ଭୁବନେଶ୍ୱର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୦୮ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମକୁ ରାଜ୍ୟ କାର୍ଯ୍ୟାଳୟରେ ଶୁଣିଲେ ରାଜ୍ୟ ସଭାପତିଙ୍କ ସମେତ ବିଜେପିର କାର୍ଯ୍ୟକର୍ତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ମାସର ଶେଷ ରବିବାର ଦିନ ‘ମନ କି ବାତ୍’ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ମନର କଥା କହିଥାନ୍ତି । ୨୦୧୪ ମସିହାରେ ମୋଦିଜୀ ପ୍ରଥମଥର ପାଇଁ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ ଦ୍ୱାରା ମୋଦି ଯେଉଁଭଳି ଭାବେ ସାଧାରଣ ଦେଶବାସୀଙ୍କ ମନର କଥାକୁ ବାଖ୍ୟା କରୁଛନ୍ତି, ତାହା ଅତ୍ୟନ୍ତ ପ୍ରଶଂସନୀୟ ବୋଲି ବିଜେପି କହିଛି ।
ଦେଶବାସୀ ଆଜି ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ୍’ କାର୍ଯ୍ୟକ୍ରମକୁ ଶୁଣିବା ପାଇଁ ଅପେକ୍ଷା କରିଥାଆନ୍ତି । ଆଜି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତା, ଜିଲ୍ଲା ପ୍ରତିନିଧି ନିଜ ନିଜ ଅଞ୍ଚଳରେ ପ୍ରଧାନମନ୍ତ୍ରୀଙ୍କ ୧୦୮ତମ “ମନ୍ କି ବାତ୍” କାର୍ଯ୍ୟକ୍ରମ ଶୁଣିଛନ୍ତି । ଭାରତ ବର୍ଷକୁ ବିଶ୍ୱଗୁରୁ ଭାବେ ଗଢ଼ି ତୋଳିବା ପାଇଁ ପ୍ରଧାନମନ୍ତ୍ରୀ ସଂକଳ୍ପବଦ୍ଧ ଏବଂ ଏଥି ପାଇଁ “ସବକା ସାଥ ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ”କୁ ଗୁରୁତ୍ୱ ଦେଇ ଆସୁଛନ୍ତି । ମୋଦି “ମନ୍ କି ବାତ୍”ରେ ମାନସିକ ସ୍ୱାସ୍ଥ୍ୟ ଓ ଏଆଇ ଟୁଲ ଉପରେ ଗୁରୁତ୍ୱାରୋପ କରିଛନ୍ତି । ମୋଦି ‘ଫିଟ୍ ଇଣ୍ଡିଆ ଆନ୍ଦୋଳନ’ ପ୍ରତି ପ୍ରଶଂସା କରିବା ସହ ଶାରୀରିକ ସାମର୍ଥ୍ୟ ସହ ମାନସିକ ସ୍ୱାସ୍ଥ୍ୟର ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ ।
‘ଏଆଇ ଟୁଲସ୍’ ବା ‘ଆର୍ଟିଫିସିଆଲ ଇେଣ୍ଟଲିଜେନ୍ସ’ର ଗୁରୁତ୍ୱ ଦର୍ଶାଇ ମୋଦି କହିଛନ୍ତି,"ପ୍ରଯୁକ୍ତିବିଦ୍ୟା ସମାଜର ବିଭିନ୍ନ କ୍ଷେତ୍ରରେ ସୁବିଧା କରିଛି । ଅଦାଲତ ଓ ଶିକ୍ଷା ସମେତ ଅନେକ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା ଖୁବ ସହାୟକ ହେବ ।" ସେ ଯୁବ ବର୍ଗଙ୍କୁ ଅନୁରୋଧ କରିଛନ୍ତି ‘ଏଆଇ ଟୁଲ’ ସମ୍ବନ୍ଧୀୟ ‘ରିଅଲ୍–ଟାଇମ୍’ ଅନୁବାଦ କରି ଶତ ପ୍ରତିଶତ ପ୍ରମାଣ ସିଦ୍ଧ କରନ୍ତୁ ବୋଲି କହିଥିଲେ । ସେହିପରି ‘ଇସ୍ରୋ’ର ଚନ୍ଦ୍ରଯାନର ସଫଳତା କଥା କହିଥିଲେ ଓ ଚଳିତ ବର୍ଷ କ୍ରୀଡାବିତ୍ମାନେ ଏସୀୟ କ୍ରୀଡାରେ ୧୦୭ଟି ପଦକ ଓ ଏସୀୟ ପାରା କ୍ରୀଡ଼ାରେ ୧୧୧ଟି ପଦକ ହାସଲ କରିଛନ୍ତି । ୨୦୨୪ରେ ପ୍ୟାରିସ ଅଲିମ୍ପିକ ଆୟୋଜନ ହେବ । ଦେଶବାସୀ ଖେଳାଳିମାନଙ୍କୁ ଉତ୍ସାହ କରନ୍ତୁ ବୋଲି ‘ମନ କି ବାତ୍’ରେ ମୋଦି କହିଛନ୍ତି ।"