ଭୁବନେଶ୍ବର: ଆଜି ଅନୁଷ୍ଠିତ ହେବାକୁ ଯାଉଛି ରାସାୟନିକ ବିପର୍ଯ୍ୟୟ ସଂପର୍କିତ ମକ ଏକ୍ସରସାଇଜ । ଓଡ଼ିଶା ଓ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ଏହି ରାଜ୍ୟସ୍ତରୀୟ ମକ ଏକ୍ସରସାଇଜ ଅନୁଷ୍ଠିତ ହେବ । ମକ ଏକ୍ସରସାଇଜରେ ୧୦ ଜିଲ୍ଲାର ୨୮ ଶିଳ୍ପ ସଂସ୍ଥା ସହ ପାରାଦ୍ଵୀପ ପୋର୍ଟ ସାମିଲ ହେବେ । ଏଥିପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ଵତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ବୁଧବାର ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।
ଓଡ଼ିଶା ଓ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ରାସାୟନିକ ବିପର୍ଯ୍ୟୟର ପ୍ରସ୍ତୁତି ସଂପର୍କିତ ଏକ ରାଜ୍ୟସ୍ତରୀୟ ମକ ଏକ୍ସରସାଇଜ ଅନୁଷ୍ଠିତ ହେବ । ଏଥିରେ ୧୦ଟି ଜିଲ୍ଲା ଅନୁଗୋଳ, ବାଲେଶ୍ଵର, ଭଦ୍ରକ, କଟକ, ଗଞ୍ଜାମ, ଜଗତସିଂହପୁର, ଖୋର୍ଦ୍ଧା, ମୟୂରଭଞ୍ଜ, ରାୟଗଡ଼ା, ସୁନ୍ଦରଗଡ଼ର ୨୮ଟି ଶିଳ୍ପ ସଂସ୍ଥା ସହ ପାରାଦ୍ଵୀପ ପୋର୍ଟ ମଧ୍ୟ ଯୋଗଦେବେ । ଏହିଭଳି ମକ ଏକ୍ସରସାଇଜର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାସାୟନିକ ବିପର୍ଯ୍ୟୟ ଭଳି ଜରୁରୀକାଳୀନ ପରିସ୍ଥିତିର କିପରି ମୁକାବିଲା କରାଯାଇପାରିବ । ଏଥିରେ କିପରି ତାଳମେଳ ରଖି ତ୍ଵରିତ ସତର୍କ ସୂଚନା, ସ୍ଥାନାନ୍ତର, ସ୍ଥାନୀୟ ଶିଳ୍ପ ଓ କ୍ଷେତ୍ରସ୍ତରୀୟ ସରକାରୀ ସଂସ୍ଥା ମଧ୍ୟରେ ସମନ୍ଵୟ ରକ୍ଷା କରି ବିପର୍ଯ୍ୟୟର ସଫଳ ପରିଚାଳନା କରିହେବ ସେ ଦିଗରେ ଗୁରୁତ୍ବ ଆରୋପ କରାଯାଇଛି ।
ଏହାର ପ୍ରାକ ପ୍ରସ୍ତୁତି ସ୍ବରୁପ ଏକ ଟେବୁଲ ଟପ ଏକ୍ସରସାଇଜ ଭୁବନେଶ୍ବର ରାଜ୍ୟ ଜରୁରୀକାଳୀନ ଅପରେସନ ସେଣ୍ଟର ଓ ୧୦ ଗୋଟି ଜିଲ୍ଲାର ପ୍ରଶାସନିକ ଅଧିକାରୀ, ଚିହ୍ନଟ ହୋଇଥିବା ଶିଳ୍ପସଂସ୍ଥା ଓ ପାରାଦ୍ଵୀପ ପୋର୍ଟ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଭିସି ଜରିଆରେ ବୈଠକରେ ଆଲୋଚନା ହୋଇଯାଇଛି । ଏଥିରେ ସମସ୍ତେ ଏକ ଷ୍ଟାଣ୍ଡାର୍ଡ ଅପରେସନ ପ୍ରୋସିଡିଓର ଆଧାରରେ କିପରି ବିପର୍ଯ୍ୟୟର ମୁକାବିଲାକୁ ସହଜ କରାଯାଇପାରିବ ସେ ଦିଗରେ ସହମତ ହୋଇଛି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ଵତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଟେବୁଲ ଟପ ଏକ୍ସରସାଇଜରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପରାମର୍ଶଦାତା କର୍ଣ୍ଣେଲ କୀର୍ତ୍ତି ପ୍ରତାପ ସିଂ, କମାଣ୍ଡାଣ୍ଟ ଆଦିତ୍ୟ କୁମାର, ମେମ୍ବର ଆତା ହସନ, ଓସଡ଼ମାର ପରିଚାଳନା ନିର୍ଦ୍ଦେଶକ ଡ. ଜ୍ଞାନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।