ଓଡିଶା

odisha

By

Published : Apr 3, 2023, 7:05 PM IST

ETV Bharat / state

ମେକ୍‌ ଇନ୍‌ ଓଡ଼ିଶା ନାଁରେ ପ୍ରହସନ କରୁଛନ୍ତି ସରକାର: ସୁର ରାଉତରାୟ

ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ ନେଇ ବିଧାୟକ ସୁର ରାଉତରାୟଙ୍କ ପ୍ରତିକ୍ରିୟା । ରାଜ୍ୟବାସୀଙ୍କ ଟଙ୍କାରେ ଜାପାନ ବୁଲିବାକୁ ଯାଇଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢ଼ନ୍ତୁ

sura routray reaction on cm Naveen's japan visit
ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ ନେଇ ସୁରଙ୍କ ପ୍ରତିକ୍ରିୟା

ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ ନେଇ ସୁରଙ୍କ ପ୍ରତିକ୍ରିୟା

ଭୁବନେଶ୍ବର: ମେକ୍‌ ଇନ୍ ଓଡ଼ିଶା ନାଁରେ ରାଜ୍ୟ ସରକାର ପ୍ରହସନ କରୁଛନ୍ତି । ଅନ୍ୟଥା କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ବିଭିନ୍ନ ରାଜ୍ୟ ତଥା ବିଦେଶରେ ମେକ୍‌ ଇନ୍ ଓଡ଼ିଶା କନକ୍ଲେଭ କରୁଛନ୍ତି । ହେଲେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କେତେ ନିବେଶକ ପୁଞ୍ଜି ନିବେଶ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁର ରାଉତରାୟ । ମୁଖ୍ୟମନ୍ତ୍ରୀ ସରକାରୀ ଅର୍ଥ ତୋଷରପାତ କରୁଛନ୍ତି ହେଲେ ଆଖିଦୃଶିଆ ଶିଳ୍ପ ପ୍ରତିଷ୍ଠା ଏପର୍ଯ୍ୟନ୍ତ ହୋଇ ପାରିଲା ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ ନେଇ ଏପରି କହିଛନ୍ତି ସୁର ରାଉତରାୟ ।


ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତରେ ପ୍ରତିକ୍ରିୟା ଦେଇ ସୁର କହିଛନ୍ତି, "ଦେଶ ଓ ବିଦେଶର ବିଭିନ୍ନ ସ୍ଥାନରେ ମେକ୍‌ ଇନ୍ ଓଡ଼ିଶା ସମ୍ମିଳନୀର ଆୟୋଜନ କରି ନିବେଶକଙ୍କ ସହ ଆଲୋଚନା କରିଛନ୍ତି ନବୀନ । ରାଜ୍ୟରେ ମଧ୍ୟ ତିନି ଦିନ ଧରି ବିଶାଳ ଭାବେ ସମ୍ମିଳନୀ କରି ବିଭିନ୍ନ ଦେଶର ବିଶିଷ୍ଟ ପୁଞ୍ଜୀପତିଙ୍କ ସହ ଆଲୋଚନା କରିଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ କେତେ ନିବେଶକ ରାଜ୍ୟରେ ପୁଞ୍ଜି ନିବେଶ କରିଛନ୍ତି ? ଏହା ଦ୍ବାରା ଓଡ଼ିଶାରେ କଣ ବିକାଶ ଘଟିଛି, କିଛି ଜଣାପଡୁନାହିଁ । ଲୋକଙ୍କ ଟଙ୍କାରେ ସେ ବୁଲିବାକୁ ଯାଇଛନ୍ତି । ମୁଖ୍ୟମନ୍ତ୍ରୀ ଜାପାନ ଯାଆନ୍ତୁ ଏବଂ ରାଜ୍ୟକୁ ପୁଞ୍ଜି ଆଣନ୍ତୁ । ପର୍ଯ୍ୟାପ୍ତ ନିଯୁକ୍ତି ସୃଷ୍ଟି କରାଯିବା ସହ ବେକାରୀ ସମସ୍ୟା ଦୂର ହେଉ ।"

ପ୍ରକାଶ ଥାଉକି, ଆଜିଠାରୁ ସାତଦିନିଆ ଜାପାନ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜାପାନର ୩ ପ୍ରମୁଖ ସହର ଟୋକିଓ, କିୟୋଟୋ ଓ ଓସାକ୍କାରେ ନିବେଶକଙ୍କୁ ଭେଟିବେ ନବୀନ । ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କ ଏହା ପ୍ରଥମ ଜାପାନ ଏବଂ ତୃତୀୟ ବିଦେଶ ଗସ୍ତ । ୨୫ ବର୍ଷର ମୁଖ୍ୟମନ୍ତ୍ରୀତ୍ୱ କାଳରେ ନବୀନ ପଟ୍ଟନାୟକ ତୃତୀୟ ଥର ଲାଗି ବିଦେଶ ଗସ୍ତରେ ଯାଇଛନ୍ତି । ସପ୍ତାହବ୍ୟାପୀ ଗସ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଜାପାନର ନିବେଶକଙ୍କୁ ଭେଟିବେ । ଏପ୍ରିଲ ୪ରୁ ୯ ମଧ୍ୟରେ ଏକାଧିକ ବିଜନେସ ସମିଟ୍‌ ଓ ନିବେଶକ ସମ୍ମିଳନୀରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ । ଜାପାନର ୩ ପ୍ରମୁଖ ସହରରେ ଏହି ସମ୍ମିଳନୀ ଆୟୋଜନ ହେବ । ଟୋକିଓ, କିୟୋଟୋ ଓ ଓସାକ୍କାରେ ନିବେଶକଙ୍କୁ ଭେଟି ଓଡ଼ିଶାରେ ପୁଞ୍ଜିନିବେଶ ନେଇ ଆଲୋଚନା କରିବେ ନବୀନ । ଓଡ଼ିଶାରେ ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ କଣ କଣ ସୁଯୋଗ ରହିଛି ତାହା ନିବେଶକଙ୍କୁ ବୁଝାଇବେ ରାଜ୍ୟ ସରକାର । ବିଶେଷକରି ପର୍ଯ୍ୟଟନ, ଖାଦ୍ୟ ପ୍ରକ୍ରିୟାକରଣ, ଶିଳ୍ପ, ଆଇଟି ଆଦି କ୍ଷେତ୍ରରେ କଣ ସୁଯୋଗ ରହିଛି ଓ ରାଜ୍ୟ ସରକାର କି ସହଯୋଗ କରିବେ ସେନେଇ ତାଙ୍କୁ ଅବଗତ କରାଇବେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details