୋଲି କ୍ରିୟାନୁଷ୍ଠାନ କମିଟିର ପକ୍ଷରୁ ସୂଚନା ଦିଆଯାଇଛି ।
ଆଖୁଚାଷ ପାଇଁ ବିଖ୍ୟାତ ନୟାଗଡ଼ ଜିଲ୍ଲାର ପାରିପାର୍ଶ୍ବିକ ଅନୁକୂଳ ପିରିସ୍ଥିତି ଭିତ୍ତିରେ ନୟାଗଡ଼ ସମବାୟ ଚିନିକଳ ପ୍ରତିଷ୍ଠା ହୋଇଥିଲା । ଗୁଣବତ୍ତା ଓ ଉତ୍ପାଦନ ଯୋଗ୍ୟତା ଦୃଷ୍ଟିରୁ ଆମ ଦେଶର ଏହା ଏକ ପ୍ରମୁଖ ଚିନିକଳ ଭାବେ ମାନ୍ୟତା ମଧ୍ୟ ପାଇଥିଲା । ଆଖପାଖ ୭ଟି ଜିଲ୍ଲାର ଆଖୁଚାଷୀ ଏହି ଚିନିକଳ ଉପରେ ନିର୍ଭର କରିଆସୁଥିଲେ । କିନ୍ତୁ ଘରୋଇ କମ୍ପାନୀ ‘ନୟାଗଡ଼ ସୁଗାର କମ୍ପ୍ଲେକ୍ସ’ ଏହାର ପରିଚାଳନା ଦାୟିତ୍ବ ନେବାପରେ ୨୦୧୫ ମସିହା ଠାରୁ ଏହି ଚିନି କଳରେ ତାଲା ଝୁଲିବା ସହ ଆଖୁଚାଷୀ ଓ ଶିଳ୍ପ କର୍ମଚାରୀମାନଙ୍କର ପ୍ରାପ୍ୟ ନଦେଇ ଏହି କମ୍ପାନୀ ଚାଲିଯାଇଛି।