ଓଡିଶା

odisha

ETV Bharat / state

Millet Mission: ଲୋକଙ୍କ ଖାଦ୍ୟାଭ୍ୟାସ ବଦଳାଇଛି ମାଣ୍ଡିଆ

ରାଜ୍ୟ ମିଲେଟ ମିଶନର ଉଦ୍ଦେଶ୍ୟ କେବଳ ମାଣ୍ଡିଆର ଉପକାରିତା ଓ ଲାଭ ନିମନ୍ତେ ଏହାକୁ ପ୍ରୋତ୍ସାହିତ କରିବା ନୁହେଁ ବରଂ ବୃଷ୍ଟିପୁଷ୍ଟ ଉଚ୍ଚ ଜମିର ଚାଷୀଙ୍କୁ ସମାନ ସୁଯୋଗ ଓ ନ୍ୟାୟ ପ୍ରଦାନ ନୀତି ଓଡ଼ିଶା ମିଲେଟ ମିଶନର କାର୍ଯ୍ୟ କରିଥାଏ । ଅଧିକ ପଢନ୍ତୁ

multi stakeholder workshop on millet mission
millet mission

By

Published : Jun 14, 2023, 11:34 AM IST

ଭୁବନେଶ୍ବର:ଓଡ଼ିଶା ମିଲେଟ ମିଶନର ଉଦ୍ଦେଶ୍ୟ କେବଳ ମାଣ୍ଡିଆର ଉପକାରିତା ଓ ଲାଭ ନିମନ୍ତେ ଏହାକୁ ପ୍ରୋତ୍ସାହିତ କରିବା ନୁହେଁ । ବୃଷ୍ଟିପୁଷ୍ଟ ଉଚ୍ଚ ଜମିର ଚାଷୀମାନଙ୍କୁ ସମାନ ସୁଯୋଗ ଓ ନ୍ୟାୟ ପ୍ରଦାନ ନୀତିରେ ଓଡ଼ିଶା ମିଲେଟ ମିଶନ କାର୍ଯ୍ୟ କରୁଛି । ଏହା କହିଛନ୍ତି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ କୁମାର ପାଢ଼ୀ । କୃଷି ଭବନରେ ଓଡ଼ିଶା ମିଲେଟ ମିଶନ, ୟର୍କ ବିଶ୍ୱବିଦ୍ୟାଳୟ ଏବଂ ସେଣ୍ଟର ଫର ସଷ୍ଟେନେବୁଲ ଏଗ୍ରିକଲଚରଙ୍କ ମିଳିତ ଆନୁକୂଲ୍ୟରେ ଓଡ଼ିଶା ମିଲେଟ ମିଶନର ପୋଷଣୀୟ ଭବିଷ୍ୟତର ରୂପରେଖ ଅନୁଷ୍ଠିତ ହୋଇଛି । କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ ମିଲେଟକୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଦିଗରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଓ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଛନ୍ତି ।

ମିଲେଟର ପୋଷଣୀୟ ପ୍ରଦର୍ଶନ ନିମନ୍ତେ ଉପଲବ୍ଧ ତଥ୍ୟର ବିଶ୍ଳେଷଣ, ପ୍ରଯୁକ୍ତିବିଦ୍ୟାର ଉପଯୋଗ, ଯୋଗାଣ ଶୃଙ୍ଖଳ, ଉତ୍ତମ ପ୍ରଥାର ସମୀକ୍ଷା ଏବଂ ନୀତି ନିର୍ଦ୍ଧାରଣଠାରୁ ଆରମ୍ଭ କରି ବ୍ୟବସାୟିକ ମଡେଲ ଆଦି ସମ୍ପର୍କରେ ଆଲୋଚନା କରାଯାଇଛି । ଓଡ଼ିଶା ମିଲେଟ ମିଶନ କାର୍ଯ୍ୟକାରୀ ହେବା ପୂର୍ବରୁ ମିଲେଟର ମୂଲ୍ୟ ଉପରେ କୌଣସି ଜନସଚେତନତା ନଥିଲା । ମାଣ୍ଡିଆର ଦର ମଧ୍ୟ କମ ଥିଲା । ଏହା ଦ୍ୱାରା ଚାଷୀମାନଙ୍କ ମଧ୍ୟରେ ମିଲେଟ ଚାଷ ନିମନ୍ତେ ଅନାଗ୍ରହ ପରିଲକ୍ଷିତ ହେଉଥିଲା । ମିଶନ କାର୍ଯ୍ୟକାରୀ ହେବା ପରେ ମିଲେଟ ସମ୍ପର୍କରେ ବ୍ୟାପକ ଜନସଚେତନତା ବୃଦ୍ଧି ପାଇଛି । ରାଜ୍ୟ ସରକାରଙ୍କ ଦ୍ୱାରା ମିଲେଟ ସଂଗ୍ରହ ଫଳରେ ଚାଷୀମାନେ ଉଚିତ ମୂଲ୍ୟ ପାଇପାରୁଛନ୍ତି । ଲୋକଙ୍କ ଖାଦ୍ୟାଭ୍ୟାସର ମଧ୍ୟ ପରିବର୍ତ୍ତନ ଆସିଛି । କୃଷକ ଉତ୍ପାଦକ ସଂଗଠନ ଓ ସ୍ୱୟଂ ସହାୟକ ଗୋଷ୍ଠୀର ଅଂଶୀଦାରମାନେ ମତ ଦେଇଛନ୍ତି ।

ବ୍ୟବସ୍ଥାର ରୂପାନ୍ତରଣ ଦିଗରେ ଓଡ଼ିଶା ମିଲେଟ ମିଶନର ନେତୃତ୍ୱ ପ୍ରଦାନ ଓ ଚାଷୀମାନଙ୍କୁ ଭିତ୍ତିଭୂମିର ସହାୟତା ଯୋଗାଇ ଦେବା ସମ୍ପର୍କରେ ସେ ଆଲୋଚନା କରିଛନ୍ତି । ୟର୍କ ବିଶ୍ୱବିଦ୍ୟାଳୟର ପ୍ରଫେସର ସୋନାଲ ଚୌଧୁରୀ ଓ ସିଏସ୍‌ଏର ଡ. ରମଣ ଜାନେୟୁଲୁ କାର୍ଯ୍ୟକ୍ରମ ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି । କାର୍ଯ୍ୟକ୍ରମରେ ସାମିଲ ବିଭିନ୍ନ ଅଂଶୀଦାରଙ୍କ ଦ୍ୱାରା ଆଗତ ପ୍ରସ୍ତାବକୁ ଉପସ୍ଥାପନ କରିଛନ୍ତି । ଅଂଶୀଦାରଙ୍କ ଦ୍ୱାରା ଆଗତ ପ୍ରସ୍ତାବକୁ ତର୍ଜମା କରାଯାଇ ମିଶନକୁ ଅଧିକ ଫଳପ୍ରଦ କରାଯିବ କୁହାଯାଇଛି । ଓଡ଼ିଶା ମିଲେଟ ମିଶନ ସମ୍ମୁଖରେ ଥିବା ଆହ୍ୱାନ ଗୁଡ଼ିକ ସମ୍ପର୍କରେ ସମୀକ୍ଷା କରାଯାଇଛି ।

ସ୍କୁଲ ପିଲାମାନଙ୍କୁ ଦିଆଯାଉଥିବା ମଧ୍ୟାହ୍ନଭୋଜନ, ହସ୍ପିଟାଲ, ସେନା କ୍ୟାଣ୍ଟିନ, ରେଳବାଇ, ବିମାନବନ୍ଦର ଆଦି ସ୍ଥାନଗୁଡ଼ିକରେ ମିଲେଟ୍ସକୁ ଅନ୍ତର୍ଭୁକ୍ତ କରାଯାଇପାରିଲେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ଅଧିକ ବଜାର ସୃଷ୍ଟି ହୋଇପାରିବ । କାର୍ଯ୍ୟକ୍ରମକୁ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା ଉଦଘାଟନ କରିଥିବାବେଳେ ଯୁଗ୍ମ ନିର୍ଦ୍ଦେଶକ ଶୈଳେନ୍ଦ୍ର ମହାନ୍ତି ଓଡ଼ିଶା ମିଲେଟ ମିଶନର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details