Weather Update: ରାଜ୍ୟରେ ଦୁର୍ବଳ ସ୍ଥିତିରେ ମୌସୁମୀ, ୪ଦିନ ପର୍ଯ୍ୟନ୍ତ ନାହିଁ ବଡ଼ ବର୍ଷା ଭୁବନେଶ୍ବର: ରାଜ୍ୟରେ ଦୁର୍ବଳ ସ୍ଥିତିରେ ମୌସୁମୀ । ଏହାକୁ ନେଇ ରାଜ୍ୟରେ ବର୍ତ୍ତମାନ କୌଣସି ବଡ଼ ବର୍ଷା ନଥିବା ବେଳେ କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବିସ୍ତୃତି ବର୍ଷା ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ । ଏହାସହ ମୌସୁମୀ ନିମ୍ନ ଚାପରେଖା ସ୍ବାଭାବିକ ସ୍ଥିତିରେ ଉତ୍ତରରେ ରହିଥିବା ବେଳେ ମୌସୁମୀ ଆଗାମୀ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଦୁର୍ବଳ ସ୍ଥିତିରେ ରହିବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୭ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ଅଧିକ ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ ।
ପାଣିପାଗ ବିଭାଗର ସୂଚନା ଅନୁସାରେ ସର୍ବାଧିକ ବର୍ଷା ଖୋର୍ଦ୍ଧାର ବାଲିପାଟଣାରେ ୩୬.୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ତାପରେ ଯୁଯୁମୁରା ସମ୍ବଲପୁରରେ ୩୩.୨ ମିଲିମିଟର, କୋରାପୁଟ ୨୨.୬ ମିଲିମିଟର, ରାଜଧାନୀ ଭୁବନେଶ୍ବରରେ ୨୧.୬ ମିଲିମିଟର ବର୍ଷା ହୋଇଛି । ଆଗାମୀ ୧୧ ତାରିଖ ପର୍ଯ୍ୟନ୍ତ ସ୍ଵାଭାବିକ ବର୍ଷାର ସମ୍ଭାବନା ନାହିଁ । ହାଲକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଏହା ବି ପଢନ୍ତୁ- ୫ ଦିନ ଯାଏଁ ରାଜ୍ୟରେ ପୁଣି ଛେଚିବ, ଉତ୍ତର ଏବଂ ଉପକୂଳର ୬ ଜିଲ୍ଲାକୁ ସତର୍କତା
ସେପଟେ ଜୁନ ୧ ରୁ ଅଗଷ୍ଟ ୭ ତାରିଖ ପର୍ଯ୍ୟନ୍ତ ୬୪୨.୬ ମିମି ବର୍ଷା ରେକର୍ଡ ହୋଇଛି । ଏହି ସମୟରେ ସ୍ବାଭାବିକ ବର୍ଷା ରହିଥାଏ ୬୪୩.୬ ମିମି । ସେହିପରି ଏଯାବତ ରାଜ୍ୟରେ ୮ ଜିଲ୍ଲା ଝାରସୁଗୁଡ଼ା, ସମ୍ବଲପୁର, ଢେଙ୍କାନାଳ, ଅନୁଗୋଳ, ବୌଦ୍ଧ, ଦେବଗଡ଼, ମାଲକାନଗିରି, ସୋନପୁରରେ ସ୍ବାଭାବିକଠାରୁ ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ସେହିପରି ୫ ଜିଲ୍ଲା ଗଞ୍ଜାମ, କଳାହାଣ୍ଡି, କେନ୍ଦ୍ରାପଡ଼ା, ନବରଙ୍ଗପୁର ଓ ପୁରୀରେ ସ୍ବାଭାବିକଠାରୁ କମ ବର୍ଷ ହୋଇଛି । ୧୭ ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି।
ଆଗାମୀ ୨୪ ଘଣ୍ଟାରେ ରାଜ୍ୟର ଉତ୍ତରାଞ୍ଚଳ ଜିଲ୍ଲା ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଝାରୁସୁଗୁଡ଼ା ଓ ଦେବଗଡ଼ରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଆସନ୍ତା ୮ରୁ ୧୧ ତାରିଖ ମଧ୍ୟରେ କିଛି କିଛି ସ୍ଥାନରେ ଘଡ଼ଘଡ଼ି ସହ ସ୍ବଳ୍ପ ବର୍ଷା ହେବାର ସମ୍ଭାବନା ରହିଛି । ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ପୁରୀ, ବାଲେଶ୍ବର, ଗଞ୍ଜାମ, ପୁରୀ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ଅଧିକ ସମ୍ଭାବନା ଥିବା କହିଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ. ଆର ବିଶ୍ବାସ ।
ଇଟିଭି ଭାରତ, ଭୁବନେଶ୍ବର