ଭୁବନେଶ୍ବର:ଆପଣ ରାସ୍ତାରେ ଯିବା ସମୟରେ କାହାକୁ ଫୋନ ଦେଇ କଲ କରିବା ପାଇଁ ସାହାଯ୍ୟ କରୁଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ । କାରଣ ଏଥର ଫୋନ ଚୋରି କରିବାର ନୂଆ ଫଣ୍ଡା ପଣାଇଛନ୍ତି ମୋବାଇଲ ଚୋର । ଯେଉଁମାନେ କି ଭଦ୍ର ମୁଖ ପିନ୍ଧି ରାଜଧାନୀର ଗଳିରେ ବୁଲୁଛନ୍ତି । ଆଉ ସୁଯୋଗ ପାଇଁ ସାହାଯ୍ୟର ମାଗିବାର ଆଳରେ ଆପଣଙ୍କର ଦାମୀ ଫୋନକୁ ଚୋରି କରି ନେଉଛନ୍ତି । ରାଜଧାନୀରେ ଜଣେ ପାଠ ପଢୁଆ ଯୁବକ ଏବେ ଏପରି ଠକାମିର ଶିକାର ହୋଇଛନ୍ତି । ଜଣେ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ଭାବି କଲ କରିବାକୁ ଫୋନ ଦେଇଥିଲେ ଯୁବକ ଜଣଙ୍କ । କିନ୍ତୁ ଫୋନ ଧରି ବ୍ୟକ୍ତି ଜଣଙ୍କ ଚମ୍ପଟ ହେବା ପରେ ଏନେଇ ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି ଲୁଟ ଶିକାର ହୋଇଥିବା ରାମ ରାଘବ ସାହୁ । ସେ ଭୁବନେଶ୍ୱର ରେ ପାଠ ପଢା ସହ ଇନଜିଓରେ କାମ କରୁଛନ୍ତି । ସେ ତାଙ୍କ ବନ୍ଧୁଙ୍କୁ ଜୟଦେବ ବିହାର ଦେଖା କରିବାକୁ ଯାଉଥିବା ସମୟରେ ଲୁଟେରା ତାଙ୍କ ଠାରୁ ଫୋନଟି ଛଡାଇ ନେଇଥିବା ସେ ଅଭିଯୋଗ କରିଛନ୍ତି ।
ଘଟଣାଟି ଥିଲା ଏମିତି:ଫୋନ ଚୋରି ହୋଇଥିବା ଯୁବକ ବା ଅଭଯୋଗକାରୀଙ୍କ କହିବା ମୁତାବକ ସେ ଆଚାର୍ଯ୍ୟ ବିହାର ଛକରୁ ଜୟଦେବ ବିହାର ପର୍ଯ୍ୟନ୍ତ ଚାଲି ଚାଲି ଯାଉଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ଆସି ତାଙ୍କୁ ଫୋନ ମାଗିଥିଲେ। ମୋ ଫୋନ ସ୍ଵିଚଅଫ ଅଛି ମୋତେ ଅର୍ଜେଣ୍ଟ କଲ କରିବାର ଅଛି ବୋଲି ରାମ ରାଘବଙ୍କୁ କହିଥିଲେ ଲୁଟେରା ଜଣଙ୍କ । ଏହା ଶୁଣିବା ପରେ ସାହାଯ୍ୟ କରିବା ପାଇଁ ରାମ ରାଘବ ତାଙ୍କ ଫୋନରେ ନମ୍ବର ଡାଇଲ କରି ବ୍ୟକ୍ତି ଜଣଙ୍କୁ ଦେଇଥିଲେ । ଏହାପରେ ଆଖ ପାଖରେ କେହି ନ ଥିବା ଦେଖି ଫୋନ ଧରି ଏକ ବାଇକରେ ଚମ୍ପଟ ମାରିଥିଲେ ମୋବାଇଲ ଲୁଟେରା ।