ଭୁବନେଶ୍ବର: ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧିନସ୍ଥ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ନିମନ୍ତେ ବିଭିନ୍ନ ଜାତୀୟ ତଥା ଅନ୍ତର୍ଜାତୀୟ ସଂସ୍ଥା ସହିତ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନର ସମ୍ମିଳନୀ କକ୍ଷରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏସଆଇଆରଡି ଆଣ୍ଡ ପିଆରର ନିର୍ଦ୍ଦେଶକ ଓ ଓଏସଡମା, ୟୁନିସେଫ, ୟୁଏନଡିପି, ୟୁଏନଏଫପିଏ, ଏସଭି-ନିରତାର, ପ୍ରଦାନ, ଏଫଇଏସ ସହିତ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ।
ରାଜ୍ୟରେ ଅଧିକରୁ ଅଧିକ ପଞ୍ଚାୟତକୁ ଆଦର୍ଶ ପଞ୍ଚାୟତ ରୂପେ ଗଢି ତୋଳି ସେମାନଙ୍କୁ ଉତ୍କର୍ଷ କେନ୍ଦ୍ର ଭାବେ କାର୍ଯ୍ୟକ୍ଷମ କରିବା ହେଉଛି ବୁଝାମଣା ପତ୍ର ସ୍ୱାକ୍ଷରର ଉଦ୍ଦେଶ୍ୟ । ପୁନଶ୍ଚ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସେବା ପ୍ରଦାନ ବ୍ୟବସ୍ଥାକୁ ସଶକ୍ତ କରି ଗ୍ରାମପଞ୍ଚାୟତ ଗୁଡିକ ଆଇଏସଓ ସାର୍ଟିଫିକେସନ ସ୍ୱୀକୃତି ପାଇବା ଦିଗରେ ସହାୟକ ହେବା । କାର୍ଯ୍ୟକ୍ରମରେ ଏସଆଇଆରଡି ଆଣ୍ଡ ପିଆରର ନିର୍ଦ୍ଦେଶକ ସୁରେନ୍ଦ୍ର କୁମାର ମୀନା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଛନ୍ତି । କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ବନ୍ଧରେ ସୂଚନା ପ୍ରଦାନ କରିଛନ୍ତି । ପୁନଶ୍ଚ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ରାଜ୍ୟ ସରକାର ହାସଲ କରିଥିବା ଗତବର୍ଷର ସଫଳତା ଓ ଆଗାମୀ ଦିନର ପରିକଳ୍ପନା ବିଷୟରେ ବିସ୍ତୃତ ସୂଚନା ଦେଇଛନ୍ତି । ତନ୍ମଧ୍ୟରେ ଜାତୀୟ ପଞ୍ଚାୟତ ପୁରସ୍କାରରେ ରାଜ୍ୟର ଅନନ୍ୟ ସଫଳତା, ସରକାରଙ୍କ ବିଭିନ୍ନ ଅଭିନବ ପ୍ରୟାସର ୫୪ଟି ଡକୁମେଣ୍ଟାରୀ ଫିଲ୍ମ ସର୍ବଭାରତୀୟ ସ୍ତରରେ ପ୍ରଦର୍ଶିତ ହୋଇ ବେଶ ପ୍ରଶଂସିତ ହେବା ଅନ୍ୟତମ ।
ତେବେ ଗ୍ରାମପଞ୍ଚାୟତ ପ୍ରଶାସନକୁ ପ୍ରଭାବଶାଳୀ କରିବା ପାଇଁ ସଂପ୍ରତି ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଉଥିବା ଆଇଏସଓ ସାର୍ଟିଫିକେସନ, ପଞ୍ଚାୟତ ଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା ଉପରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ ତାଙ୍କ ଅଭିଭାଷଣରେ ଗୁରୁତ୍ୱ ଦେଇଛନ୍ତି । ସେ ପୁନଶ୍ଚ ୧ ଲକ୍ଷରୁ ଊର୍ଦ୍ଧ୍ବ ଜନପ୍ରତିନିଧିଙ୍କୁ ସେମାନଙ୍କ ଦାୟିତ୍ୱ ଗ୍ରହଣର ୬ ମାସ ମଧ୍ୟରେ ଏସଆଇଆରଡି ଆଣ୍ଡ ପିଆର ଦ୍ୱାରା ପ୍ରାରମ୍ଭିକ ପ୍ରଶିକ୍ଷଣ ପ୍ରଦାନକୁ ସଂପୂର୍ଣ୍ଣ କରାଯାଇଥିବାରୁ ଏହା ଆମ ପାଇଁ ଏକ ଐତିହାସିକ ସଫଳତା ବୋଲି କହିଛନ୍ତି । ଏସଆଇଆରଡି ଆଣ୍ଡ ପିଆର ସ୍ୱତନ୍ତ୍ର ପ୍ରଶିକ୍ଷଣ ରଣନୀତି ଆପଣାଇ ବିଭିନ୍ନ ବିଷୟ ଯଥା ଜାତୀୟ ପଞ୍ଚାୟତ ପୁରସ୍କାର, ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ, ପିପୁଲ୍ସ ପ୍ଲାନ କ୍ୟାମ୍ପେନ ଭଳି ପ୍ରଶିକ୍ଷଣ କାର୍ଯ୍ୟକ୍ରମଗୁଡିକୁ ଗ୍ରାମ ପର୍ଯ୍ୟନ୍ତ ପହଞ୍ଚାଯାଇଛି । ତେଣୁ ବର୍ତ୍ତମାନ ବିଭାଗ ଦ୍ୱାରା ଭିଲେଜ ୱାଟର ସାନିଟେସନ କମିଟି ସଦସ୍ୟମାନଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି ।