ଭୁବନେଶ୍ବର:ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କ ନାଁରେ ଯୋଡି ହୋଇଛି ନୂଆ ରେକର୍ଡ । ସେ ଦେଶର ଦ୍ଵିତୀୟ ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ରହିବାର ଗୌରବ ଅର୍ଜନ କରିଛନ୍ତି । ଦ୍ଵିତୀୟରେ ଥିବା ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କୁ ଆଜି(ଶନିବାର) ସେ ପଛରେ ପକାଇଛନ୍ତି । ଏନେଇ ଦଳୀୟ ବିଧାୟକ ନବୀନଙ୍କୁ ଦେଇଛନ୍ତି ଶୁଭେଚ୍ଛା ବାର୍ତ୍ତା । ପିତା ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ 1997ରେ ରାଜନୀତିରେ ପ୍ରବେଶ କରିଥିଲେ ନବୀନ । ବିଜୁ ଜନତା ଦଳ ଗଠନ କରି ବିଜୁ ବାବୁଙ୍କ ଉତ୍ତରାଧିକାରୀ ଭାବେ ସେ ରାଜନୀତି ମୈଦାନକୁ ଆସିଥିଲେ ।
ପାରିବାରିକ ଆସନ ଆସ୍କାରୁ ଲୋକସଭା ନିର୍ବାଚନ ଲଢ଼ି ଅଟଳ ମନ୍ତ୍ରୀ ମଣ୍ଡଳରେ କେନ୍ଦ୍ରମନ୍ତ୍ରୀ ହୋଇଥିଲେ ନବୀନ । 2000ରେ ବିଧାନସଭା ନିର୍ବାଚନରେ ବିଜେପି ସହ ମେଣ୍ଟ କରି ସରକାର ଗଢ଼ିଥିଲେ । 2000 ମାର୍ଚ୍ଚ 5 ତାରିଖରୁ ଆଜି ପର୍ଯ୍ୟନ୍ତ ସେ ଲଗାତାର 5 ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଆସିଛନ୍ତି । 2000, 2004, 2009, 2014, 2019ରେ କ୍ରମାଗତ ଭାବେ ଲୋକପ୍ରିୟତା ହାସଲ କରିଚାଲିଛନ୍ତି ନବୀନ । ଏହାରି ଭିତରେ ସେ ଅନେକ ରେକର୍ଡ ବନେଇଛନ୍ତି ଆଉ ଭାଙ୍ଗିଛନ୍ତି । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ମିଳିଛି ନମ୍ବର 1 ମୁଖ୍ୟମନ୍ତ୍ରୀ, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ପୁରସ୍କାର । କିନ୍ତୁ ଏବେ ସେ ଆଉ ଏକ ରେକର୍ଡ ଭାଙ୍ଗିବାକୁ ଯାଉଛନ୍ତି ।
ସିକିମର ମୁଖ୍ୟମନ୍ତ୍ରୀ ପବନ ସିଂ ଚାମଲିଂ ପରେ ସେ ଦ୍ଵିତୀୟ ସର୍ବାଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ହେବାର ଗୌବର ଅର୍ଜନ କରିବାକୁ ଯାଉଛନ୍ତି । ଚାମଲିଂ ସିକମ ଡେମୋକ୍ରେଟିକ ଫ୍ରଣ୍ଟ ପକ୍ଷରୁ 12 ଡିସେମ୍ବର 1994ରୁ 27 ମାର୍ଚ୍ଚ 2019 ପର୍ଯ୍ୟନ୍ତ ଲଗାତାର ଭାବେ ସିକିମର ମୁଖ୍ୟମନ୍ତ୍ରୀ ରହି ଆସିଥିଲେ । 24 ବର୍ଷ 16 ଦିନ ସେ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଇଛନ୍ତି । ସିପିଆଇ(ଏମ) ପକ୍ଷରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ 23 ବର୍ଷ 138 ଦିନ ଧରି ମୁଖ୍ୟମନ୍ତ୍ରୀ ରହିଥିଲେ ଜ୍ୟୋତି ବସୁ । ସେହିପରି ନବୀନ 22 ଜୁଲାଇ 2023ରେ ଜ୍ୟୋତିଙ୍କ ସମକକ୍ଷ ହୋଇଛନ୍ତି । 2024 ନିର୍ବାଚନରେ ନବୀନଙ୍କ ନେତୃତ୍ବାଧୀନ ବିଜେଡି ବିଜୟ ହୋଇ ସରକାର ଗଠନ କରେ ତେବେ ସର୍ବାଧିକ କାଳ ମୁଖ୍ୟମନ୍ତ୍ରୀ ହେବାର ଗୌରବ ଅର୍ଜନ କରିବେ ସେ ।