ଭୁବନେଶ୍ବର: ସହରାଞ୍ଚଳର ଗରିବ ଅଧିବାସୀଙ୍କ ଜୀବିକା ସୁରକ୍ଷା ନିମନ୍ତେ ଗୋଷ୍ଠୀ ଦ୍ଵାରା ସଂଚାଳିତ ତଥା ସମାଜର ସାଧାରଣ ସ୍ତରରୁ ଯୋଜନା ପ୍ରସ୍ତୁତ କରୁଥିବା ‘ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ - ମୁକ୍ତା’ ଓଡ଼ିଶା ସରକାରଙ୍କ ଏକ ପ୍ରମୁଖ ପଦକ୍ଷେପ ରୂପେ ଆଦୃତ ହୋଇଛି । ରାଜ୍ୟର ୧୧୫ ଟି ପୌର ସଂସ୍ଥା ଅନ୍ତର୍ଗତ କାମ କରୁଥିବା ସହରାଞ୍ଚଳ ଶ୍ରମିକ ଓ ବିଭିନ୍ନ ସ୍ଥାନକୁ କାମ ସନ୍ଧାନରେ ଯାଉଥିବା ଶ୍ରମିକ ଗୋଷ୍ଠୀଙ୍କୁ ଜୀବିକା ସୁଯୋଗ ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ । ଏହି ଯୋଜନାର ସଠିକ ରୂପାୟନ ପାଇଁ ତଥା କାର୍ଯ୍ୟରତ ଶ୍ରମିକ ମାନଙ୍କୁ ସଠିକ ସମୟରେ ତାଙ୍କ ପ୍ରାପ୍ୟ ମଜୁରୀ ପ୍ରଦାନ ନିମନ୍ତେ ରାଜ୍ୟ ସରକାର ୱେବ ଆଧାରିତ ଆପ ‘ମୁକ୍ତା ସଫ୍ଟ' ପ୍ରବର୍ତ୍ତନ କରିଛନ୍ତି ।
ଏହାବି ପଢନ୍ତୁ- MUKTA Scheme: ତୃତୀୟ ପର୍ଯ୍ୟାୟରେ ଆଉ ୨୨୫ କୋଟି ମଞ୍ଜୁର
ଏହି ୱେବ ଆଧାରିତ ଆପର ସଫଳ କାର୍ଯ୍ୟକାରିତା ସମ୍ପର୍କରେ ଅନୁଧ୍ୟାନ ନିମନ୍ତେ ପାଇଲଟ ପରୀକ୍ଷଣ ଢେଙ୍କାନାଳ ଓ ଜଟଣୀ ପୌରପାଳିକାରେ କରାଯାଇଛି । ପାଇଲଟ ପରୀକ୍ଷଣର ସଫଳତା ଭିତ୍ତିରେ ମୁକ୍ତା ସଫ୍ଟ ରାଜ୍ୟର ୨୫ଟି ପୌର ସଂସ୍ଥାରେ ଖୁବଶୀଘ୍ର କାର୍ଯ୍ୟକାରୀ ହେବ । ଯାହା ମଧ୍ୟରେ ୫ ଟି ମହାନଗର ନିଗମ, ୧୪ ଟି ପ୍ରମୁଖ ପୌରପାଳିକା ଓ ୬ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଭୁକ୍ତ । ‘ମୁକ୍ତା ସଫ୍ଟ ୧.୦’ର ସଫଳ ରୂପାୟନ ନିମନ୍ତେ ରାଜ୍ୟସ୍ତରୀୟ ମୁକ୍ତା ପି.ଏମ.ୟୁ ତଥା ରାଜ୍ୟବ୍ୟାପୀ ୨୫ଟି ପୌରସଂସ୍ଥାର ମାଷ୍ଟର ଟ୍ରେନର ମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ‘ମୁକ୍ତା ସଫ୍ଟ ୧.୦’ର ବିଭିନ୍ନ ଦିଗକୁ ପରବର୍ତ୍ତୀ ସ୍ତରରେ ପୌର ସଂସ୍ଥାର କର୍ମଚାରୀମାନଙ୍କୁ ପରିଚିତ କରାଇବାରେ ଏହି ମାଷ୍ଟର ଟ୍ରେନରମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ ।