ଓଡିଶା

odisha

ନନ୍ଦନକାନନରେ ଅଘଟଣ, ରୋପୱେ ଟ୍ରାନ୍ସଫର୍ମର ମିଟର ଫାଟି ୩ ଗୁରୁତର

By

Published : Jun 14, 2023, 8:24 AM IST

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଅଘଟଣ । ଆରମ୍ଭ ହେବାକୁ ଯାଉଥିବା ରୋପୱେ’ର ଟ୍ରାନ୍ସଫର୍ମର ମିଟର ଫାଟି ୩ ଜଣ ଗୁରୁତର ହୋଇଛନ୍ତି । ଅଧିକ ପଢନ୍ତୁ

nandankanan ropeway transformer
nandankanan ropeway transformer

ଭୁବନେଶ୍ବର: ରଜ ପୂର୍ବରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଅଘଟଣ । ନନ୍ଦନକାନନ ପ୍ରାଣୀଉଦ୍ୟାନରେ ନୂତନ ଭାବେ ନିର୍ମିତ ହେଉଥିବା ରୋପୱେ ନିକଟରେ ଘଟିଛି ଅଘଟଣ । ରୋପୱେ ସ୍ଥଳରେ ଥିବା ନବ ନିର୍ମିତ ବିଦ୍ୟୁତ ଟ୍ରାନ୍ସଫର୍ମର ମିଟର ୟୁନିଟ ଫାଟିବାରୁ 3 ଗୁରୁତର ହୋଇଛନ୍ତି । ତେବେ ଗୁରୁତର ୩ ଜଣଙ୍କୁ ପ୍ରଥମେ ସ୍ଥାନୀୟ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା । ପରବର୍ତ୍ତୀ ସମୟରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଅନ୍ୟ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

ତେବେ ଗୁରୁତର ମାନଙ୍କ ମଧ୍ୟରେ ରହିଛନ୍ତି ଜଣେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଅବସରପ୍ରାପ୍ତ ବିଦ୍ୟୁତ୍ କର୍ମଚାରୀ ଶିବରାମ ସାହୁ ହୋଇଥିବା ବେଳେ ବାକି ୨ ଜଣ ପଶ୍ଚିମବଙ୍ଗର ରୋପୱେର କର୍ମଚାରୀ ସୋମୁ ବାନାର୍ଜୀ ଓ ସୌମ୍ୟ ବାନାର୍ଜୀ । ଏହି ଘଟଣାକୁ ନେଇ ନନ୍ଦନକାନନ କର୍ତ୍ତୃପକ୍ଷନଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରକାର ପ୍ରତିକ୍ରିୟା ମିଳିପାରିନାହିଁ ।

ସୂଚନା ଅନୁଯାୟୀ, ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ନୂଆ କରି ଆରମ୍ଭ କରାଯାଇଥିବା ରୋପୱେ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି । ଏଥିରେ ୧୨ଟି କ୍ୟାବିନ ଲାଗିଛି । ନନ୍ଦନକାନନ ପ୍ରାଣୀ ଉଦ୍ୟାନ ମଧ୍ୟରେ ଥିବା କାଞ୍ଜିଆ ହ୍ରଦ ଉପରେ କରାଯାଉଥିବା ରୋପ ୱେ ୧୩ କୋଟି ଟଙ୍କା ବ୍ୟୟରେ କରାଯାଉଛି । ପ୍ରତି କ୍ୟାବିନରେ ୬ ଜଣ ପର୍ଯ୍ୟଟକ ବସି ବୁଲି ପାରିବେ । ୧୨ଟି କ୍ୟାବିନରେ ୭୨ ଜଣ ପର୍ଯ୍ୟଟକ ଯାଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ରାଜ୍ୟ ଉଦ୍ଭିଦ ଉଦ୍ୟାନର ପ୍ରାକୃତିକ ଭରା ଜଙ୍ଗଲ ପରିବେଶ ବୁଲି ପାରିବେ । ଏହା ସହିତ କାଞ୍ଜିଆ ହ୍ରଦର ମନୋରମା ଦୃଶ୍ୟ ଦେଖିପାରିବେ ପର୍ଯ୍ୟଟକ ।

ଏପଟେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆହୁରି ସମ୍ପ୍ରସାରଣ କରିବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି । ଚିଡ଼ିଆଖାନା ସହ ଆଉ ୧୫ଶହ ଏକର ଜଙ୍ଗଲ ଜମି ମିଶାଯିବ । କୃଷ୍ଣନଗର ଓ ଚୂଡ଼ଙ୍ଗଗଡ଼ରୁ ଏହି ଜମି ନନ୍ଦନକାନନ ଜଙ୍ଗଲରେ ମିଶାଇବା ପରେ ଏହାକୁ ବିଶ୍ଵସ୍ତରୀୟ ଚିଡ଼ିଆଖାନା କରାଯିବ । ସେହିଭଳି କିଆଖଣି ଓ କା‌ଞ୍ଜିଆ ହ୍ରଦର ସୁରକ୍ଷା ଲାଗି ବ୍ୟାପକ ପଦକ୍ଷେପ ନିଆଯିବ । ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ବିଶ୍ଵସ୍ତରୀୟ କରାଯିବା ସହ ଏଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ରୋପ-ୱେ କାର୍ଯ୍ୟକ୍ଷମ କରାଯିବା ଓ ବୋଟିଂ ଭଳି ଅନ୍ୟାନ୍ୟ ସୁବିଧା ସୁଯୋଗର ବ୍ୟବସ୍ଥା କରାଯିବ । ପ୍ରାଥମିକ ପର୍ଯ୍ୟାୟରେ ନନ୍ଦନକାନନ ସ୍ଥିତ କାଞ୍ଜିଆ ହ୍ରଦର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details