ଖୋର୍ଦ୍ଧା: ଜିଲ୍ଲାର ଟାଙ୍ଗୀ ଅଞ୍ଚଳରେ ମାଙ୍କଡ ଉପଦ୍ରବ । ଗତ କିଛିଦିନ ହେବ ଟାଙ୍ଗୀ ଅଞ୍ଚଳରେ ମାଙ୍କଡଙ୍କ ଉପଦ୍ରବ ବଢିଚାଲିଥିବା ବେଳେ ସ୍ଥାନୀୟ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗତ ୫ ରୁ ୬ ଦିନ ମଧ୍ଯରେ ମାଙ୍କଡଙ୍କ ଆକ୍ରମଣରେ ଏହି ଅଞ୍ଚଳର ୧୦ରୁ ଉର୍ଦ୍ଧ ଲୋକ ଆହତ ହୋଇଛନ୍ତି ।
ଟାଙ୍ଗୀ ଅଞ୍ଚଳରେ ମାଙ୍କଡ ଆତଙ୍କ ବନ ବିଭାଗ ଖବର ପାଇବା ପରେ ରବିବାର ନନ୍ଦନକାନନର ଏକ ଟ୍ରାଙ୍କୁଲାଇଜର ଟିମ ସହାୟତାରେ ଗୋଟିଏ ହନୁ ଏବଂ ଗୋଟିଏ ପାତି ମାଙ୍କଡକୁ ଟ୍ରାଙ୍କୁଲାଇଜ କରାଯାଇଛି । ଆଉ ଗୋଟିଏ ମାଙ୍କଡକୁ ଟ୍ରାଙ୍କୁଲାଇଜ କରାଯିବା ପାଇଁ ପଦକ୍ଷେପ ନିଆଯାଉଥିବା କହିଛନ୍ତି ଟାଙ୍ଗୀ ରେଞ୍ଜର । ତେବେ ଜନସାଧାରଣ ମାଙ୍କଡ ମାନଙ୍କୁ କୌଣସି ଖାଦ୍ୟ ପଦାର୍ଥ ନଦେବା ଏବଂ ସେମାନଙ୍କ ନିକଟତର ନହେବା ପାଇଁ ସଚେତନ କରାଯାଉଥିବା ବନ ବିଭାଗ କହିଛି । ଉଦ୍ଧାର ହୋଇଥିବା ମାଙ୍କଡମାନଙ୍କ ଚିକିତ୍ସା ପରେ ଜଙ୍ଗଲରେ ଛାଡିବା ପାଇଁ ପଦକ୍ଷେପ ନିଆଯିବ ବୋଲି ଟାଙ୍ଗୀ ବନ ବିଭାଗ ସୂଚନା ଦେଇଛି ।
ଏହା ମଧ୍ୟ ପଢନ୍ତୁ: ଭଦ୍ରକରେ ଆତଙ୍କ ଖେଳାଇଛନ୍ତି ମାଙ୍କଡ, ଅତିଷ୍ଠ ଗାଁ ଲୋକେ
ଏନେଇ ଟାଙ୍ଗୀ ରେଞ୍ଜର ଦେବାଶିଷ ଭୋଇ କହିଛନ୍ତି ଯେ," ଆମେ ପ୍ରଥମେ ଲୋକମାନଙ୍କୁ ସଚେତନ କରାଉଛୁ । ମାଙ୍କଡମାନଙ୍କୁ ଖାଇବାର ଅଭାବ ହେଉଛି । ଫଳରେ ସେମାନେ ରାଗରେ ଉତ୍ତ୍ୟକ୍ତ ହୋଇଯାଉଛନ୍ତି । ଏଥିପାଇଁ ସେମାନଙ୍କର ବ୍ୟବହାରରେ ମଧ୍ୟ ପରିବର୍ତ୍ତନ ଆସୁଛି । ଲୋକମାନଙ୍କୁ କୁହାଯାଉଛି ଯେ ସେମାନଙ୍କୁ ଅଖାଦ୍ୟ ଦିଅନ୍ତୁ ନାହିଁ । ବର୍ତ୍ତମାନ ସୁଦ୍ଧା ଆମେ ଗୋଟିଏ ହନୁ ଏବଂ ଗୋଟିଏ ପାତି ମାଙ୍କଡକୁ ଟ୍ରାଙ୍କୁଲାଇଜ କରିଛୁ । ଆଉ ଗୋଟେ ମାଙ୍କଡକୁ ଟ୍ରାଙ୍କୁଲାଇଜ କରିବା ପାଇଁ ଚେଷ୍ଟା ଚାଲିଛି । ପ୍ରଥମେ ସେମାନଙ୍କର ଚିକିତ୍ସା କରାଯାଇ ପରେ ଜଙ୍ଗଲରେ ଛାଡିବୁ ।"
ସୂଚନାଅନୁସାରେ, ଗତ ଜାନୁଆରୀ ମାସରେ ଭଦ୍ରକରେ ମାଙ୍କଡ ଆତଙ୍କ ଦେଖାଦେଇଥିଲା । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ତାଳପଦା ପଞ୍ଚାୟତ ଅଧିନ ଗୋପ ଗଦାଧରପୁର ଗାଁରେ ମାଙ୍କଡ ଉପଦ୍ରବ ଦେଖାଦେଇଥିଲା । ଏକ ମାଙ୍କଡ଼ ଆସି ପଞ୍ଚାୟତରେ ଗୋଡ଼ାଇ ଗୋଡ଼ାଇ ଲୋକଙ୍କୁ କାମୁଡିଥିଲା । ଯାହା ଫଳରେ କିଛି ଲୋକ ଆହତ ଓ ଗୁରୁତର ମଧ୍ୟ୍ୟ ହୋଇଥିଲେ ।
ଇଟିଭି ଭାରତ, ଖୋର୍ଦ୍ଧା