ଭୁବନେଶ୍ବର: ପାମ ଅଏଲ ବିକାଶ ପାଇଁ କୃଷି ଭବନରେ ବୁଝାମଣାପତ୍ର ସ୍ବାକ୍ଷର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି । ଓଡ଼ିଶାରେ ପାମ ଅଏଲ ଚାଷକୁ ସଂପ୍ରସାରିତ କରି ଖାଇବା ତେଲ ଆମଦାନୀ ହ୍ରାସ କରିବା ଲକ୍ଷ୍ୟରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । କେନ୍ଦ୍ରୀୟ ଯୋଜନା ନ୍ୟାସନାଲ ମିଶନ ଅନ ଏଡିବୁଲ ଅଏଲ ପାମ ଯୋଜନାକୁ ରାଜ୍ୟରେ ସଫଳତାର ସହ କାର୍ଯ୍ୟକାରୀ କରିବା ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ୧୦ଟି କମ୍ପାନୀଙ୍କ ସହ ୨୦ଟି ଜିଲ୍ଲାରେ ପାମ ଅଏଲ ଚାଷ କରିବା ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି ଯୋଜନାରେ କ୍ଷେତ୍ର ସଂପ୍ରସାରଣ ଏବଂ ଅଶୋଧିତ ପାମ ଅଏଲ ଉତ୍ପାଦନ ବୃଦ୍ଧି ମାଧ୍ୟମରେ ଦେଶ ଆମଦାନୀ କରୁଥିବା ଖାଇବା ତେଲକୁ ହ୍ରାସ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।
ଆୟୋଜିତ କାର୍ଯ୍ୟକ୍ରମରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଉପସ୍ଥିତିରେ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଓ ପାମ ଅଏଲ କମ୍ପାନୀମାନଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ୨୦୨୧-୨୨ ମସିହାରୁ ୨୦୨୫-୨୬ ମସିହା ପର୍ଯ୍ୟନ୍ତ ଏହି ଯୋଜନା ମାଧ୍ୟମରେ ରାଜ୍ୟରେ ୧୦ ହଜାର ୫୦୦ ହେକ୍ଟର ଜମିରେ ପାମ ଅଏଲ ଚାଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଗତ ଦୁଇବର୍ଷ ମଧ୍ୟରେ ରାଜ୍ୟରେ ପ୍ରାୟ ୯୫୦ ହେକ୍ଟର ଜମିରେ ପାମ ଅଏଲ ଚାଷ କରାଯାଇଛି । ଚଳିତ ବର୍ଷ ରାଜ୍ୟରେ ୧୧୦୦ ହେକ୍ଟର ଏବଂ ଆଗାମୀ ଦୁଇ ବର୍ଷରେ ୫ ହଜାର ହେକ୍ଟର ଜମିରେ କ୍ଲଷ୍ଟର ଭିତ୍ତିରେ ପାମ ଅଏଲ ଚାଷ କରିବା ପାଇଁ ଯୋଜନା ରହିଛି ।