ଓଡିଶା

odisha

ETV Bharat / state

ସଚେତନ ହେଲେ ଶିଶୁ, ସତର୍କ ହେବ ଦେଶ; ସାପ କାମୁଡ଼ା ନେଇ ହାଇସ୍କୁଲରେ ମକଡ୍ରିଲ - ସ୍ନେକ ହେଲ୍ପ ଲାଇନ

ଭୁବନେଶ୍ୱର ଲକ୍ଷ୍ମୀସାଗର ହାଇସ୍କୁଲରେ ସ୍ନେକ ହେଲ୍ପ ଲାଇନ ପକ୍ଷରୁ ସାପ କାମୁଡ଼ା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ

mock drill for snake bite
mock drill for snake bite

By

Published : Aug 8, 2023, 4:15 PM IST

mock drill for snake bite

ଭୁବନେଶ୍ବର:ଆଜିର ଶିଶୁ ଆସନ୍ତାକାଲିର ଭବିଷ୍ୟତ । ଆଗାମୀ ଦିନରେ ଦେଶର ନେବ ନେତୃତ୍ୱ । ଯେଉଁ ଦେଶର ଶିଶୁ ଯେତେ ସଚେତନ, ସେ ଦେଶ ସେତେ ସତର୍କ । ଏହାକୁ ହୃଦୟଙ୍ଗମ କରିଛି ସ୍ନେକ ହେଲ୍ପ ଲାଇନ । ବରିଷ୍ଠ ନୁହେଁ ଶିଶୁଙ୍କ ଠାରୁ ଆରମ୍ଭ ହୋଇଛି ସାପ କାମୁଡ଼ା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ । ସ୍ନେକ ହେଲ୍ପ ଲାଇନ ପକ୍ଷରୁ ଭୁବନେଶ୍ୱର ଲକ୍ଷ୍ମୀସାଗର ହାଇସ୍କୁଲରେ କରାଯାଇଛି ସାପ କାମୁଡ଼ା ନେଇ ମକଡ୍ରିଲ । ଆଗାମୀ ଦିନରେ ଏହି ମକ ଡ୍ରିଲ ଅନ୍ୟ ଜିଲ୍ଲା ମାନଙ୍କରେ କରାଯିବ ବୋଲି ହେଲ୍ପ ଲାଇନ ପକ୍ଷରୁ କୁହାଯାଇଛି ।

ତେବେ ବର୍ଷା ଦିନରେ ସାରା ରାଜ୍ୟରେ ସାପ କାମୁଡା ଜନିତ ଦୁର୍ଘଟଣା ସାମ୍ନାକୁ ଆସୁଛି । ଯାହା ଚିନ୍ତାର କାରଣ ପାଲଟିଛି । ବର୍ଷା ଦିନ ପ୍ରାରମ୍ଭରେ ଅଣ୍ଡାରୁ ଛୁଆ ଫୁଟି ସ୍ୱାଭାବିକ ଭାବେ ସାପଙ୍କ ସଂଖ୍ୟା ବୃଦ୍ଧି ଘଟେ । ଏହା ସହ ଗାତରେ ପାଣି ପଶିବାରୁ ବାସହରା ହୁଅନ୍ତି ସାପ । ତେଣୁ ଏହି ସମୟରେ ସର୍ପ ଦଂଶନ ସଂଖ୍ୟା ଅହେତୁକ ବୃଦ୍ଧି ପାଇଥାଏ । ଏହାକୁ ଦୃଷ୍ଟିରେ ରଖି ସ୍ନେକ ହେଲ୍ପ ଲାଇନ ତରଫରୁ ଲୋକଙ୍କୁ ସଚେତନ କରିବା ପାଇଁ ନାନା ସମୟରେ ନୂଆ ନୂଆ ପଦ୍ଧତି ସବୁକୁ ପରୀକ୍ଷା ନିରୀକ୍ଷା କରାଯାଉଛି । ଏହି କ୍ରମରେ ଭୁବନେଶ୍ଵରର ଲକ୍ଷ୍ମୀସାଗର ଉଚ୍ଚ ବିଦ୍ୟାଳୟରେ ଅଭିନବ ପଦ୍ଧତିରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଛି । ସାପ କାମୁଡିବା ପରେ ପ୍ରାଥମିକ ଚିକିତ୍ସା ପାଇଁ କଣ କରିବା ଉଚିତ ସେଇ ସବୁ ପଦ୍ଧତିକୁ ମକ ଡ୍ରିଲ ମାଧ୍ୟମରେ ସ୍ନେକ ହେଲ୍ପ ଲାଇନ ଦ୍ୱାରା ଅଭ୍ୟାସ କରାଯାଇଛି ।

ପ୍ରଥମେ ସ୍ନେକ ହେଲ୍ପ ଲାଇନର ସଦସ୍ୟମାନେ ଅଭିନୟ ମାଧ୍ୟମରେ ସାପ କାମୁଡିବା ପରେ କିପରି ରୋଗୀକୁ ଚଲା ବୁଲା କମ କରି, ସାପ କାମୁଡ଼ିଥିବା ଅଙ୍ଗରେ ଥିବା ଚୁଡି ମୁଦି ଆଦି ଖୋଲି, କ୍ରେପ ବ୍ୟାଣ୍ଡେଜ କିମ୍ବା ଗାମୁଛା ଦ୍ଵାରା କିପରି ହାତ ବା ଗୋଡକୁ କ୍ଷତ ସ୍ଥାନର ଉପରକୁ ଗୁଡ଼େଇ ଗୁଡ଼େଇ ବାନ୍ଧିବାକୁ ହୁଏ, ସେଇ ପଦ୍ଧତି ଗୁଡିକ ଦେଖେଇ ଥିଲେ । ତା'ପରେ ଛୋଟ ଛୋଟ ପିଲାମାନେ ସମାନ କାମକୁ ମକଡ୍ରିଲ ମାଧ୍ୟମରେ ଅଭ୍ୟାସ କରିଛନ୍ତି । 4-5 ଜଣ ପିଲାଙ୍କୁ ନେଇ ଗୋଟିଏ ଗୋଟିଏ ଗ୍ରୁପ କରାଯାଇ ଜଣେ ଜଣେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନେତୃତ୍ବରେ ପିଲାମାନେ ସାପ କାମୁଡିବା ପରେ କେଉଁଭଳି ଭାବରେ ପ୍ରାଥମିକ ଚିକିତ୍ସା ସଠିକ ଭାବରେ କରିବେ ସେନେଇ ଅଭ୍ୟାସ କରିଥିଲେ ।

ଏହା ମଧ୍ୟ ପଢନ୍ତୁ- ବଞ୍ଚିଯିବ ଜୀବନ: ଜାଣନ୍ତୁ ସାପ କାମୁଡିଲେ କଣ କରିବେ, କଣ ନାହିଁ

ତେବେ ସାପ କାମୁଡାର ପ୍ରାଥମିକ ଚିକିତ୍ସାକୁ ନେଇ ଏଭଳି ମକ ଡ୍ରିଲ ଆଗରୁ କେହି କେବେ କଳ୍ପନା କରି ନ ଥିଲେ ବୋଲି କହିଛନ୍ତି ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ । ଏହି ମକ ଡ୍ରିଲ ଅଭ୍ୟାସ ଦ୍ୱାରା ପିଲାମାନଙ୍କ ମନରେ ଆମେ ପ୍ରାଥମିକ ଚିକିତ୍ସା ପାଇଁ କାହା ପରେ କେଉଁ କାମ କରିବା ଉଚିତ ତାହା ନିଶ୍ଚୟ ରେଖାଙ୍କିତ ହୋଇ ରହିବ ବୋଲି ଶୁଭେନ୍ଦୁ ପ୍ରକାଶ କରିଛନ୍ତି । ସେହିପରି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମଧୁସ୍ମିତା ବେହେରା ଏହି ମକ ଡ୍ରିଲ ଅଭ୍ୟାସକୁ ପରିଚାଳନା କରିଥିଲେ । ପିଲାମାନେ କ୍ରୀଡା ଓ ଅଭିନୟ ଛଳରେ ସାପ କାମୁଡାର ପ୍ରାଥମିକ ଚିକିତ୍ସା ଭଳି ଏକ ଜୀବନ ରକ୍ଷାକାରୀ ତଥା ଗୁରୁତ୍ବପୂର୍ଣ୍ଣ ବିଷୟରେ ଶିକ୍ଷାଲାଭ କରିବାର ସୁଯୋଗ ପାଇଲେ । ଯାହା ସେମାନଙ୍କର ମନରୁ ସହଜରେ ଲିଭିବ ନାହିଁ ବୋଲି ମଧୁସ୍ମିତା କହିଛନ୍ତି । ଏହି ମକ ଡ୍ରିଲରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସକ୍ରିୟ ସହଯୋଗ କରିଥିଲେ । ସ୍ନେକ ହେଲ୍ପ ଲାଇନ ତରଫରୁ ଲଳିତ ମୋହନ ପଣ୍ଡା, ସଞ୍ଜୟ ଦାସ, ଅମିତ ସାହୁ, ଆଶିଷ ବେହେରା ଓ ରାଜେଶ ସୁତାର ମକ ଡ୍ରିଲରେ ସହଯୋଗ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details