ଭୁବନେଶ୍ବର: ଆସନ୍ତା 22 ତାରିଖରୁ ଆରମ୍ଭ ହେବାକୁ ଯାଉଛି ମୌସୁମୀ ଅଧିବେଶନ । ଏହି ସ୍ୱଳ୍ପକାଳୀନ ଅଧିବେଶନ ବେଶ ଗୁରୁତ୍ୱ ବହନ କରୁଛି । ନୂଆ ବାଚସ୍ପତିଙ୍କ ଦାୟିତ୍ୱ ଗ୍ରହଣ ସହ ଅତିରିକ୍ତ ବଜେଟ ଆସିବ । ତେବେ ବିଧାନସଭା ଆରମ୍ଭର ପ୍ରଥମ ଦିନରେ ସର୍ବଦଳୀୟ ବୈଠକ ବସିବାକୁ ଥିବାବେଳେ ବିଜେଡିର ବିଧାୟକ ଦଳ ବୈଠକ ମଧ୍ୟ ବସିବ । ଏହାସହ ସ୍ୱଳ୍ପକାଳୀନ ଅଧିବେଶନ ଆସନ୍ତା 22 ତାରିଖରୁ ବସିବାକୁ ଯାଉଛି । ଏହା 4 ତାରିଖ ପର୍ଯ୍ୟନ୍ତ ଚାଲିବ । ସେପଟେ ବାଚସ୍ପତି ନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି।
22 ତାରିଖ 9ଟା 30ରେ ବାଚସ୍ପତି ନିର୍ବାଚନ ହେବ । ସେହିପରି 10ଟା 30ରେ ବିଜେଡିର ବିଧାୟକ ଦଳ ବୈଠକ ବିଧାନସଭାର 54 ନମ୍ବର ପ୍ରକୋଷ୍ଠରେ ହେବ । 11ଟାରେ ବିଧାନସଭା ଆରମ୍ଭ ହେବ । ବାଚସ୍ପତି ନିର୍ବାଚନ ପରେ ସର୍ବଦଳୀୟ ବୈଠକ ବସିବ । ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଦେହାନ୍ତ ପାଇଁ ଶୋକ ପ୍ରସ୍ତାବ ଆଗତ ହେବ । ଏହା ପରେ କୌଣସି କାର୍ଯ୍ୟକ୍ରମ ନାହିଁ । ସେହିଦିନ ସନ୍ଧ୍ୟା 5ଟାରେ ରାଜ୍ୟ ସରକାର ଅତିରିକ୍ତ ବଜେଟ ଆଣିବେ ବୋଲି ଜଣାପଡିଛି ।
ଏନେଇ ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି, "ବିଧାନସଭାରେ ଶାସକ ଦଳର ଆଭିମୁଖ୍ୟ କ'ଣ ରହିବ, ବିରୋଧୀ ଦଳଙ୍କୁ କେମିତି ମୁକାବିଲା କରାଯିବ ସେ ସମ୍ପର୍କରେ ଆଲୋଚନା ହେବ । ପ୍ରସଙ୍ଗକୁ ସମ୍ମୁଖୀନ ହେବା ବିଜେଡ଼ି ପାଇଁ ବଡ଼ କଥା ନୁହେଁ । ରାଜ୍ୟବାସୀଙ୍କ ସୁଖ ଦୁଃଖ କଥା ଆଲୋଚନା କରିବାର ପ୍ରକୋଷ୍ଠ କ୍ଷେତ୍ର ହେଉଛି ବିଧାନସଭା । ଯେତେ ପ୍ରସଙ୍ଗ ଥାଉ ବିରୋଧୀ ଦଳଙ୍କୁ ସମ୍ମୁଖୀନ ହେବାକୁ ଶାସକ ଦଳ ପ୍ରସ୍ତୁତ ଅଛି ।"