ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ରକ୍ତ ସଂକ୍ରମଣ ରୋଗୀଙ୍କ ସଂଖ୍ୟା ବଢିଚାଲିଛି । ଅଧିକାଂଶ ସଂକ୍ରମଣ ଗ୍ରାମାଞ୍ଚଳରେ ଦେଖାଯାଉଥିବା ବେଳେ ବର୍ତ୍ତମାନ ୨୦ରୁ ୩୦ ପ୍ରତିଶତ ରକ୍ତ ସଂକ୍ରମଣ ରୋଗୀ ସହରାଞ୍ଚଳରେ ଦେଖିବାକୁ ମିଳୁଛି । ଏହି ରକ୍ତ ଜନିତ ସଂକ୍ରମଣରୁ ସୁରକ୍ଷା ଦେବା ଲାଗି ସମସ୍ତ ଜିଲ୍ଲା ବ୍ଲଡ ବ୍ୟାଙ୍କରେ ନ୍ୟୁକ୍ଲିକ ଏସିଡ ପରୀକ୍ଷଣ (ନାଟ୍) ପଦ୍ଧତିରେ ରକ୍ତ ନମୁନାର ପରୀକ୍ଷା କରାଯିବ । ଏଥିପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରାୟ ୧୭୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ବିଶ୍ବର ୨୭ଟି ଦେଶରେ ନାଟ ପଦ୍ଧତି କାର୍ଯ୍ୟକାରୀ ହେଉଛି, ଏବେ ରାଜ୍ୟ ସରକାର ଉକ୍ତ ବ୍ୟବସ୍ଥାକୁ ସମସ୍ତ ଜିଲ୍ଲାରେ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ରକ୍ତ ନମୁନାରେ ଏଚ୍.ଆଇ.ଭି ୧ ଏବଂ ୨, ହେପାଟାଇଟିସ-ବି ଏବଂ ସି ପରି ସଂକ୍ରମଣ ରୋଗର ସଠିକ ନିରୂପଣ ଲାଗି ରୋଗୀଙ୍କର ନାଟ୍ ପଦ୍ଧତି ଜରିଆରେ ରକ୍ତ ନମୁନା ପରୀକ୍ଷଣ କରାଯାଏ । ବିଭାଗୀୟ ତଥ୍ୟ ଅନୁଯାୟୀ, ପୂର୍ବରୁ ରାଜ୍ୟରେ ୫ଟି ବ୍ଲଡ ବ୍ୟାଙ୍କରେ ନାଟ୍ ପଦ୍ଧତି କାର୍ଯ୍ୟକାରୀ କରାଯାଇଥିବା ବେଳେ ବର୍ତ୍ତମାନ ୧୧ଟି ବ୍ଲଡ୍ ବ୍ୟାଙ୍କରେ ଏହି ପଦ୍ଧତିରେ ରକ୍ତ ନମୁନାର ପରୀକ୍ଷଣ କରାଯାଉଛି । ତେବେ ଖୁବଶୀଘ୍ର ଆଉ ୪୪ଟି ବ୍ଲଡ ବ୍ୟାଙ୍କରେ କାର୍ଯ୍ୟକାରୀ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡିଛି । ବିଶେଷ ଭାବରେ ନାଟ୍ ପଦ୍ଧତି ୨ ପ୍ରକାର ହୋଇଥିବା ବେଳେ ପୂର୍ବରୁ ରାଜ୍ୟରେ ଏମ୍ପି-ନାଟ୍ରେ ରକ୍ତ ପରୀକ୍ଷଣ କରାଯାଉଥିଲା । ବର୍ତ୍ତମାନ ଆଇଡି-ନାଟ୍ରେ ରକ୍ତ ପରୀକ୍ଷଣ କରାଯିବ । ଏନେଇ ସ୍ବାସ୍ଥ୍ୟ ବିଭାଗ ଏକ ଘରୋଇ ସଂସ୍ଥା ସହ ଚୁକ୍ତି ସ୍ବାକ୍ଷର କରିଛି ।