ଭୁବନେଶ୍ବର:ନାବାର୍ଡ ଓଡ଼ିଶାର ବିକାଶ ସହ ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଛି । ସଂପ୍ରତି ଜଳବାୟୁ ପରିବର୍ତ୍ତନ ଆମ ସମସ୍ତଙ୍କ ପାଇଁ ଆହ୍ୱାନ ହୋଇଛି । ରାଜ୍ୟ ସରକାର ଭିତ୍ତିଭୂମି ସୁଦୃଢ଼ୀକରଣରୁ ଆରମ୍ଭ କରି ଜୀବିକା ନିର୍ବାହ କାର୍ଯ୍ୟକ୍ରମ ଆଦି ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଏଥିପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି । ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ନାବାର୍ଡ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ସହାୟତା ପ୍ରଦାନ କରାଯାଉଛି । ଏହା ଜାରି ରଖିବାକୁ ନାବାର୍ଡର ୪୨ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ନାବାର୍ଡ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି ।
ଭୁବନେଶ୍ୱରରେ ନାବାର୍ଡର ୪୨ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଛି । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି ଯେ, ବୈଷୟିକ ଜ୍ଞାନ କୌଶଳ ବୃଦ୍ଧି ପାଇବା ସଙ୍ଗେସଙ୍ଗେ ଜୀବନଯାପନର ଧାରା ବଦଳିଛି । ରାଜ୍ୟରେ ଜଳସେଚନ କ୍ଷମତା ବୃଦ୍ଧି, ଫସଲ ବିବିଧିକରଣ, ଫସଲ ଅମଳ ପରବର୍ତ୍ତୀ ସଂରକ୍ଷଣ ବ୍ୟବସ୍ଥା ଆଦି କ୍ଷେତ୍ରରେ ସହଯୋଗ ଜାରି ରଖିବାକୁ ନାବାର୍ଡ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି । ନାବାର୍ଡ ଆଞ୍ଚଳିକ କାର୍ଯ୍ୟାଳୟ, ଭୁବନେଶ୍ୱର ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ମିଶନ ଶକ୍ତି ବିଭାଗ କମିଶନର ତଥା ଶାସନ ସଚିବ ସୁଜାତା ଆର. କାର୍ତ୍ତିକେୟନ, ଭାରତୀୟ ରିଜର୍ଭ ବ୍ୟାଙ୍କ ଭୁବନେଶ୍ୱର ଆଞ୍ଚଳିକ ନିର୍ଦ୍ଦେଶକ ଡ. ଶାରଦା ପ୍ରାସାଦ ମହାନ୍ତି, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ଭୁବନେଶ୍ୱରର ମୁଖ୍ୟ ପରିଚାଳକ ଚନ୍ଦ୍ରଶେଖର ଶର୍ମା, ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର ଆବାହକ ଗୌତମ ପାତ୍ର ପ୍ରମୁଖ ବକ୍ତବ୍ୟ ରଖିଛନ୍ତି ।
ଉନ୍ନୟନ କମିଶନର ଅନୁ ଗର୍ଗ କହିଛନ୍ତି ଯେ, ନାବାର୍ଡ ସହାୟତାରେ ଗ୍ରାମୀଣ ଭିତ୍ତିଭୂମି ଉନ୍ନୟନ ପାଣ୍ଠି ଉପଯୋଗ କରି ଜଳ ସଂପଦ ବିଭାଗ ରାଜ୍ୟରେ ବନ୍ୟା ନିୟନ୍ତ୍ରଣ, ଜଳସେଚନ ଓ ସେତୁ ନିର୍ମାଣ ଆଦି କାର୍ଯ୍ୟ କରିଆସୁଛି । ଭୌଗୋଳିକ ସୀମା ଆଧାରରେ ବିଭିନ୍ନ କ୍ଷେତ୍ରରେ ଅଦ୍ୟାବଧି ପହଞ୍ଚି ପାରିନଥିବା କ୍ଷେତ୍ର, ବିକାଶରେ ସାମିଲ କରାଯାଇ ପାରିନଥିବା ବିଭିନ୍ନ ଗୋଷ୍ଠୀଙ୍କୁ ଅଧିକରୁ ଅଧିକ ଅନ୍ତର୍ଭୁକ୍ତି ଏବଂ ନାବାର୍ଡ ଦ୍ୱାରା ହିତାଧିକାରୀମାନେ କିପରି ଅଧିକ ସହଜରେ ଶୀଘ୍ର ସହାୟତା ପାଇବା ସଙ୍ଗେ ସଙ୍ଗେ ଉପକୃତ ହେବେ, ସେ ସଂପର୍କରେ ସେ ପରାମର୍ଶ ଦେଇଛନ୍ତି । ମିଶନ ଶକ୍ତି ବିଭାଗ କମିଶନର ତଥା ଶାସନ ସଚିବ ସୁଜାତା କାର୍ତ୍ତିକେୟନ ନାବାର୍ଡ ଦ୍ୱାରା କିପରି ମିଶନ ଶକ୍ତି ମହିଳାମାନେ ଉପକୃତ ହେଉଛନ୍ତି, ସେନେଇ ବିସ୍ତୃତ ଆଲୋକପାତ କରିଛନ୍ତି ।