ଭୁବନେଶ୍ବର/ଖୋର୍ଦ୍ଧା: ବସଯାତ୍ରୀଙ୍କ ପାଇଁ ଖୁସି ଖବର । ବର୍ତ୍ତମାନ ରାଜ୍ୟର ଆଉ ୩ ଜିଲ୍ଲାକୁ ଗଡିବ ମୋ ବସ୍ । ଗଞ୍ଜାମ, ଝାରସୁଗୁଡା ଓ ସମ୍ବଲପୁର ଜିଲ୍ଲାରେ ମିଳିବ ମୋ ବସ୍ ସେବା । ତିନୋଟି ଜିଲ୍ଲାର ୯ଟି ସହରରେ ଏହି ବସ୍ ସେବା ସମ୍ପ୍ରସାରିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି । ସମ୍ବଲପୁର-ଝାରସୁଗୁଡା-ବ୍ରଜରାଜନଗର-ବେଲପାହାଡ କ୍ଲଷ୍ଟର ଏବଂ ବ୍ରହ୍ମପୁର-ଗୋପାଳପୁର-ଛତ୍ରପୁର-ହିଞ୍ଜିଳିକାଟୁ-ଦିଗପହଣ୍ଡି କ୍ଲଷ୍ଟରରେ ଏହି ବସ୍ ଚଳାଚଳ କରିବ । ୩ ଜିଲ୍ଲାରେ ମୋ ବସ୍ ଚାଲିବା ଦ୍ୱାରା ୧୧ ଲକ୍ଷ ୬୧ ହଜାର ଲୋକ ଉପକୃତ ହୋଇପାରିବେ । ଏନେଇ ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ପୂର୍ବରୁ ଉକ୍ତ ୯ଟି ସହରରେ ସିଟି ବସ୍ ଚାଲୁଥିବା ବେଳେ ମୋ ବସ୍ ଚଳାଚଳ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ୨୦୧୮ ନଭେମ୍ବର ୬ରେ ଆରମ୍ଭ ହୋଇଥିଲା ମୋ ବସ୍ ସେବା । ଭୁବନେଶ୍ୱରରେ ମୋ ବସକୁ କ୍ରୁଟ ଅପରେଟ କରୁଛି । ବର୍ତ୍ତମାନ ୭ଟି ଜିଲ୍ଲାରେ ୩୯୦ଟି ବସ୍ ଚଳାଚଳ କରୁଛି । ପ୍ରତିଦିନ ୨.୩ ଲକ୍ଷ ଲୋକ ଏହି ସେବାରେ ଉପକୃତ ହେଉଛନ୍ତି । ତେବେ ଲୋକଙ୍କୁ ଦାବିକୁ ଦୃଷ୍ଟିରେ ରଖି ଆଗକୁ ଅନ୍ୟ ସହରରେ ମୋ ବସ୍ ସେବା ସମ୍ପ୍ରସାରଣ କରାଯିବ ବୋଲି ଗୃହ ଓ ସହରାଞ୍ଚଳ ବିକାଶ ବିଭାଗର ସ୍ୱତନ୍ତ୍ର ସଚିବ ସାଗରିକା ପଟ୍ଟନାୟକ କହିଛନ୍ତି ।
ହକି ବିଶ୍ୱକପ ସମୟରେ ରାଉଲକେଲାରେ ମୋ ବସ୍ ସେବା ଆରମ୍ଭ ହୋଇଥିଲା । ବର୍ତ୍ତମାନ ତାହା ୧୦୦ରେ ପହଞ୍ଚି ଥିବାବେଳେ ୨୭ ହଜାର ଲୋକ ଉପକୃତ ହେଉଛନ୍ତି । ଆଗକୁ ଏହି ସବୁ ଜିଲ୍ଲାରେ ମୋ ବସ୍ କିଭଳି ସୁପରିଚାଳନା ହେବ ସେଥିପାଇଁ ଯୋଜନା ହେଉଛି ।