ଭୁବନେଶ୍ବର: ''ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ମୃତ୍ୟୁ ପରେ ଓଡ଼ିଶା ବିଜେପିର କିଛି ନେତା ତାଙ୍କୁ ନିନ୍ଦିତ କରିବାକୁ ଉଦ୍ୟମ କରୁଛନ୍ତି । ଏହା ଆମ ହିନ୍ଦୁ ପରମ୍ପରା ଓ ଓଡ଼ିଆ ସଂସ୍କୃତିରେ ଆଦୌ ଗ୍ରହଣୀୟ ନୁହେଁ । ରାଜନୈତିକ ଉଦ୍ଦେଶ୍ୟ ରଖି ଦିବଂଗତ ନେତାଙ୍କ ଉପରେ କଟୁ ମନ୍ତବ୍ୟ ଦେବାରୁ ଆପଣଙ୍କ ଦଳର ନେତାଙ୍କୁ ନିବୃତ୍ତ ରଖନ୍ତୁ ।'' କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟ୍ବିଟ୍ କରି ଏପରି ଅନୁରୋଧ କରିଛନ୍ତି ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ।
ବିଧାୟିକା ବର୍ଷା ଆହୁରି ଟ୍ବିଟ୍ କରିଛନ୍ତି ଯେ, ଯେତେବେଳେ ମୋ ବାପାଙ୍କର ଦେହାନ୍ତ ହୋଇଥିଲା, ସେତେବେଳେ ମଧ୍ୟ ରାଜ୍ୟ ବିଜେପିର କିଛି ନେତା ଠିକ୍ ଏମିତି ଆକ୍ଷେପ କରୁଥିଲେ । ମୋ ଚରିତ୍ର ଓ ବାହାଘରକୁ ନେଇ କୁତ୍ସାରଟନା କରୁଥିଲେ । ମୁଁ ସମସ୍ତଙ୍କୁ ହାତ ଯୋଡ଼ି ଯେତେ ଅନୁରୋଧ କଲେ ବି ସେମାନେ ଆକ୍ରୋଶମୂଳକ ଭାବେ ବ୍ୟକ୍ତିଗତ ଆକ୍ରମଣ ଜାରି ରଖିଥିଲେ । ଏହା ମୋତେ ଏବଂ ମୋ ପରିବାରକୁ ଗଭୀର ମାନସିକ ଆଘାତ ଦେଇଥିଲା ।
ସେତେବେଳେ ମୁଁ ଆପଣଙ୍କୁ ମଧ୍ୟ ଅନୁରୋଧ କରିଥିଲି, ଦୟାକରି ମୋତେ ଏପରି ଆକ୍ଷେପ କରିବାକୁ ଆପଣଙ୍କ ଦଳର ଏହି ନେତାମାନଙ୍କୁ ବାରଣ କରନ୍ତୁ । ତଥାପି ଆପଣ କିଛି କଲେନି, ବୋଧେ ଜାଣିଶୁଣି ନୀରବ ରହିଲେ । ଏହା ମୋତେ ଖୁବ୍ ଦୁଃଖ ଦେଇଥିଲା । ଏବେ ସମାନ ଢଙ୍ଗରେ ସ୍ୱର୍ଗତ ନବକିଶୋର ଦାସଙ୍କ ଚରିତ୍ର ସଂହାର ପାଇଁ ଯେଉଁ ଉଦ୍ୟମ ହେଉଛି, ଏହାଦ୍ବାରା ତାଙ୍କ ଝିଅ ଓ ପରିବାରର ଅନ୍ୟ ସଦସ୍ୟମାନଙ୍କୁ କେତେ ମାନସିକ ଯନ୍ତ୍ରଣା ହେଉଥିବ, ତାହା ମୁଁ ଅନୁଭବ କରିପାରୁଛି । ତେଣୁ ଆପଣଙ୍କୁ ମୋର ଅନୁରୋଧ, ଅନ୍ତତଃ ପକ୍ଷେ ନୀରବ ରୁହନ୍ତୁ ନାହିଁ କି ଏହାକୁ ପରୋକ୍ଷ ଭାବେ ସମର୍ଥନ କରନ୍ତୁ ନାହିଁ । ଦୟାକରି ଆପଣଙ୍କ ଦଳର ନେତାମାନଙ୍କୁ କୁହନ୍ତୁ, ଜଣେ ମୃତ ବ୍ୟକ୍ତିଙ୍କ ସଂପର୍କରେ ସେମାନେ ଏପରି ହୀନ ମନ୍ତବ୍ୟ ଦେବାରୁ ନିଜକୁ କ୍ଷାନ୍ତ ରଖନ୍ତୁ ।
ନବ ଦାସ ହତ୍ୟକାଣ୍ଡକୁ ନେଇ ବିବାଦ ଧମିବାର ନାଁ ନେଉନାହିଁ । କିଛି ଦିନ ତଳେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ବଡ ବୟାନ ଦେଇଥିଲେ । ସେ କହିଥିଲେ ଯେ, ମୋ ପାଖରେ ତଥ୍ୟ ଅଛି ଅଭିଯୁକ୍ତ ଗୋପାଳ ନିଜ ଝିଆରୀକୁ ନେଇ ନବ ବାବୁଙ୍କ ପାଖକୁ ଯାଉଥିଲେ । ସେତେବେଳେ କ'ଣ ଅଘଟଣ ନ ଘଟିଥାଇପାରେ ବୋଲି କିଏ କହିବ । କଂଗ୍ରେସ ନେତାଙ୍କ ଏହି ବୟାନ ପରେ ଦିବଂଗତ ମନ୍ତ୍ରୀଙ୍କ ଝିଅ ଦୀପାଳି ଦାସ କଡା ପ୍ରତିକ୍ରିୟା ରଖିଥିଲେ ।
ଇଟିଭି ଭାରତ, ଭୁବନେଶ୍ବର