କଟକ: ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ସ୍ବରୂପ ନାୟକଙ୍କ ପରଲୋକ । ଦୀର୍ଘ ଦିନ ଧରି ଗଳା କର୍କଟ ରୋଗରେ ପୀଡ଼ିତ ଥିଲେ ସଙ୍ଗୀତ ନିର୍ଦ୍ଦେଶକ ସ୍ବରୂପ ନାୟକ । ଅସୁସ୍ଥତା କାରଣରୁ ଗତ କିଛି ଦିନ ତଳେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେ ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା । ତାଙ୍କ ବିୟୋଗରେ ପରିବାର ଏବଂ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିୟାଇଛି । ସ୍ବରୂପ ନାୟକଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନେକ ଓଲିଉଡ ସେଲିବ୍ରିଟି ଶୋକପ୍ରକାଶ କରିଛନ୍ତି । ଆସନ୍ତାକାଲି(ଶନିବାର) କଟକର ସତୀ ଚଉରା ଶ୍ମଶାନରେ ସ୍ବରୂପ ନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ ।
ସ୍ବରୂପଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ: ଏକ୍ସରେ ମୁଖ୍ୟମନ୍ତ୍ରୀ ସ୍ବରୂପ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଲେଖିଛନ୍ତି, 'ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗୀତିକାର ସ୍ୱରୂପ ନାୟକଙ୍କ ଦେହାନ୍ତ ବିଷୟରେ ଜାଣି ଦୁଃଖିତ । ତାଙ୍କ ନିଆରା ସଙ୍ଗୀତ ରଚନା ସର୍ବଦା ଶ୍ରୋତାଙ୍କ ହୃଦୟରେ ସ୍ଵତନ୍ତ୍ର ହୋଇ ରହିବ । ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ସମୃଦ୍ଧ କରିବାରେ ବହୁମୂଲ୍ୟ ଯୋଗଦାନ ପାଇଁ ସେ ଚିରସ୍ମରଣୀୟ ରହିବେ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଉଛି ।''
ସ୍ବରୂପଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀଙ୍କ ଶୋକ:ଏକ୍ସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ବରୂପ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଲେଖିଛନ୍ତି, 'ଓଡ଼ିଶାର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ, ଗୀତିକାର ତଥା ଅଭିନେତା ସ୍ୱରୂପ ନାୟକଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ସଙ୍ଗୀତ ନିର୍ଦ୍ଦେଶନାରେ ସେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଥିଲେ । ବିଶେଷ ଭାବରେ ଓଡ଼ିଆ ଚଳଚ୍ଚିତ୍ର ଓ ସଙ୍ଗୀତ ଜଗତକୁ ତାଙ୍କର ଅବଦାନ ଅନେକ । ତାଙ୍କ ବିୟୋଗରେ ଓଡ଼ିଶା ଜଣେ ଉଜ୍ଜ୍ୱଳ ପ୍ରତିଭାଙ୍କୁ ହରାଇଲା । ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି।'
କଟକ ସ୍ଥିତ ତାଙ୍କ ବାସଭବନରେ ତାଙ୍କ ଶେଷ ଦର୍ଶନ ପାଇଁ ପହଞ୍ଚିଛନ୍ତି ଓଲିଉଡ ସେଲିବ୍ରିଟି । ସ୍ବରୂପ ନାୟକଙ୍କ ବିୟୋଗରେ ଦୁଃଖ ପ୍ରକାଶ କରି ଓଲିଉଡ ଅଭିନେତା ଶ୍ରୀତମ ଦାସକହିଛନ୍ତି, ଏହା ସମସ୍ତ ଓଡ଼ିଶାବାସୀଙ୍କ ପାଇଁ ଅତ୍ୟନ୍ତ ଦୁଃଖଦ ଘଟଣା । ଏହା ଓଡ଼ିଆ ଇଣ୍ଡଷ୍ଟ୍ରି ପାଇଁ ଏକ ଅପୂରଣୀୟ କ୍ଷତି । ସ୍ବରୂପ ନାୟକଙ୍କ ଶେଷକୃତ୍ୟ କଟକ ସ୍ଥିତ ସତୀ ଚଉରା ଶ୍ମଶାନରେ ସମ୍ପନ୍ନ କରାଯିବ ବୋଲି ସୂଚନା ଦେଇଛନ୍ତି । ସେହିପରି ପ୍ରଯୋଜକ ବାପୁ ଲେଙ୍କା ଶୋକପ୍ରକାଶ କରି କହିଛନ୍ତି, 'ଆଜି ଆମେ ଗୋଟେ ହୀରାକୁ ହଜାଇଦେଇଛୁ।'