ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ଭୟ ବଢାଉଛି ମାଓହିଂସା। ପଡୋଶୀ ମାଓବାଦୀଙ୍କ ପାଇଁ ପୋଲିସର ଚିନ୍ତା ବଢିଛି। 2024 ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ସୀମାନ୍ତ ଜିଲ୍ଲାରେ ମାଓ ଉପଦ୍ରବ ବଢିବାରେ ଲାଗିଛି। ପଡୋଶୀ ରାଜ୍ୟରେ ନିର୍ବାଚନ ମାହୋଲ ଥିବା ବେଳେ ମାଓ ଭୟକୁ ନେଇ ଚିନ୍ତା ବଢିଛି। ପଡୋଶୀ ରାଜ୍ୟରେ ନିର୍ବାଚନ ଥିବାବେଳେ ଏହି ମୌକାରେ ସୀମାରେ ବଢିପାରେ ମାଓ ଗତିବିଧି । ତେଣୁ ସୀମାନ୍ତ ଜିଲ୍ଲା ନୂଆପଡାରେ ମାଓବାଦୀ ହିଂସା ଘଟଣା ପୋଲିସର ଚିନ୍ତାକୁ ବଢାଇଦେଇଛି। ଏନେଇ ସ୍ଥିତି ପରିଖିବାକୁ ନୂଆପଡ଼ା ଗସ୍ତ କରିଛନ୍ତି ପୋଲିସ ଡିଜି।
ନୂଆପଡ଼ା ଏସପିଙ୍କ ସହ ମାଓ ସମୀକ୍ଷା ପରେ ଦାତୁନାମା କ୍ୟାମ୍ପ ପରିଦର୍ଶନ କରିଛନ୍ତି ଡିଜି । ଏପରିକି ଆହୁରି ୪ଟି କ୍ୟାମ୍ପ ପାଇଁ ଯୋଜନା ଥିବା ବେଳେ ପଡୋଶୀ ରାଜ୍ୟ ନିର୍ବାଚନ ପାଇଁ ମାଓବାଦୀଙ୍କ ଉପରେ ନଜର ରଖିବାକୁ ସୀମାରେ ଆଲର୍ଟ କରାଯାଇଛି। ନୂଆପଡ଼ା ଗସ୍ତ ପୂର୍ବରୁ ଡିଜି ରାୟପୁର ଯାଇ ଛତିଶଗଡ଼ ଡିଜି , ମଧ୍ୟପ୍ରଦେଶ ଡିଜି ଓ ଝାଡଖଣ୍ଡର ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ବୈଠକ କରିଥିଲେ। ମଧ୍ୟପ୍ରଦେଶ ଓ ଛତିଶଗଡ଼ ନିର୍ବାଚନକୁ ଦୃଷ୍ଟିରେ ରଖି ମାଓ ଉପଦ୍ରବ ଓ ଗତିବିଧି ନେଇ ବିସ୍ତୃତ ଆଲୋଚନା କରାଯାଇଛି।
ଅନ୍ୟପଟେ ରାଜ୍ୟରେ ୯୦ପ୍ରତିଶତ ପଡୋଶୀ ମାଓବାଦୀ ରହିଛନ୍ତି। ତେଣୁ ଏବେବି ପାଖାପାଖି ୨୫୦ ମାଓବାଦୀ ସକ୍ରିୟ ଥିବାବେଳେ ପାଖାପାଖି ୨୫ ଜଣ ଓଡ଼ିଆ ମାଓବାଦୀ ରହିଥିବା ଜଣାପଡିଛି । ତେଣୁ ପଡୋଶୀ ରାଜ୍ୟ ମାଓବାଦୀ ପ୍ରାଦୃର୍ଭାବ ଅଧିକ ଦେଖିବାକୁ ମିଳୁଥିବାବେଳେ ନିର୍ବାଚନ ସମୟରେ ସେମାନେ ନିଜର ବିଚରଧାରାକୁ ଜାହିର ପାଇଁ ଏପରି ହିଂସାକାଣ୍ଡ ଭିଆଉଥିବାର ନଜିର ରହିଛି। ହେଲେ ପୂର୍ବ ଅପେକ୍ଷା ମାଓବାଦୀଙ୍କ ପ୍ରଭାବ କମିଥିବା ଜଣାପଡିଛି। କାରଣ ପୂର୍ବରୁ ୨୧ଜିଲ୍ଲାରେ ଏଭଳି ହିଂସା ଘଟଣା ଦେଖିବାକୁ ମିଳୁଥିବାବେଳେ ଏବେ ମାତ୍ର ୮ଟି ଜିଲ୍ଲାରେ ପ୍ରଭାବ ରହିଛି।
ତେବେ ନିକଟରେ ନୂଆପଡା ଗୋଳାବନ୍ଦରେ ଫରେଷ୍ଟ ବିଭାଗ ବିଟ ହାଉସ ପୋଡିବା ସହ ଜେସିବିରେ ନିଆଁ ଲଗାଇ ନିଜର ଅସ୍ଥିତ୍ବ ଜାହିର କରିଥିଲେ ମାଓବାଦୀ। ସେହିପରି
ଜୁଲାଇ ୧ତାରିଖରେ ମାଓବାଦୀମାନେ ରାୟଗଡା ଜିଲ୍ଲାର ମୁନିଗୁଡାରେ ଏଭଳି ଲଙ୍କାକାଣ୍ଡ ଘଟାଇଥିଲେ । ଦେଓକୁପୁଲି ଛକ ନିକଟ କ୍ରସରରେ ଥିବା ୨ଟି ପ୍ରୋକ୍ଲିନ, ୫ଟି ହାଇୱା ସମେତ ୯ଟି ଗାଡିରେ ନିଆଁ ଲଗାଇ ଦେଇଥିଲେ । ମେ 9 ତାରିଖରେ କଳାହାଣ୍ଡି ଜିଲ୍ଲା ଟାପରେଙ୍ଗରେ ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ 3 ଜଣ ନକ୍ସଲ ନିପାତ ସହ ପୋଲିସକର୍ମୀଙ୍କ ମଧ୍ୟରେ ଜଣେ ଡିଏସପି ଆହତ ହୋଇଥିଲେ।