ଭୁବନେଶ୍ବର: ପାଖେଇ ଆସୁଛି ସାଧାରଣ ନିର୍ବାଚନ । ଏହା ପୂର୍ବରୁ ତୃଣମୂଳ ସ୍ତରରେ ସଂଗଠନକୁ ସୁଦୃଢ କରିବାରେ ଲାଗିପଡିଛି ବିଜେଡି । ଅସନ୍ତୁଷ୍ଟ ନେତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ମାନସ ମନ୍ଥନ ଚାଲିଛି । ଏହାରି ମଧ୍ୟରେ ଦକ୍ଷିଣ ଓଡ଼ିଶା ତଥା ରାୟଗଡାର ପ୍ରଭାବଶାଳୀ ନେତା ଏନ ଭାସ୍କର ରାଓ ଦଳୀୟ ସଂଗଠନକୁ ଫେରିଛନ୍ତି । ପୂର୍ବତନ ରାଜ୍ୟସଭା ସାଂସଦଙ୍କୁ ପୁଣିଥରେ ବିଜେଡି ନିଜର ସଂଗଠନରେ ଗୁରୁତ୍ୱ ଦେଇଛି । ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଭାସ୍କରଙ୍କୁ ସଂଗଠନକୁ ଫେରାଇ ଆଣି ଦଳର ଉପସଭାପତି ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି 5 ଜଣ ନେତାଙ୍କୁ ଦଳର ରାଜ୍ୟ ସାଧାରଣ ସମ୍ପାଦକ ଓ ରାଜ୍ୟ ସମ୍ପାଦକ ପଦବୀରେ ଥଇଥାନ କରାଯାଇଛି ।
2020 ଜୁଲାଇରେ ଦଳର କର୍ମକର୍ତ୍ତା କମିଟି ପୁନର୍ଗଠନରେ ଭାସ୍କର ସଂଗଠନରୁ ବାଦ୍ ପଡ଼ିଥିଲେ । ବିଜେଡି ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଏନ.ଭାସ୍କର ରାଓଙ୍କୁ ଦଳର ଉପସଭାପତି ଦାୟିତ୍ୱ ମିଳିଛି । କୋରାପୁଟର ପୂର୍ବତନ ଜିଲ୍ଲା ବିଜେଡି ସଭାପତି ତଥା ନବରଙ୍ଗପୁର ଜିଲ୍ଲାର ପର୍ଯ୍ୟବେକ୍ଷକ ଥିବା ଇଶ୍ୱର ପାଣିଗ୍ରାହୀଙ୍କୁ ଦଳର ରାଜ୍ୟ ସାଧାରଣ ସମ୍ପାଦକ କରାଯାଇଛି । ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ବିଜେଡିରେ ସାମିଲ ହୋଇଥିବା କଂଗ୍ରେସ ନେତା ମହେନ୍ଦ୍ର ନାଏକ ଓ ବିଜେପି ନେତା ମଙ୍ଗଳ ସାହୁଙ୍କୁ ରାଜ୍ୟ ସମ୍ପାଦକ ପଦ ମିଳିଛି । ଝାରସୁଗୁଡ଼ା ଉପନିର୍ବାଚନ ବେଳେ ବିଜେପି ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଇଥିଲେ ମଙ୍ଗଳ ସାହୁ । 2019 ନିର୍ବାଚନରେ କଂଗ୍ରେସର ବିଧାୟକ ପ୍ରାର୍ଥୀ ହୋଇଥିଲେ ଆଦିବାସୀ ନେତା ମହେନ୍ଦ୍ର ନାଏକ । ବୌଦ୍ଧ ଜିଲ୍ଲାରୁ ପ୍ରତିନିଧିତ୍ଵ କରୁଥିବା ସୁଧୀର ମହାକୁଡ଼ ଓ କଳାହାଣ୍ଡି ଜିଲ୍ଲାର ନେତା ବାବୁଲି ମଣ୍ଡଳଙ୍କୁ ରାଜ୍ୟ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି ।