ଖୋର୍ଦ୍ଧା: 'ମୋ ଦଳ'ର ସାଙ୍ଗଠନିକ ବୈଠକ । ବୌଠକରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ମୋ ଦଳର କର୍ମକର୍ତ୍ତା । ବିଜେଡି ସରକାରର 24 ବର୍ଷ ଶାସନ ଉପରେ ଉଠାଇଲେ ପ୍ରଶ୍ନବାଚୀ । ନିର୍ବାଚନ ଆସିଲେ ଶାସକ ଦଳ ଲୋକମାନଙ୍କୁ ପ୍ରଲୋଭିତ କରି ଭୋଟ ହାତଉଥିବା ଅଭିଯୋଗ କଲା ମୋ ଦଳ ।
ତେବେ ଆଜି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ପିଚୁକୁଳି କଲ୍ଯାଣ ମଣ୍ଡପ ପରିସରରେ 'ମୋ ଦଳ'ର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା । ଦଳର ଜିଲ୍ଲା ସଭାପତି ସୁରେଶ ଚନ୍ଦ୍ର ମାନସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ମୁଖ୍ଯ ଅତିଥି ରୂପେ ରାଷ୍ଟ୍ରିୟ ସଂଯୋଜକ ଅକ୍ଷୟ କୁମାର ଓ ରାଜ୍ଯ ସଂଯୋଜକ ଶେଷଦେବ ନନ୍ଦ ଯୋଗଦେଇ ଜନସାଧାରଣ ଭିକ ନୁହେଁ ହକ ଚାହାନ୍ତି ବୋଲି ପ୍ରକାଶ କରିଥିଲେ । ଦଳର ରାଜ୍ୟ ଯୁବ ସଭାପତି ମହମ୍ମଦ ମନୱର ଅଲ୍ଲୀ ମଣ୍ଡିରେ ଚାଷୀଙ୍କ ଧାନରୁ ହଡ଼ପ କରାଯାଉଥିବା ୭/୮ କିଲୋ ଧାନ କଟନୀ ଛଟନୀକୁ କଡ଼ା ସମାଲୋଚନା କରିଥିଲେ । ଏଭଳି ଚାଷୀମାରଣ ନୀତିକୁ ସମସ୍ତ ରାଜନୈତିକ ଦଳ ସମର୍ଥନ କରୁଥିବା ଅଭିଯୋଗ କରିଥିଲେ ।
ଏହାସହ ନବ ନିର୍ମାଣ କୃଷକ ସଙ୍ଗଠନ ଗତ ୧୨ ବର୍ଷ ଧରି ଚାଷୀଙ୍କୁ କ୍ୱିଣ୍ଟାଲ ପ୍ରତି ୫ ହଜାର ଟଙ୍କା ମୂଲ୍ୟ ପ୍ରଦାନ କରିବା, ବାର୍ଦ୍ଧକ୍ୟ ଭତ୍ତା ୨ ହଜାର ପ୍ରଦାନ କରିବାକୁ ଲଗାତର ଭାବେ ଦାବି କରିଆସୁଛି । ସରକାର ଚାଷୀଙ୍କ କଣ୍ଠରୋଧ କରିଛନ୍ତି । ଦାବି ହାସଲ କରିବା ପାଇଁ ଚାଷୀଙ୍କୁ ରାଜରାସ୍ତାକୁ ଆସିବାକୁ ଦିଆଯାଉନି । ଓଡିଶାର ପ୍ରାକୃତିକ ସମ୍ପଦରୁ ଚାଷୀଙ୍କୁ ଭାଗ ମିଳୁନାହିଁ । ଭୋଟ ଆସିଲେ, ଜୋତା, ଛତା, ଚାଉଳ, ମମତା ଆଦି ଭିକ ଦିଆଯାଇ ପ୍ରଲୋଭିତ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ଅଗାମୀ ୨୦୨୪ ମସିହାରେ ‘ଚାଷୀ ସରକାର’ ଗଠନ ପାଇଁ ଲକ୍ଷ୍ୟ ରଖାଯାଇଥିବା ନେଇ କହିଛନ୍ତି ଶେଷଦେବ ନନ୍ଦ ।