ଭୁବନେଶ୍ବର: କୁନ୍ଦୁଲି ପୀଡିତାର ଆତ୍ମହତ୍ୟା ଏବେବି ରହସ୍ୟ ଘେରରେ । ଏହି ରହସ୍ୟ ଉପରୁ ପରଦା ହଟାଇବାକୁ ଅଧିକ ତଦନ୍ତ ଆବଶ୍ୟକ ବୋଲି ରିପୋର୍ଟରେ ଦର୍ଶାଯାଇଛି । କୁନ୍ଦୁଲି ହାଟରେ ଥିବା ପୀଡ଼ିତାର ପ୍ରତିମୂର୍ତ୍ତି ହଟାଇବାକୁ ମଧ୍ୟ ତଦନ୍ତକାରୀ ସଂସ୍ଥା ନିର୍ଦ୍ଦେଶ ଦେଇଛନ୍ତି । କମିଶନଙ୍କ ସୁପାରିସକୁ ରାଜ୍ୟ ସରକାର ଅଗ୍ରାହ୍ୟ କରିଛନ୍ତି । ଯାହାକୁ ନେଇ ସରକାରଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି ବିରୋଧୀ ।
ଅନ୍ୟପଟେ କମିଶନଙ୍କ ରିପୋର୍ଟକୁ ନେଇ ମୁହଁ ଖୋଲିଲେ କୁନ୍ଦୁଲି ପୀଡିତାଙ୍କ ପରିବାର । ପୀଡ଼ିତାଙ୍କ ଖୁଡ଼ି କହିଛନ୍ତି, ଏହି ରିପୋର୍ଟ ସଠିକ ନୁହେଁ । ତଦନ୍ତ ଠିକ୍ ଭାବେ ହୋଇନାହିଁ । କୌଣସି ଅଧିକାରୀ ଆମ ଘରକୁ ଆସିନାହାଁନ୍ତି କିମ୍ବା ଆମ ମତାମତ ମଧ୍ୟ ନେଇନାହାଁନ୍ତି । ଏହାର ସାନି ତଦନ୍ତ ହେବା ସହିତ ସିବିଆଇ ଦ୍ବାରା ଉଚ୍ଚସ୍ତରୀୟ ତଦନ୍ତ ହେଲେ ଘଟଣା ଲୋକଲୋଚନକୁ ଆସି ପାରିବ ବୋଲି କହିଛନ୍ତି ପୀଡିତାଙ୍କ ଖୁଡି । କୋବ୍ରା ଯବାନ ହିଁ ଦୁଷ୍କର୍ମ କରିଛି ବୋଲି ଝିଅ ଆମକୁ କହିଛି । ସେହିପରି ପୀଡ଼ିତାଙ୍କ ପ୍ରତିମୂର୍ତ୍ତି ହଟାଯିବାକୁ ନେଇ ବିରୋଧ କରିଛନ୍ତି ପରିବାର ଲୋକେ । ଯେ ପର୍ଯ୍ୟନ୍ତ ଆମକୁ ନ୍ୟାୟ ନମିଳିଛି, ସେପର୍ଯ୍ୟନ୍ତ ମୂର୍ତ୍ତି ହଟାଯିବ ନାହିଁ ବୋଲି କହିଛନ୍ତି ପୀଡିତାଙ୍କ ଖୁଡି ।