ଭୁବନେଶ୍ବର: ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନର ଆଜି ଚତୁର୍ଥ ଦିନ ଥିବାବେଳେ ଗୃହକାର୍ଯ୍ୟ ସ୍ବାଭାବିକ ଚାଲିଛି । ପ୍ରଶ୍ନକାଳରେ ସୁରୁଖୁରୁରେ ଆଲୋଚନା ହୋଇଛି । ଆଜି ପ୍ରଶ୍ନକାଳରେ ଉପରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଭାଗଚାଷୀ ପ୍ରସଙ୍ଗ ଉଠାଇଛନ୍ତି । ବିଜେପି ବିଧାୟକ ପ୍ରଶ୍ନ କରିଛନ୍ତି ଯେ, ସରକାର ଭାଗଚାଷୀଙ୍କୁ ଚାଷୀର ମାନ୍ୟତା ଦେଉନାହାନ୍ତି କାହିଁକି । ସରକାର ଚାଷ ଓ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ମାଳ ମାଳ ଯୋଜନା କରୁଛନ୍ତି । କୃଷି କ୍ୟାବିନେଟରେ ସ୍ବତନ୍ତ୍ର ବଜେଟ କଲେ, କିନ୍ତୁ ଚାଷୀର ଆୟ କେତେ ବଢ଼ିଛି ? ସର୍ବଭାରତୀୟ ସ୍ତରରେ ଓଡ଼ିଶା ଚାଷୀଙ୍କ ବାର୍ଷିକ ଆୟ ସବୁଠାରୁ କମ୍ କାହିଁକି ବୋଲି ନିତ୍ୟାନନ୍ଦ ପଚାରିଛନ୍ତି ।
ଏନେଇ କୃଷି ମନ୍ତ୍ରୀ ରାଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୃହରେ ଉତ୍ତର ରଖିଛନ୍ତି, ଜାତୀୟ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ଚାଷୀଙ୍କ ଆୟ ନିର୍ଦ୍ଧାରଣ କରାଯାଇଥାଏ । 2012ରେ ଚାଷୀଙ୍କ ମାସିକ ଆୟ 4976 ଟଙ୍କା ଥିବାବେଳେ 2019ରେ ଏହା 5,112 ଟଙ୍କା ରହିଥିଲା । ତେବେ 2012 ବର୍ଷର 2019 ବର୍ଷ ସହ ଚାଷୀଙ୍କ ଆୟ ତୁଳନା ଠିକ ନୁହେଁ । କାରଣ 2018ରେ ତିତଲୀ ଓ 2019ରେ ଫନି ବାତ୍ୟା ଆସିଥିଲା । ସେହିପରି ଖରିଫ ସମୟରେ ମରୁଡ଼ି ଆସିଲା । ଯାହା ସେମାନଙ୍କ ଆୟ ବୃଦ୍ଧିକୁ ପ୍ରଭାବିତ କରିଥିଲା । ଏହି ଅସଂଗତି ଦୂର କରିବାକୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ।