ଭୁବନେଶ୍ବର:ମୁମ୍ବାଇରେ ଠକୁଥିଲେ ଓଡ଼ିଶା ଲୁଚିଥିଲେ । ଏହି ୨ ଜଣ ଠକଙ୍କୁ ଭୁବନେଶ୍ୱରରୁ ଗିରଫ କଲା ମୁମ୍ବାଇ ପୋଲିସ । ଶହୀଦନଗର ଅଞ୍ଚଳରୁ ଦୁଇ ଜଣଙ୍କୁ ରାତି ଅଧିଆ ଉଠାଇ ନେଇଛି ପୋଲିସ । ମହାରାଷ୍ଟ୍ରରେ ବଡ଼ ଧରଣର ଠକେଇ କରି ଓଡ଼ିଶାରେ ଲୁଚିଥିଲେ ଠକ । ଦୁହିଁଙ୍କ ନାଁ ରାଜେନ୍ଦ୍ର ମଲ୍ଲିକ ଓ ସଚିନ ଦିଗଲ ହୋଇଥିବାବେଳେ ସେମାନେ ଓଡିଶାର ବାସିନ୍ଦା ବୋଲି ଜଣାପଡିଛି ।
ଗୁରୁବାର ବିଳମ୍ବିତ ରାତିରେ ଭୁବନେଶ୍ୱରେ ପହଞ୍ଚିଥିଲା ମୁମ୍ବାଇ ପୋଲିସ । ମହାରାଷ୍ଟ୍ରରେ ଠକେଇ ମାମଲାରେ ସମ୍ପୃକ୍ତ ଥିବା ୨ ଠକ ଶହୀଦନଗରରେ ଥିବାର ଖବର ପାଇ ରାତି ଅଧିଆ ରେଡ୍ କରିଥିଲା ପୋଲିସ । ଅଭିଯୁକ୍ତଙ୍କୁ କାବୁ ପରେ ତାଙ୍କ ନିକଟରୁ ୩୭ଟି ମୋବାଇଲ, ୩୮ଟି ଏଟିଏମ୍ ଓ ୧୨ଟି ପ୍ୟାନ କାର୍ଡ଼ ସହ ୨୫ଟି ଏୟାରଟେଲ ସିମ୍ କାର୍ଡ଼, ୩ଟି ବ୍ୟାଙ୍କ ଚେକ ବୁକ୍, ପୁରୁଣା ସିମ କାର୍ଡ଼ ୩୨ଟି, ବିଭିନ୍ନ କମ୍ପାନୀର ଷ୍ଟାମ୍ପ୍ ପ୍ୟାଡ଼, ବ୍ୟାଙ୍କ ଜମା ଖାତା, ଗୋଟିଏ ଲାପଟପ୍, ଆଧାର କାର୍ଡ଼ ଓ ଭୋଟ ପରିଚୟପତ୍ର ଜବତ କରିଥିଲେ। ଅଭିଯୁକ୍ତମାନେ ହେଲେ ଯାଜପୁର ଜିଲ୍ଲା ବରି ଥାନା ରାମଚନ୍ଦ୍ରପୁର ଗାଁର ରାଜେନ୍ଦ୍ର ମଲ୍ଲିକ ଓ କନ୍ଧମାଳ ଜିଲା ଜି. ଉଦୟଗିରି ଥାନା ମୁଣ୍ଡାଗାଁର ସଚିନ ଦିଗାଲ । ସେମାନଙ୍କ ନାଁରେ ପୂର୍ବରୁ ମାମଲା ରହିଥିବାବେଳେ ଗିରଫ କରିଥିଲା କମିଶନରେଟ ପୋଲିସ ।
ସୂଚନା ମୁତାବକ, ଏହି ଦୁଇ ଜଣ ମୁମ୍ବାଇ ବିମାନ ବନ୍ଦରର ଜାଲ ୱେବସାଇଟ ଖୋଲି ଅନେକ ଚାକିରି ଆଶାୟୀଙ୍କୁ ଅନଲାଇନରେ ବିଜ୍ଞାପନ ଦେଇଥିଲେ । ଶତାଧିକ ଆଶାୟୀ ସେହି ବିଜ୍ଞାପନ ଦେଖି ଆବେଦନ କରିଥିଲେ । କିଛି ଆବେଦନକାରୀଙ୍କୁ ତାଲିମ ଦେବା ସହ ସେମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ବିଭିନ ପର୍ଯ୍ୟାୟରେ ଆଳ ଦେଖାଇ ନେଇଥିଲେ । ଏହିପରି ଭାବେ ଅଭିଯୁକ୍ତମାନେ କୋଟି କୋଟି ଟଙ୍କା ଠକେଇ କରିଥିଲେ । ଏନେଇ ମୁମ୍ବାଇ ଥାନାରେ ଅଭିଯୋଗ କରିଥିଲେ ଠକାମୀର ଶିକାର ବ୍ୟକ୍ତି । ଥାନେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା । ସେହିଦିନ ଠାରୁ ଅଭିଯୁକ୍ତ ୨ଜଣ ଫେରାର ରହିଥିଲେ । ସେମାନଙ୍କୁ ଧରିବା ପାଇଁ ଥାନେ ପୋଲିସ ତନାଘନା କରିବା ପରେ ଗତ ଦୁଇ ଦିନ ହେବ ଭୁବନେଶ୍ବରରେ ଡେରା ପକାଇଥିଲା ।