ଭୁବନେଶ୍ବର :ଭୁବନେଶ୍ୱର ଉତ୍କଳ ମଣ୍ଡପରେ ଓଡ଼ିଶା ନବୋଦୟ ପୁରାତନ ଛାତ୍ରସଙ୍ଘ (ନାଓ)ର ଷଷ୍ଠ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି । ଏଥିରେ ରାଜ୍ୟର ୩୧ଟି ନବୋଦୟ ବିଦ୍ୟାଳୟର ପ୍ରାୟ ୧୫୦୦ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଓଡ଼ିଶା ନବୋଦୟ ପୁରାତନ ଛାତ୍ରସଙ୍ଘ (ନାଓ)ର ଷଷ୍ଠ ବାର୍ଷିକ ଉତ୍ସବରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ମୁଖ୍ୟଅତିଥି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ''ଗ୍ରାମାଞ୍ଚଳ ମେଧାକୁ ସୁଯୋଗ ଦେଇ ସହରାଞ୍ଚଳର ସୁବିଧା ସୁଯୋଗ ସମ୍ପନ୍ନ ଛାତ୍ରଛାତ୍ରୀଙ୍କୁ ସମକକ୍ଷ କରିବାରେ ନବୋଦୟ ବିଦ୍ୟାଳୟ ଆଗରେ ରହିଛି । ତେଣୁ ପ୍ରାଥମିକତା ଭିତ୍ତିରେ ନିଜ ବିଦ୍ୟାଳୟର ସାମଗ୍ରିକ ଉନ୍ନତି ପାଇଁ କାମ କରିବା ଉଚିତ୍ ।''
ଏଥିରେ ମୁଖ୍ୟବକ୍ତା ଭାବେ ପୂର୍ବତନ ସୂଚନା କମିଶନର ଜଗଦାନନ୍ଦ ଯୋଗଦେଇ ପରିବାର, ବନ୍ଧୁ, ମନୋରଞ୍ଜନ ଏବଂ ଜୀବିକା ଅପେକ୍ଷା ବୃହତ୍ତର ସମାଜର ହିତସାଧନ ପାଇଁ ସମସ୍ତେ ଆଗେଇ ଆସିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଆଦିବାସୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସଠିକ ନୀତି ନିର୍ଦ୍ଧାରଣ, ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଅଧିକ ପ୍ରସ୍ତୁତ ଏବଂ ସକ୍ରିୟ ନାଗରିକ ଭାବେ ଠିକ୍ ସମୟରେ, ଠିକ୍ ଢଙ୍ଗରେ, ଠିକ୍ ପ୍ରଶ୍ନ କରିବାକୁ ସେ ନବୋଦୟ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ ।
ସେହିପରି ସମ୍ମାନିତ ଅତିଥି ଭାବେ ନବୋଦୟ ବିଦ୍ୟାଳୟ ସମିତି ଭୋପାଳର ଅବସରପ୍ରାପ୍ତ ସହକାରୀ କମିଶନର ପାର୍ବତୀ ପ୍ରଧାନ ରାଷ୍ଟ୍ର ନିର୍ମାଣରେ ନବୋଦୟ ଛାତ୍ରଛାତ୍ରୀଙ୍କ ଭୂମିକା ଉପରେ ଜୋର୍ ଦେଇଥିଲେ । ବିଭୁରଞ୍ଜନ ଥାନପତି ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ସଭାପତି ଇଞ୍ଜିନିୟର ସଞ୍ଜୟ କୁମାର ନାୟକ ନିଜ ଅଭିଭାଷଣରେ କୋଭିଡ଼ ମହାମାରୀ ପରବର୍ତ୍ତୀ ପୃଥିବୀରେ ଏପରି ବିଶାଳ ସମାବେଶ କରିବା ଏକ ଆହ୍ବାନ ସହ ଏକ ସୁଯୋଗ ବୋଲି ମତ ଦେଇଥିଲେ । "ଶିଖିବା ପାଇଁ ପ୍ରବେଶ ଏବଂ ସେବା ପାଇଁ ପ୍ରସ୍ଥାନ" ମନ୍ତ୍ରକୁ କାମରେ ଲଗାଇବା ସହ ଛୋଟ ବେଳୁ ଘର ଛାଡି ପ୍ରତିକୂଳତାକୁ ଆପଣେଇଥିବା ପ୍ରତିଟି ନବୋଦୟ ଛାତ୍ରଛାତ୍ରୀ ପରିବର୍ତ୍ତନର ସ୍ୱର ହେବା ପାଇଁ ସେ ନିବେଦନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ନାଓର ସ୍ମରଣିକା ଉନ୍ମୋଚନ ହୋଇଥିଲା । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ପୁରାତନ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ନବୋଦୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ନୀଳାଚଳ ମହାପାତ୍ର ଏବଂ କଲ୍ୟାଣୀ ସଙ୍ଘମିତ୍ରା ପରିଚାଳନା କରିଥିଲେ । ଶେଷରେ ଡକ୍ଟର ଦୀପକ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ସନ୍ଧ୍ୟାରେ ଓଲିଉଡର ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଛାତ୍ରଛାତ୍ରୀଙ୍କ ମନମୋହିଥିଲେ । ମନୋରଞ୍ଜନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସୁରପ୍ରସାଦ ନାୟକ ଓ ବିଜୟଲକ୍ଷ୍ମୀ ଦାଶ । ବାର୍ଷିକ ଉତ୍ସବରେ ସର୍ବାଧିକ ପଞ୍ଜିକରଣ କରିଥିବାରୁ ଗଞ୍ଜାମ ଓ ଗଜପତି ନବୋଦୟକୁ ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ପୁରସ୍କାର ଦିଆଯାଇଥିଲା ।
ଇଟିଭି ଭାରତ, ଭୁବନେଶ୍ବର