ମନ୍ତ୍ରୀ ଏବଂ ସଚିବଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ତାଗିଦ୍ ଭୁବନେଶ୍ବର: ଶିଶୁ ଓ ମହିଳାଙ୍କ ସର୍ବାଙ୍ଗୀନ ଉନ୍ନତୀ ପାଇଁ ଶିଶୁ ଓ ମହିଳା ଅନୁକୁଳ ଗ୍ରାମ ପଞ୍ଚାୟତ ଗଠନକୁ ନେଇ ଜାତୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଗୁରୁବାର KIIT ସମ୍ମିଳନୀ କକ୍ଷରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଏହି କର୍ମଶାଳା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଦେଶର ବିଭିନ୍ନ ପ୍ରାନ୍ତରୁ ସରପଞ୍ଚ, ବ୍ଲକ ଅଧ୍ୟକ୍ଷ, ଜିଲ୍ଲାପରିଷଦ ସଭ୍ୟଙ୍କ ପରି ପଞ୍ଚାୟତିରାଜର ପ୍ରାୟ ୧୫୦୦ ପ୍ରତିନିଧି ଏହି କର୍ମଶାଳାରେ ଯୋଗ ଦେଇଥିଲେ ।
ପଞ୍ଚାୟତସ୍ତରରୁ ବା ତୃଣମୂଳ ସ୍ତରରୁ କିଭଳି ଏକ ଶିଶୁ ଓ ମହିଳାର ବିକାଶ ହେବ ଓ ଏକ ସୁସ୍ଥ ସମାଜ ଗଠନ ହେବ ସେହି ଲକ୍ଷ୍ୟ ନେଇ ଏଭଳି କର୍ମଶାଳା ଆୟୋଜିତ ହୋଇଛି । ଯେଉଁଠି ପ୍ରତିନିଧିମାନଙ୍କୁ ଶିଶୁ ଓ ମହିଳାଙ୍କ ବିକାଶ ପାଇଁ ଉଦ୍ଦିଷ୍ଟ ଥିବା କେନ୍ଦ୍ର ଓ ରାଜ୍ୟର ବିଭିନ୍ନ ଯୋଜନା ସମ୍ବନ୍ଧରେ ଅବଗତ କରାଯାଇଛି ଓ ଏହାର ସଠିକ ପରିଚାଳନା ପାଇଁ ଉପଦେଶ ଦଆଯାଇଛି ।
ଶିଶୁଟିକୁ କିଭଳି ଜନ୍ମରୁ ପୋଷଣ ମିଳିବ, ସୁସ୍ଥ ଖାଦ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ ସେବା ମିଳିବ ଏବଂ ମହିଳାଟିଏ କିଭଳି ସ୍ୱାବଲମ୍ବୀ ହୋଇ ସ୍ୱାଭିମାନର ସହ ସମାଜରେ ରହିବ ସେନେଇ କର୍ମଶାଳାରେ ଆଲୋଚନା କରାଯାଇଥିଲା । ତେବେ ପ୍ରତିନିଧିଦଳ ଏହି କର୍ମଶାଳା ମାଧ୍ୟମରେ ଖାଲି ଯୋଜନା ବିଷୟରେ ଜାଣିବେ ନାହିଁ, ୩ ଦିନରୁ ଗୋଟେ ଦିନ କ୍ଷେତ୍ର ପରିଦର୍ଶନ ମଧ୍ୟ କରିବେ ବୋଲି ବିଭାଗୀୟ ସଚିବ କହିଛନ୍ତି ।
ଚଳିତ ଥର ପଞ୍ଚାୟତ ବିଭାଗ ପକ୍ଷରୁ ଶିକ୍ଷା, ସ୍ୱାସ୍ଥ୍ୟ ପ୍ରଯୁକ୍ତିବିଦ୍ୟା, ଉତ୍ତମ ପୋଷଣ ଯୋଗାଇବା କ୍ଷେତ୍ରରେ ଅର୍ଥାତ ମହିଳା ଓ ଶିଶୁଙ୍କ ସର୍ବାଙ୍ଗୀନ ଉନ୍ନତୀ ପାଇଁ ୯ଟି ଦିଗରେ ଧ୍ୟାନ ଦିଆଯାଉଥିବା ବେଳେ ମହିଳା ବନ୍ଧୁତ୍ୱପୂର୍ଣ୍ଣ ପଞ୍ଚାୟତ ଓ ଶିଶୁ ପଞ୍ଚାୟତ ବିଷୟରେ ଏହି କର୍ମଶାଳାରେ ପ୍ରଧାନ୍ୟ ଦିଆଯାଇଛି । ପଞ୍ଚାୟତସ୍ତରରେ ମହିଳା ଓ ଶିଶୁଙ୍କ ବିକାଶକୁ ନେଇ ସରକାରଙ୍କ ଯାହା ଯୋଜନା ବା ଲକ୍ଷ୍ୟ ରହିଛି ତାହାର ପ୍ରଚାର ପ୍ରସାର ସହ ଯୋଜନାର ସଫଳ ରୂପାୟନ ଏହି କର୍ମଶାଳା ମାଧ୍ୟମରେ ହୋଇପାରିବ ବୋଲି କହିଛନ୍ତି ରାଜ୍ୟ ପଞ୍ଚାୟତରାଜ ବିଭାଗ ସଚିବ ସୁଶୀଲ ଲୋହାନି ।
ତେବେ ଏହି ଜାତୀୟ କର୍ମଶାଳାରେ ମୁଖ୍ୟ ଅତିଥିଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ । ଏହାସହ କେନ୍ଦ୍ର ପଞ୍ଚାୟତ ରାଷ୍ଟ୍ରମନ୍ତ୍ରୀ କପିଲ ମୋରେଶ୍ୱର ପାଟିଲ, ରାଜ୍ୟ ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ଅମାତ, ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ରାଜ୍ୟ ପଞ୍ଚାୟତରାଜ ବିଭାଗ ସଚିବ ସୁଶୀଲ ଲୋହାନି, ଅତିରିକ୍ତ ସଚିବ ଚଦ୍ରଶେଖର କୁମାର, ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପତ୍ର, UNICEF ସଦସ୍ୟା ସିଂଥିଆ ପ୍ରମୁଖ ଯୋଗ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି, "ସ୍ବର୍ଗତ ବିଜୁ ପଟ୍ଟନାୟକ ୧୯୯୨ ମସିହାରେ ମହିଳାଙ୍କୁ ଅଗ୍ରାଧିକାର ଦେଇ ୩୦ ପ୍ରତିଶତ ସଂରକ୍ଷଣର ବ୍ୟବସ୍ତା କରିଥିଲେ । ଯେଉଁଥିରେ ଅନ୍ୟ କ୍ଷେତ୍ର ପରି ରାଜନୀତି କ୍ଷେତ୍ରରେ ମଧ୍ୟ ମହିଳାଙ୍କ ସହଭାଗିତା ବଢିଥିଲା । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୧ରେ ୫୦ ପ୍ରତିଶତ ମହିଳାଙ୍କ ସଂରକ୍ଷଣ କଥା କହିଥିବାବେଳେ ଚଳିତ ପଞ୍ଚାୟତ ନିର୍ବାଚନରେ ଏହାର ୬୦ ପ୍ରତିଶତରୁ ଊର୍ଦ୍ଧ୍ବ ମହିଳା ପ୍ରତିନିଧି ବିଭିନ୍ନ ଦିଗରେ ବିଜୟଲାଭ କରିଥିଲେ ।"
ଏହାସହ ମିଶନ ଶକ୍ତି ମାଧ୍ୟମରେ ମହିଳାଙ୍କ ଆତ୍ମନିର୍ଭରଶୀଳ ଓ ରୋଜଗାର କଥା କହିଥିଲେ ମନ୍ତ୍ରୀ ପ୍ରଦୀପ ଅମାତ । ଏହି ଅବସରରେ କେନ୍ଦ୍ର ପଞ୍ଚାୟତ ରାଷ୍ଟ୍ରମନ୍ତ୍ରୀ କପିଲ ମୋରେଶ୍ୱର ପାଟିଲ କହିଛନ୍ତି, "ପଞ୍ଚାୟତର ବିକାଶର ଚାବି ହେଉଛନ୍ତି ସରପଞ୍ଚ । ତେଣୁ ସେମାନେ ସମସ୍ତଙ୍କୁ ନେଇ ସଂକଳ୍ପ କରି ପ୍ରତିବନ୍ଧତାର ସହ କାର୍ଯ୍ୟକଲେ ପଞ୍ଚାୟତର ବିକାଶ ହେବ ।
ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ପବିତ୍ରଭୂମି ଉତ୍କଳରୁ ହିଁ ପ୍ରଜାତନ୍ତ୍ରର ଆରମ୍ଭ ହୋଇଥିଲା । ଏଠି କେହି ରାଜା ନଥିଲେ ପ୍ରଜା ବା ପଞ୍ଚାୟତ ବା ତୃଣମୂଳରୁରୁ ହିଁ ସମସ୍ତ କାର୍ଯ୍ୟର ବିକାଶ ହେଉଥିଲା । ତେଣୁ ଓଡିଶା ମାଟି ପଞ୍ଚାୟତରାଜ ସହ ଯୋଡି ହୋଇଛି । ମହିଳା ନେତୃତ୍ୱ ପୌରାଣିକ କାଳରୁ ଅଛି । ଯେଉଁଥିପାଇଁ ଆମେ ମା' ଲଷ୍ମୀଙ୍କୁ ପୂଜା କରନ୍ତି ଆଉ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ଭଉଣୀ ସୁଭଦ୍ରା ପୂଜା ପାଆନ୍ତି । ଏହି ମାଟିରେ ଅନେକ ମହିଳା ନିଜ ବ୍ୟକ୍ତିତ୍ୱର ପରାକାଷ୍ଠା ଦେଖାଇବା ବେଳେ ଓଡିଶା ମହିଳା ଆଜି ଦେଶ ସମ୍ଭାଳୁଛି ।"
ଅନ୍ୟପଟେ ରାଜ୍ୟସରକାର ବା ମୁଖ୍ୟମନ୍ତ୍ରୀଙ୍କୁ ପୁଣି ତେର୍ଛା ବାଣ ମାରିଛନ୍ତି ଧର୍ମେନ୍ଦ୍ର । ମଞ୍ଚ ଉପରେ ସଭା ଭିତରେ ମନ୍ତ୍ରୀ ଏବଂ ସଚିବଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ତାଗିଦ୍ କରିଛନ୍ତି । କହିଛନ୍ତି, "ପଞ୍ଚଦଶ କମିଶନରେ ଓଡିଶାକୁ ୮ ହଜାର ୫୦୦ କୋଟି ଆସିଛି । ପଞ୍ଚାୟତିରାଜ ବ୍ୟବସ୍ଥାକୁ ସାମ୍ବିଧାନିକ ଅଧିକାର ଦିଆଯାଇଛି । ଦିଲ୍ଳୀରୁ ସିଧା ଅର୍ଥ ପଞ୍ଚାୟତକୁ ଯାଉଛି । ହେଲେ କନଭରଜେନ୍ସ ନାଁରେ ପୁଣି ଦିଲ୍ଳୀ ପଳାଉଛି । କନଭରଜେନ୍ସ ନାଁରେ ରାଜ୍ୟ ସରକାର ଟଙ୍କା ଉଠାଇ ଦେଉଛନ୍ତି । ହେଲେ ଏହା ଉଚିତ୍ ନୁହେଁ । ଓଡ଼ିଶାରେ ରାଜସ୍ଵର ଅଭାବ ନାହିଁ । ସରପଞ୍ଚ, ଜିଲ୍ଳା ପରିଷଦ, ଅଧ୍ୟକ୍ଷଙ୍କ ପାଣ୍ଠିରେ ରାଜ୍ୟ ସରକାର ହାତ ନମାରିଲେ ଭଲ । ନାଚ ଗୀତରେ ୩୦୦୦ କୋଟି ଖର୍ଚ୍ଚ କରିଦେଲେ । ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ଏଥି ପ୍ରତି ଦୃଷ୍ଟି ଦିଅନ୍ତୁ ।"
ସିଧାସଳଖ କମିଶନ ଦେଉଥିବା ବ୍ଲକ ଅଧ୍ୟକ୍ଷ, ସରପଞ୍ଚ, ଜିଲ୍ଲା ପରିଷଦଙ୍କ ଏହି ପାଣ୍ଠିରେ ସରକାର ହାତ ନମାରନ୍ତୁ ବୋଲି ରାଜ୍ୟସରକାରଙ୍କ ସମାଲୋଚନା କରି କହିଛନ୍ତି ଧର୍ମେନ୍ଦ୍ର । ସେପଟେ ଧର୍ମେନ୍ଦ୍ରଙ୍କ ଅଭିଯୋଗର ଉତ୍ତର ରଖିଛନ୍ତି ରାଜ୍ୟ ପଞ୍ଚୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ ।
ସେ କହିଛନ୍ତି, "ଧର୍ମେନ୍ଦ୍ରଙ୍କ ଅଭିଯୋଗ ଠିକ୍ ନୁହେଁ । ପଞ୍ଚାୟତକୁ ଆସୁଥବା ଅର୍ଥ ସମ୍ପୂର୍ଣ୍ଣ ସଠିକ୍ ବିନିଯୋଗ ହେଉଛି । ଟଙ୍କା କେବେ ଫେରେନାହିଁ । ଆଉ ଅର୍ଥ ଏପଟ ସେପଟ ଖର୍ଚ୍ଚ ହେବାର ନଜିର ନାହିଁ । ବ୍ୟବସ୍ଥିତ ଢଙ୍ଗରେ ଅର୍ଥ କାର୍ଯ୍ୟକାରୀ ହେଉଛି ଆମେ କୌଣସି ବେଆଇନ କାମ କରୁନୁ ।"
ଇଟିଭି ଭାରତ, ଭୁବନେଶ୍ବର