ଭୁବନେଶ୍ବର:ରାଜ୍ୟରେ ବର୍ତ୍ତମାନ ମୌସୁମୀ ଦୁର୍ବଳ ରହିଛି । ତେଣୁ ବିଗତ ୨୪ ଘଣ୍ଟା ଧରି ପାଗ ଶୁଖିଲା ରହିବା ସହ ଓଡ଼ିଶାର କିଛି କିଛି ସ୍ଥାନରେ କେବଳ ସ୍ୱଳ୍ପ ବୃଷ୍ଟିପାତ ଦେଖିବାକୁ ମିଳିଛି । ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ହେବାର ସମ୍ଭାବନା ଥିବାବେଳେ ଆଜି ଓ ଆସନ୍ତାକାଲି ପାଇଁ କୌଣସି ସତର୍କ ସୂଚନା ଜାରି କରାଯାଇନାହିଁ । ଏଭଳି ପାଗ ଆଗାମୀ ୪ ଦିନ ପର୍ଯ୍ୟନ୍ତ ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ପୁଣି ସେପ୍ଟେମ୍ବର ୧ ତାରିଖ ବେଳକୁ ବଢିବ ବର୍ଷାର ପରିମାଣ । ଏହାସହ ଅଗଷ୍ଟ ମାସ ୩୧ ତାରିଖରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ରାଜ୍ୟର କେତେକ ସ୍ଥାନରେ ହୋଇପାରେ ବୋଲି ପୂର୍ବାନୁମାନ କରିଛି ବିଭାଗ । ଅନ୍ୟପଟେ ରାଜ୍ୟର ଗୋଟିଏ କିମ୍ବା 2ଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ନବରଙ୍ଗପୁର ତେନ୍ତୁଳୀଖୁଣ୍ଟିରେ ସର୍ବାଧିକ ୨୨.୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେହିପରି କୋରାପୁଟ ଜିଲ୍ଲାର ଜୟପୁରରେ ୧୮ .୬ ମିଲିମିଟର ବର୍ଷା ରେକର୍ଡ ହୋଇଛି ।
ସେପଟେ ଜୁନ୍ ୧ରୁ ଆଜି ପର୍ଯ୍ୟନ୍ତ ୮୮୪ .୨ ମିଲିମିଟର ସ୍ୱାଭାବିକ ବର୍ଷା ରହିଥିବାବେଳେ ରାଜ୍ୟରେ ୭୮୨ .୦ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଯାହା ସ୍ୱାଭାବିକ ବର୍ଷାଠାରୁ ୧୧ ପ୍ରତିଶତ କମ୍ ରହିଛି । କେବଳ ବୌଦ୍ଧ ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଥିବା ଜଣା ପଡ଼ିଛି । ଏହାସହ ୧୮ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି । ସେହିପରି ୧୧ ଜିଲ୍ଲାରେ ସ୍ୱାଭାବିକଠାରୁ କମ ବର୍ଷା ରେକର୍ଡ ହୋଇଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ ।