ଭୁବନେଶ୍ବର: 106 ସ୍କୁଲକୁ ମିଳିଲା ନିଜସ୍ବ ଜମିପଟ୍ଟା । ଭୁବନେଶ୍ବର ମହାନଗର ନିଗମ ଅଧିନରେ ଥିବା ୧୦୬ ସ୍କୁଲକୁ ଜମିପଟା ବଣ୍ଟନ କରାଯାଇଛି । ଆଜି ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ବରସ୍ଥିତ କ୍ୟାପିଟାଲ୍ ହାଇସ୍କୁଲରେ ଏହି ଜମିପଟ୍ଟା ବଣ୍ଟନ କରାଯାଇଛି । ଏଥିରେ ଭୁବନେଶ୍ବର ମେୟର ସୁଲୋଚନା ଦାସଙ୍କ ସମେତ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ଦୁଇ ବିଧାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସ୍କୁଲର ପଟ୍ଟା ବଣ୍ଟନ କରିଛନ୍ତି ।
ଦୀର୍ଘ ଦିନ ହେବ ସ୍କୁଲଗୁଡିକର ପଟ୍ଟା ନଥିବାରୁ ବିଭିନ୍ନ ଗ୍ରାଚ୍ୟୁଇଟିରୁ ବଞ୍ଚିତ ହେଉଥିଲା ଏହି ସମସ୍ତ ସ୍କୁଲ । ନିଜସ୍ୱ ପଟ୍ଟା ମିଳିବା ପରେ ସ୍କୁଲ ଗୁଡ଼ିକରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସଠିକ ଭାବେ ହୋଇପାରିବ । ଏନେଇ ଆଜି ଭୁବନେଶ୍ବରର ତିନିଟି ନିର୍ବାଚନ ମଣ୍ଡଳୀର ୧୦୬ ଟି ସ୍କୁଲକୁ ପଟ୍ଟା ମିଳିଛି । ଏହାସହ ଦ୍ବିତୀୟ ପର୍ଯ୍ୟାୟରେ ଆଉ ୮୮ ଟି ସ୍କୁଲକୁ ପଟ୍ଟା ପ୍ରଦାନ କରାଯିବ ବୋଲି ମେୟର ସୁଲୋଚନା ଦାସ କହିଛନ୍ତି । ଏପଟେ ଜଣେ ଶିକ୍ଷୟିତ୍ରୀ କହିଛନ୍ତି ଯେ, ସ୍କୁଲରେ ନିଜସ୍ଵ ପଟ୍ଟା ନଥିବା ବେଳେ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । ଖେଳ ପଡିଆ ହେଉ ବା ଅନ୍ୟାନ୍ୟ କାର୍ଯ୍ୟକ୍ରମ ହେଉ ସବୁଥିରେ ଅନେକ ସମୟରେ ଅସୁବିଧା ଦେଖାଯାଇଥାଏ । ବର୍ତ୍ତମାନ ପଟ୍ଟା ମିଳିବା ପରେ ଯେଉଁ ଅସୁବିଧା ହେଉଥିଲା ତାହା ସୁବିଧାରେ ପରିଣତ ହେବ ବୋଲି କହିଛନ୍ତି ଶିକ୍ଷୟତ୍ରୀ । ଏପଟେ ଖୋର୍ଦ୍ଧା ଜିଲ୍ଲାର କପିଲାପ୍ରସାଦ ସ୍କୁଲକୁ ୬୭ ବର୍ଷ ହେଲାଣି । ଆଜି ପର୍ଯ୍ୟନ୍ତ ମଧ୍ୟ ଏହାର ପଟ୍ଟା ମିଳିନଥିଲେ । ଆଜି ପଟ୍ଟା ପାଇବା ପରେ ଖୁସି ହୋଇଛନ୍ତି ଶିକ୍ଷୟିତ୍ରୀ ।