ଭୁବନେଶ୍ବର :ଗୋଡ଼ ଭାଙ୍ଗିଦେଲା ମୋ ବସ୍ । ଭବିଷ୍ୟତ ଅପଙ୍ଗ କରିଦେଲା ମୋ ବସ । ମୋ ବସ୍ ଦୁର୍ଘଟଣାରେ ରାଜଧାନୀରେ ୯ମ ଶ୍ରେଣୀ ଛାତ୍ରୀ ଗୁରୁତର । ସ୍କୁଲ ଯାଉଥିବା ଛାତ୍ରୀ ଉପରେ ଚଢ଼ିଗଲା ବସ। ଫଳରେ ଛାତ୍ରୀର ଭାଙ୍ଗିଗଲା ଗୋଡ଼ । ଏବେ ଭବିଷ୍ୟତ ନେଇ ଭୟରେ ପରିବାର । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଖଣ୍ଡଗିରି ଥାନା ଜାଗମରା ଛକ ପାଖରେ ।
ଯେଉଁଠି ଛାତ୍ରୀ ଜଣକ ଯିବା ବାଟରେ ଏଭଳି ଏକ ଦୁର୍ଘଟଣାର ସାମ୍ନା କରିଛି । ସବୁଦିନ ପରି ରଙ୍ଗମାଟିଆରୁ ଡୁମୁଡୁମା ଯାଉଥିବା ୨୫ନମ୍ବର ରୁଟର ବସଟି ଯିବା ବେଳେ ଏଭଳି ଅଘଟଣ ଘଟିଛି। ଛାତ୍ରୀର ଗୋଡ଼ ଉପରେ ମୋ ବସ ଚଢ଼ି ଯିବାରୁ ଗୁରୁତର ଭାବେ ଆହତ ହୋଇଥିଲେ ଛାତ୍ରୀ ଜଣକ। ଏହାଦେଖି ସ୍ଥାନୀୟ ଲୋକେ ତୁରନ୍ତ ଗୁରୁତର ଛାତ୍ରୀଙ୍କୁ ଉଦ୍ଧାର କରି ଏମସ୍ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।
ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିଟିକୁ ଥାନାରେ ଅଟକ ରଖିଛି । ତେବେ ଘଟଣା ସମ୍ପର୍କରେ ମୋ ବସ୍ କର୍ତ୍ତୃପକ୍ଷ ଏନେଇ କୌଣସି ସ୍ପଷ୍ଟିକରଣ ରଖିନାହାଁନ୍ତି। ଘଟଣାପରେ ଛାତ୍ରୀର ପରିବାର ଭୟଭୀତ ହୋଇପଡ଼ିଛନ୍ତି । କାରଣ ଝିଅଟି ହୋଇଥିବାରୁ ଛାତ୍ରୀ ଜଣକ ଏବେ କ'ଣ କରିବେ । ଗୋଡ଼ ପୂର୍ବ ଭଳି ସ୍ବାଭାବିକ ପରିସ୍ଥିତିକୁ ଫେରିପାରିବ ନା ନାହିଁ ।
ସେପଟେ ଏମସରେ ଚିକିତ୍ସା ଚାଲିଥିବା ବେଳେ ଛାତ୍ରୀଜଣକ ମାନସିକ ସନ୍ତୁଳନ ହରାଉଛନ୍ତି । ତେବେ ଦୁର୍ଘଟଣା ଘଟିବା ପରେ ଦୋଷ କାହାର ତାହା ତ ଏବେ ବଡ ପ୍ରଶ୍ନ । ଏବେ କ୍ଷତି ଅଧିକ କାହାର ହୋଇଛି ତାହା ମଧ୍ୟ ଆଲୋଚ୍ୟର ବିଷୟ ହୋଇଛି । ମୋ ବସ୍ କର୍ତ୍ତୃପକ୍ଷ ଏନେଇ ଅବଗତ ଅଛନ୍ତି କି ନାହିଁ । ଏସମ୍ପର୍କରେ କାହିଁକି ସ୍ପଷ୍ଟୀକରଣ ଦେଉନାହାଁନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି ।
ଇଟିଭି ଭାରତ, ଭୁବନେଶ୍ବର