ଓଡିଶା

odisha

By

Published : Jun 18, 2023, 10:37 AM IST

ETV Bharat / state

ତିନିଦିନ ଚାଲିବ ଏକାମ୍ର ପ୍ରକଳ୍ପ ଭୂମିପୂଜନ ଓ ଶିଳାନ୍ୟାସ ଉତ୍ସବ

ଏକାମ୍ର ପ୍ରକଳ୍ପ ଭୂମି ପୂଜନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ । ଶୃଙ୍ଖଳିତ ଢଙ୍ଗରେ ସମାପନ ପାଇଁ ବସିଲା ଗୁରୁତ୍ବପୂର୍ଣ୍ଣ ବୈଠକ । ଅଧିକ ପଢନ୍ତୁ

naveen patnaik to lay foundation of Ekamra project
naveen patnaik to lay foundation of Ekamra project

naveen patnaik to lay foundation of Ekamra project

ଭୁବନେଶ୍ବର:ଚଳିତ ମାସ ଶେଷ ସପ୍ତାହରେ ଅନୁଷ୍ଠିତ ହେବ ବହୁ ପ୍ରତିକ୍ଷୀତ ଏକାମ୍ର ପ୍ରକଳ୍ପ ଭୂମି ପୂଜନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । କିଭଳି ସୁରୁଖୁରୁରେ ଏହାକୁ ସମାପନ କରାଯିବ ସେନେଇ ଶନିବାର ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ବା ବିଡିଏ ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।

ଆସନ୍ତା 26, 27 ଓ 28 ତାରିଖ ତିନି ଦିନ ଧରି ଏକାମ୍ର ପ୍ରକଳ୍ପର ଭୂମିପୂଜନ ଓ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହେବ । ତିନିଦିନ ଧରି ଏଠାରେ ଯଜ୍ଞାନୁଷ୍ଠାନ ସହ ଭଜନ ପରିବେଷଣ ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ବହୁ ଲୋକ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଥିବା ବେଳେ ଶୃଙ୍ଖଳାର ସହ କିଭଳି ଏହାର ସମାପନ ହେବ ସେ ଦିଗରେ ବିଭିନ୍ନ ପଦକ୍ଷେପ ନେବା ଲାଗି ବୈଠକରେ ଆଲୋଚନା ହୋଇଥିଲା । ବୈଠକରେ ସେବାୟତ ନିଯୋଗର ପ୍ରତିନିଧି ମାନେ ଉତ୍ସବର ସଫଳ ଆୟୋଜନ ନିମନ୍ତେ ସଂପୂର୍ଣ୍ଣ ନିଷ୍ଠାର ସହ ସହଯୋଗ କରିବେ ବୋଲି ଜଣାଇଥିଲେ ।

ସ୍ଥାନୀୟ କର୍ପୋରେଟର ମାନେ ଆଲୋଚନାରେ ଅଂଶଗ୍ରହଣ କରି ଭୂମିପୂଜନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବା ଲାଗି ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ମତବ୍ୟକ୍ତ କରିଥିଲେ । ଶ୍ରୀ ଲିଙ୍ଗରାଜ ମନ୍ଦିର ସିଂହଦ୍ୱାର ସାମ୍ନା ଉତ୍ତର ପୂର୍ବକୋଣରେ ଯଜ୍ଞ ମଣ୍ଡପ ନିର୍ମାଣ ହେବା ନେଇ ବୈଠକରେ ସ୍ଥିର ହୋଇଛି । ଦେବୀ ପାଦହରା ପୁଷ୍କରିଣୀ ପାର୍ଶ୍ୱରେ ଭଜନ ସମାରୋହ ନିମନ୍ତେ ବ୍ୟବସ୍ଥା କରାଯିବ । ସେହିପରି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ସମ୍ଭାବନାକୁ ଦୃଷ୍ଟିରେ ରଖି ପାର୍କିଂ ଲାଗି ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି ।

ଏକାମ୍ର କ୍ଷେତ୍ରର ଗୌରବମୟ ଐତିହ୍ୟର ସଂରକ୍ଷଣ ପାଇଁ ଗତବର୍ଷ ରାଜ୍ୟ ସରକାର ଏକାମ୍ର କ୍ଷେତ୍ର ପ୍ରକଳ୍ପର ଘୋଷଣା କରିଥିଲେ । ଏହା ଅଧିନରେ ସୁଦୃଶ୍ୟ ପ୍ରବେଶ ପଥ, ବିନ୍ଦୁସାଗର ପୁନରୁଦ୍ଧାର, ଅତ୍ୟାଧୁନିକ ପାର୍କିଂ, ଲିଙ୍ଗରାଜ ଐତିହ୍ୟ ପ୍ରକଳ୍ପ, କେଦାରଗୌରୀ, ମୁକ୍ତେଶ୍ୱର ପରିସରର ବିକାଶ ଓ ବିଭିନ୍ନ ସୁବିଧା ସୁଯୋଗ, ଇ-ଅଟୋ ସେବା, ଐତିହ୍ୟ ବ୍ୟାଖ୍ୟାନ କେନ୍ଦ୍ର ନିର୍ମାଣ କରାଯିବ ବୋଲି କୁହାଯାଇଥିଲା । ଯାତାୟତର ସୁବିଧା ପାଇଁ ତାଳେଶ୍ୱର ଛକରୁ ବଢେଇବାଙ୍କ ଛକ ପର୍ଯ୍ୟନ୍ତ ରାସ୍ତା, ଚାରିଗୋଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା, ଶ୍ରୀ ଲିଙ୍ଗରାଜ ମନ୍ଦିର ସାମନାରେ ଉଦ୍ୟାନ ନିର୍ମାଣ ସହିତ ଏହାର ସୌନ୍ଦର୍ଯ୍ୟକରଣ ତଥା ମନ୍ଦିର ଚାରି ପାଖରେ ପରିକ୍ରମା ପଥ ନିର୍ମାଣ ଲାଗି ପରିକଳ୍ପନା କରାଯାଇ ଯୋଜନା ପ୍ରସ୍ତୁତ କରାଯାଇଛି । ଶ୍ରୀ ଲିଙ୍ଗରାଜ ଐତିହ୍ୟ ପ୍ରକଳ୍ପ ଅଧିନରେ ଭକ୍ତମାନେ ଯେପରି ସୁବିଧାରେ ଦର୍ଶନ କରିପାରିବେ, ସେଥିପାଇଁ ବ୍ୟବସ୍ଥା କରାଯିବ ।

ପର୍ଯ୍ୟଟକ ମାନଙ୍କ ବିଭିନ୍ନ ପ୍ରକାରର ସୁବିଧା ସୁଯୋଗର ବିକାଶ ଲାଗି ଏହି ପ୍ରକଳ୍ପ ମାଧ୍ୟମରେ ବ୍ୟବସ୍ଥା କରାଯିବ । ଓଡ଼ିଶା ସେତୁ ନିର୍ମାଣ ନିଗମ ଦ୍ୱାରା ଏହି ଐତିହ୍ୟ ପ୍ରକଳ୍ପ କରାଯିବାକୁ ରାଜ୍ୟ କ୍ୟାବିନେଟ ପୂର୍ବରୁ ଅନୁମୋଦନ କରିଛି । ବୈଠକରେ ମନ୍ତ୍ରୀଙ୍କ ସହ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ମେୟର ସୁଲୋଚନା ଦାସ, ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂ, ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ, ଖୋର୍ଦ୍ଧା ଜିଲ୍ଲାପାଳ, ଡିସିପି ପ୍ରତୀକ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details