ଓଡିଶା

odisha

ETV Bharat / state

ଅରୁଣ କହିଲେ ସରକାରକୁ ବ୍ଲାକମେଲ କରୁଛନ୍ତି ସୌମ୍ୟ, ଏମିତି ଜବାବ ଦେଲେ ଖଣ୍ଡପଡା ବିଧାୟକ - ଅରୁଣ ସାହୁ

ଖଣ୍ଡପଡା ବିଧାୟକ ସୌମ୍ୟ ପଟ୍ଟନାୟକଙ୍କୁ ବିଶ୍ବାସ ଘାତକ କହିଲେ ଅରୁଣ ସାହୁ । ସୌମ୍ୟ ବିଜେଡି ଓ ସରକାରକୁ ବ୍ଲାକମେଲ କରୁଛନ୍ତି ବୋଲି ଅଭିଯୋଗ କଲେ । ଏହାର ଜବାବ ଦେଇଛନ୍ତି ଖଣ୍ଡପଡା ବିଧାୟକ । ଅଧିକ ପଢନ୍ତୁ

ସୌମ୍ୟ ରଞ୍ଜନଙ୍କୁ ଟାର୍ଗେଟ କଲେ ଅରୁଣ
ସୌମ୍ୟ ରଞ୍ଜନଙ୍କୁ ଟାର୍ଗେଟ କଲେ ଅରୁଣ

By ETV Bharat Odisha Team

Published : Sep 8, 2023, 10:08 AM IST

ସୌମ୍ୟ ରଞ୍ଜନଙ୍କୁ ଟାର୍ଗେଟ କଲେ ଅରୁଣ

ଭୁବନେଶ୍ବର: ''ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଜଣେ ବ୍ଲାକମେଲର । ବିଜେଡି ଓ ରାଜ୍ୟ ସରକାରଙ୍କୁ ବ୍ଲାକମେଲ କରୁଛନ୍ତି ।'' ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କର ସହଯୋଗୀ ବିଧାୟକ ଅରୁଣ କୁମାର ସାହୁ । ଖାଲି ସେତିକି ନୁହେଁ, ବିଧାୟକ ହେବା ପରେ ସୌମ୍ୟ ରଞ୍ଜନ ଦଳୀୟ ନେତାଙ୍କ ସହିତ ଖଣ୍ଡପଡ଼ାବାସୀଙ୍କ ପ୍ରତି ବିଶ୍ୱାସଘାତକତା କରିଛନ୍ତି । ମନ୍ତ୍ରୀ ପଦ ନମିଳିବାରୁ ହତାଶ ହୋଇ ବିଜେଡି ଓ ସରକାରଙ୍କ ବିରୋଧରେ କହୁଛନ୍ତି ବୋଲି ଅରୁଣ ଅଭିଯୋଗ କରିଛନ୍ତି ।

ନୟାଗଡ ବିଧାୟକ ଆହୁରି କହିଛନ୍ତି ଯେ, ସୌମ୍ୟ ରଞ୍ଜନ ପଟ୍ଟନାୟକ କିଛି ଦିନ ହେବ ଭାରି ବିଚଳିତ ଅଛନ୍ତି ଏବଂ ଉଦ୍ଭଟ କଥା କହୁଛନ୍ତି ଓ ଲେଖୁଛନ୍ତି । ପାର୍ଟି ଆଗ ନା ମାଟି ଆଗ ବୋଲି ପ୍ରଶ୍ନ କରିଛନ୍ତି । ବିଜେଡିରେ ସାମିଲ ହେବା ପରେ ସୌମ୍ୟ ରାଜ୍ୟସଭାର ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ । ସେ ସାରା ଓଡ଼ିଶା ମାଟିର ସେବା କରିପାରିଥାନ୍ତେ । କିନ୍ତୁ ତାଙ୍କର ବୋଧେ ବିଧାନସଭାକୁ ନିର୍ବାଚିତ ହେବା ପାଇଁ ପ୍ରବଳ ଇଚ୍ଛା ଥିଲା । ନିର୍ବାଚନରେ ବାରମ୍ବାର ବିଫଳ ହେବା ପରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦରୁ ଖଣ୍ଡପଡ଼ାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।

ଏହାମଧ୍ୟ ପଢନ୍ତୁ: ସୌମ୍ୟଙ୍କ ବିସ୍ଫୋରଣ ଜାରି; ଦଲାଲଙ୍କ ହାତରେ ଶାସନ ଭାର, କ୍ଷମତାରେ ବି ଟିମ

ନିର୍ବାଚନ ମଣ୍ଡଳୀ ବାହାର ଲୋକଙ୍କୁ ଖଣ୍ଡପଡ଼ାବାସୀ ବିଶ୍ୱାସ କରୁନଥିଲେ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ସୌମ୍ୟଙ୍କୁ ବିପୁଳ ଭୋଟରେ ବିଜୟୀ କରିଥିଲେ । ମାତ୍ର ବିଧାୟକ ରୂପେ ନିର୍ବାଚିତ ହେବା ପରେ ସେ କେବଳ ଦଳର ନେତା ନୁହନ୍ତି, ଖଣ୍ଡପଡ଼ାବାସୀଙ୍କ ପ୍ରତି ମଧ୍ୟ ବିଶ୍ୱାସଘାତକତା କରିଛନ୍ତି । ୪ ବର୍ଷ ବିତିଥିବା ସତ୍ତ୍ବେ ବିଧାୟକ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ଅନେକ ଗାଁ ମାଟି ମାଡ଼ି ନାହାନ୍ତି । ଏବେ ସେ ବହୁ ଉଦ୍ଭଟ କଥା ସବୁ କହୁଛନ୍ତି । ଅନେକ ସମୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଟାର୍ଗେଟ କରିବା, ନିଜକୁ ଏକ ବିରାଟ ଶକ୍ତିଶାଳୀ ସମାଜସେବୀ ଭାବେ ଉପସ୍ଥାପିତ କରିବା, ଏସବୁ ତାଙ୍କର ଅସ୍ଥିରତାର ଲକ୍ଷଣ ।

ଖଣ୍ଡପଡାର ବିଧାୟକ ଭାବେ ନିର୍ବାଚନ ଜିତିବା ପରେ ମନ୍ତ୍ରୀ ପଦ ପାଇବାକୁ ଆଶାୟୀ ଥିଲେ । ମନ୍ତ୍ରୀ ପଦ ନମିଳିବାରୁ ଆଜି ସୌମ୍ୟ ବିଜେଡି ଏବଂ ସରକାରଙ୍କ ବିରୋଧରେ କହୁଛନ୍ତି । କୌଣସି ଉଦ୍ଦେଶ୍ୟ ନଥାଇ ସେ କିଛି କରନ୍ତି ନାହିଁ । ନିଜ ଇଚ୍ଛା ପୂରଣ କରିବା ଲାଗି ଲାଗିପଡ଼ନ୍ତି । ଯେତେବେଳେ ସେ ଏଥିରେ ସଫଳ ନହୁଅନ୍ତି, ସେତେବେଳେ ବ୍ଲାକମେଲ ପନ୍ଥା ଆପଣେଇ ନିଅନ୍ତି । ସୌମ୍ୟରଞ୍ଜନଙ୍କ ବ୍ଲାକମେଲ କଥା ସଫଳ ନହେବାରୁ ସେ ଉଗ୍ର ହୋଇପଡିଛନ୍ତି ବୋଲି ଅରୁଣ ସାହୁ କହିଛନ୍ତି ।

ଅରୁଣଙ୍କୁ ଜବାବ ଦେଲେ ସୌମ୍ୟ:ଅନ୍ୟପଟେ ସହଯୋଗୀ ବିଧାୟକଙ୍କ ଏଭଳି ସମାଲୋଚନାର ପାଲଟା ଜବାବ ଦେଇଛନ୍ତି ବିଧାୟକ ସୌମ୍ୟ ରଞ୍ଜନ । ସେ କହିଛନ୍ତି ଯେ, ଅରୁଣ ବାବୁ ମନ୍ତ୍ରୀ ପଦ ହରାଇଥିବାରୁ ତାଙ୍କୁ ଲାଗୁଥିବ ଜୀବନର ସବୁଠାରୁ ମୂଲ୍ୟବାନ ଜିନିଷ ହେଉଛି ମନ୍ତ୍ରୀ ପଦ । ମୁଁ ମନ୍ତ୍ରୀ ପଦ ପାଇଁ କେବେ ଲାଳାୟିତ ନଥିଲି କି ନାହିଁ ମଧ୍ୟ । ମୁଁ ଦୁଇ ସପ୍ତାହ ତଳେ ଏକ ସମ୍ପାଦକୀୟ ଲେଖିଥିଲି 'ଆତ୍ମ ବିଭୋର ପ୍ରଶାସକ ଏବଂ ଅସହାୟ ରାଜନେତା' । ଏପରି ସମ୍ପାଦକୀୟ ବାବଦରେ ପ୍ରତିକ୍ରିୟା ପ୍ରକାଶ କରିବାକୁ ଅରୁଣ ବାବୁଙ୍କୁ ୧୪ ଦିନ ଲାଗିଲା । ମୁଁ ଯେଉଁ ଅସହାୟ ରାଜନେତାଙ୍କ କଥା କହିଥିଲି, ଅରୁଣ ବାବୁଙ୍କର ମତ ଓ ମନ୍ତବ୍ୟଗୁଡିକ ତାକୁ ପ୍ରମାଣିତ କରୁଛି । ତାଙ୍କ କଥାର ମୂଳରୁ ଚୂଳ ଯାଏଁ ଏହା ପ୍ରମାଣ ଦେଉଛି । ଏହା ତାଙ୍କର ହୃଦୟର କଥା ନୁହେଁ । ଏହା ତାଙ୍କୁ କୁହାଯାଇଥିବା ବା ଲେଖାଯାଇଥିବା ସଂଳାପକୁ କହିବାକୁ ବାଧ୍ୟ କରାଯାଇଛି । ଏ ବାବଦରେ ଅଧିକ କହି ଅରୁଣଙ୍କୁ ମୁଁ ଗୁରୁତ୍ୱ ଦେବାକୁ ଚାହେଁ ନାହିଁ ବୋଲି କହିଛନ୍ତି ଖଣ୍ଡପଡା ବିଧାୟକ ।

ସୂଚନାଯୋଗ୍ୟ ଯେ, ଗତ ଦୁଇ ବର୍ଷ ହେବ ସୌମ୍ୟଙ୍କ ସମ୍ପାଦକୀୟ ସରକାରୀ ଦଳ ଓ ରାଜ୍ୟ ସରକାରଙ୍କୁ ଅଡୁଆ ପରିସ୍ଥିତିରେ ପକାଇ ଦେଉଛି । କୋଭିଡ୍ ମୃତ୍ୟୁକୁ ନେଇ ଦ୍ୱନ୍ଦ୍ୱ, ମମିତା ମେହେର ହତ୍ୟା ମାମଲାରେ ତତକାଳୀନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଓ ନବୀନଙ୍କ ନିରବତା, ୫ଟି ସଚିବ’ଙ୍କ ରାଜନୀତିକ ବ୍ରାଣ୍ଡିଂ ଓ ଜିଲ୍ଲା ଗସ୍ତକୁ ନେଇ ସୌମ୍ୟଙ୍କ ଶାଣିତ ସମାଲୋଚନା ଶାସକ ଦଳକୁ ନିନ୍ଦିତ କରୁଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details