ଭୁବନେଶ୍ବର:ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଏବେ ଆରମ୍ଭ ହୋଇଛି ଟ୍ବିଟର ଓ୍ବାର । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ବିଟକୁ ନେଇ କଡା ଜବାବ ଦେଲେ ବିଜେଡି ବିଧାୟିକା ବର୍ଷା ସିଂ ବରିହା । ଓଡ଼ିଶା ସଂପର୍କରେ ମିଥ୍ୟା ଅଭିଯୋଗ ତଥା ଅପପ୍ରଚାର କରି କେନ୍ଦ୍ରମନ୍ତ୍ରୀ ଓଡ଼ିଶାବାସୀଙ୍କୁ ଅପମାନିତ କରିଥିବାରୁ ତାଙ୍କୁ ଲଜ୍ଜା ଲାଗିବା ଉଚିତ ବୋଲି କହିଛନ୍ତି ପଦ୍ମପୁର ବିଧାୟିକା ।
କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଟୁଇଟ କରି ବର୍ଷା କହିଛନ୍ତି ଯେ,''ପଦ୍ମପୁର ଉପନିର୍ବାଚନ ସମୟରେ ଯେତେବେଳେ ଓଡ଼ିଶା ବିଜେପି ନେତାମାନେ ମୋତେ ବ୍ୟକ୍ତିଗତ ଆକ୍ଷେପ କରୁଥିଲେ । ଜଣେ ମହିଳା ବୋଲି ଅପମାନିତ କରୁଥିଲେ । ଆପଣ ସେତେବେଳେ ଚୁପ ରହିଥିଲେ । ପଦ୍ମପୁରବାସୀ ଏହାକୁ ନାପସନ୍ଦ କଲେ । ଉପନିର୍ବାଚନରେ ଆପଣଙ୍କ ଦଳକୁ ଏହାର ଉଚିତ ଜବାବ ଦେଲେ । ମାତ୍ର ଏଥିରୁ ଆପଣ ବୋଧହୁଏ କିଛି ଶିକ୍ଷା ଲାଭ କଲେ ନାହିଁ । ଏବେ ଆପଣ ନିଜେ ଓଡ଼ିଶାବାସୀ ଅରାଜକତା କରୁଥିବା କହି କୋଟି କୋଟି ଓଡ଼ିଆଙ୍କୁ ଅପମାନିତ କରୁଛନ୍ତି । ବୋଧହୁଏ ଅରାଜକତା ଏବଂ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା କ’ଣ ତାହା ଆପଣ ଜାଣି ନାହାନ୍ତି । ତାହେଲେ ବିଜେପି ଶାସିତ ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଓ ଗୁଜରାଟର ଆଇନଶୃଙ୍ଖଳା ସ୍ଥିତି କ’ଣ ତାହା ଦେଖନ୍ତୁ । ଏହା କହିବା ସହ ବର୍ଷା ତାଙ୍କ ଟୁଇଟରେ ଅରାଜକତାର କିଛି ଭିଡିଓ ମଧ୍ୟ ସେୟାର କରିଛନ୍ତି ।''
ବର୍ଷା କେନ୍ଦ୍ରମନ୍ତ୍ରୀଙ୍କୁ ସମାଲୋଚନା କରି ଆହୁରି ମଧ୍ୟ କହିଛନ୍ତି ଯେ, ''ପ୍ରଥମେ ଆପଣମାନେ ମୋ ଭଳି ଓଡ଼ିଶାର ମହିଳାମାନଙ୍କୁ ଅପମାନିତ କଲେ । ଆଉ ଏବେ ତୁଚ୍ଛା ମିଛ ପ୍ରଚାର କରି ଓଡ଼ିଶାବାସୀଙ୍କୁ ବଦନାମ ଓ ଅପମାନିତ କରିବାକୁ ଚେଷ୍ଟା କରୁଛନ୍ତି । ଏଥିପାଇଁ ଆପଣଙ୍କୁ ଲଜ୍ଜା ଲାଗିବା ଦରକାର । ସ୍ବାଭିମାନୀ ଏବଂ ଶାନ୍ତିପ୍ରିୟ ଓଡ଼ିଶାବାସୀ ସେମାନଙ୍କ ବିରୋଧରେ ଆପଣଙ୍କର ଏଭଳି ଟିପ୍ପଣିକୁ କେବେ ହେଲେ ବରଦାସ୍ତ କରିବେ ନାହିଁ । ''