ନିଆରା ଢଙ୍ଗରେ ଆକ୍ଷୟ ତୃତୀୟା ପାଳିଲା ନବନିର୍ମାଣ କୃଷକ ସଙ୍ଗଠନ ଖୋର୍ଦ୍ଧା : ପବିତ୍ର ଅକ୍ଷୟ ତୃତୀୟାରୁ ସବୁ କାର୍ଯ୍ୟର ହୋଇଥାଏ ଶୁଭ ଅନୁକୂଳ । ଚଷା ପୁଅ ସକାଳୁ ଗାଧୋଇ ନୂଆ ଗଉଣୀରେ ଧାନ ବିହନ ସହ ହଳ ଲଙ୍ଗଳ ଧରି କ୍ଷେତକୁ ଯାଇ ବର୍ଷକର ଭଲ ଫସଲ ପାଇଁ ଅଖିମୁଠି ଅନୁକୂଳ କରିଥାଏ । ଚାଷୀ ଆଜି ଦିନରେ ବିଲରେ ନୂଆ ବିହନ ଆଣି ଚାଷ କାମ ଆରମ୍ଭ କରିଥାଏ । ଏହାସହ ଅକ୍ଷୟ ତୃତୀୟାରୁ ମହାପ୍ରଭୁଙ୍କ ଜଗନ୍ନାଥଙ୍କ ରଥ କାର୍ଯ୍ୟ ଆରମ୍ଭ ହୋଇଥାଏ । ଏପରି ମାନ୍ୟତା ରହିଛି ଆଜି ଠାରୁ ଯେଉଁ ବି କାର୍ଯ୍ୟର ଆରମ୍ଭ କରିବ ସେହି କାର୍ଯ୍ୟ ଅତ୍ୟନ୍ତ ଲାଭଦାୟୀ ରହିବ ।
ସେହିଭଳି ଆଜି ଏହି ଦିନକୁ ନିଆରା ଭାବରେ ପାଳନ କରିଛନ୍ତି ନବନିର୍ମାଣ କୁଷକ ସଂଗଠନର କର୍ମକର୍ତ୍ତା । ଆଜି ସକାଳୁ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ସତ୍ତ୍ବେ ନବନିର୍ମାଣ କୃଷକ ସଂଗଠନର ଶତାଧିକ ପୁରୁଷ ଓ ମହିଳା ଚାଷୀମାନେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଗୌଡ଼ନୂଆ ଗାଁରେ କ୍ଷେତକୁ ହଳ ବଳଦ ନେଇ ଅଖି ମୁଠି ଅନୁକୂଳ କରିଛନ୍ତି ।
ଏହି ଅବସରରେ ନବନିର୍ମାଣ କୃଷକ ସଂଗଠନର ଖୋର୍ଦ୍ଧା ଜିଲା ସଂଯୋଜକ ସୁରେଶ ମାନସିଂହ କହିଛନ୍ତି, "ସରକାର ସବୁବେଳେ ଚାଷୀଙ୍କୁ ପ୍ରତାରଣା କରିଛନ୍ତି ତେଣୁ ଏଥର ଚାଷୀ ସରକାର ହେବ । ଏହି ନାରାରେ ଆଜି ଠାରୁ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଏବଂ ଶେଷଦେବ ନନ୍ଦ ପୁରୀରୁ ପଦଯାତ୍ରା ଆରମ୍ଭ କରିଛନ୍ତି । ଏହି ଯାତ୍ରା ଗାଁ ଗାଁରେ ପହଞ୍ଚାଇବା ପାଇଁ ନବନିର୍ମାଣ କୃଷକ ସଂଗଠନ କାର୍ଯ୍ୟକ୍ରମ ଆରମ୍ଭ କରିଛି । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ଚାଷୀକୁଳ ସେମାନଙ୍କର ହକ ପାଉନାହାନ୍ତି । ତେଣୁ ଏଥର ଚାଷୀଙ୍କ ସରକାର ଓଡ଼ିଶାରେ ଗଠନ ହେବ । ଅଖିମୁଠି ଅନୁକୂଳ କରିବା ପରେ ଲୋକ ସମ୍ପର୍କ ଯାତ୍ରା ଆରମ୍ଭ କଲା ସଙ୍ଗଠନ । ଚାଷୀ ସରକାର ଦାବିରେ ଗାଁ ଗାଁ ବୁଲି ସଚେତନ କାର୍ଯ୍ୟକ୍ରମ କରିବ କୃଷକ ସଙ୍ଗଠନ ।"
ସେହିପରି ବୋଲଗଡ଼ ବ୍ଲକ ସଂଯୋଜକ କହିଛନ୍ତି, "ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅନ୍ୟମାନଙ୍କୁ ଭୋଟ ଦେଇ ଜିତାଇ ଆସିଛୁ କିନ୍ତୁ ଏବେ ଆମେ ନିଜେ ନିଜ ହକ ପାଇଁ ଲଢେଇ କରିବୁ । ସେହିଭଳି ଆଗାମୀ ଦିନରେ ସରକାର କିପରି ଚାଷୀଙ୍କ କଥା ଶୁଣିବା ସହ ସେମାନଙ୍କର ସମସ୍ୟାର ସମାଧାନ କରିବେ ତା ଉପରେ ଦୃଷ୍ଟି ଦେବ ସେନେଇ ଆମ ଦାବି ରହିଛି ।"
ଇଟିଭି ଭାରତ, ଖୋର୍ଦ୍ଧା