ଭୁବନେଶ୍ବର: ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ବିରୋଧ । ସୋମବାର ସନ୍ଧ୍ୟାରେ ଲକ୍ଷ୍ମୀସାଗରର ୪୩ ନମ୍ବର ୱାର୍ଡରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ବୁଦ୍ଧେଶ୍ବରୀ କଲୋନି ନିକଟରେ ଭୁବନେଶ୍ବର ସାଂସଦ ବିରୋଧର ସମ୍ମୁଖୀନ ହୋଇଛନ୍ତି । ସାଂସଦ ଅପରାଜିତାଙ୍କ ଗାଡିକୁ ଅଟକାଇଥିଲେ ସ୍ଥାନୀୟ ଲୋକେ । ଏକାଧିକ ମହିଳା ତାଙ୍କ ଗାଡ଼ି ଆଗକୁ ଚାଲି ଆସି ରାସ୍ତାରୋକ କରିଥିଲେ । ଏଥିପାଇଁ ପ୍ରାୟ ଦୁଇ ଘଣ୍ଟା ଧରି ଅପରାଜିତାଙ୍କୁ କାରରେ ଅଟକି ରହିବାକୁ ପଡିଥିଲା । ଏହାକୁ ନେଇ ମୁହାଁମୁହିଁ ହୋଇଥିଲେ ବିଜେଡି ଓ ବିଜେପି କର୍ମୀ । ପୋଲିସ ଉଭୟ ପକ୍ଷଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । ଏହି ଘଟଣାକୁ ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜବାବ ମାଗିଛନ୍ତି ଭୁବନେଶ୍ୱର ସାଂସଦ ।
ଏହି ବିରୋଧ ପରେ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ସାଂସଦ ଅପରାଜିତା । ସାଂସଦ କହିଛନ୍ତି, "ମୁଁ ରାଜ୍ୟ ସରକାରଙ୍କ ଦୟାରେ ଭୁବନେଶ୍ଵର ସାଂସଦ ହୋଇନାହିଁ । ମୋତେ ୨ ଘଣ୍ଟା ଅଟକାଇ ଦିଆଗଲା । ରାଜ୍ୟ ସରକାରଙ୍କ ଦ୍ବାରା ପ୍ରାୟୋଜିତ ଭାବେ ବିରୋଧ ପ୍ରୟାସ ବିଫଳ ହୋଇଛି । ମୋ ସୁରକ୍ଷା ଦାୟିତ୍ବ ରାଜ୍ୟ ସରକାରଙ୍କର । ମୋ ସୁରକ୍ଷାରେ ତ୍ରୁଟି ପାଇଁ ସରକାର ଦାୟୀ ।" ଏମିତିକି ଏହି ଘଟଣା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜବାବ ମାଗିବି ବି ମାଗିଛନ୍ତି ।
ଚିଠିରେ ଅପରାଜିତା ଷଡଙ୍ଗୀ ଲେଖିଛନ୍ତି ଯେ, ଏକ ସଭାକୁ ଯାଉଥିବା ବେଳେ କିଛି ଅସାମାଜିକ ଲୋକ ମୋ କାର୍ ଅଟକାଇଥିଲେ । ମୁଁ ପୋଲିସକୁ ଅପେକ୍ଷା କରି ୨ ଘଣ୍ଟା ଧରି କାରରେ ବସି ରହିଥିଲେ । ମୋର ୨ ଘଣ୍ଟା ସମୟ ନଷ୍ଟ ହେଲା । ନଷ୍ଟ ହୋଇଥିବା ମୋ ସମୟର ସରକାର କେମିତି ଭରଣା କରିବେ ? ମୁଖ୍ୟମନ୍ତ୍ରୀଙ୍କ କାରକେଡକୁ ୫ ମିନିଟ ପାଇଁ କେବେ ଅଟକାଇ ହେବ କି ? ସୁରକ୍ଷାକୁ ନେଇ ରାଜ୍ୟ ସରକାରଙ୍କ ଏମିତି ପାତରଅନ୍ତର ନୀତି ମୋତେ କଷ୍ଟ ଦେଇଛି ।