ଖୋର୍ଦ୍ଧା: ମିଶନ ଶକ୍ତି ମେଗା ଋଣ ମେଳା ସ୍ଥାନୀୟ ଜୟୀ ରାଜଗୁରୁ ଟାଉନ ହଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ଯୋଗଦେଇ ମହିଳା ମାନଙ୍କ ଆର୍ଥିକ ବିକାଶ ଉପରେ ଗୁରୁତ୍ବାରୋପ କରିଥିଲେ । ସାରା ରାଜ୍ୟରେ ସ୍ବୟ ସହାୟକ ଗୋଷ୍ଠୀର ପ୍ରାୟ ୭୦ ଲକ୍ଷ ସଦସ୍ୟାମାନଙ୍କୁ ନେଇ ମିଶନ ଶକ୍ତି କାର୍ଯ୍ୟ କରୁଛି । ବିଭିନ୍ନ ସାମାଜିକ କ୍ଷେତ୍ରରେ ମହିଳା ମାନଙ୍କ ସଂପୃକ୍ତି ଦ୍ବାରା ଉନ୍ନତି ସାଧିତ ହୋଇ ପାରିବ ବୋଲି କହିଥିଲେ ଖୋର୍ଦ୍ଧା ବିଧାୟକ ।
ସେହିଭଳି ଜୟଦେବ ବିଧାୟକ ଅରବିନ୍ଦ ଢାଲି ଯୋଗଦେଇ ମିଶନ ଶକ୍ତି ଦ୍ବାରା ମହିଳାମାନେ ବିଭିନ୍ନ କ୍ଷେତ୍ରରେ ନିଜର ଦକ୍ଷତା ପରିପ୍ରକାଶ କରିବାରେ ସଫଳ ହୋଇପାରିଛନ୍ତି । ସେମାନଙ୍କ ଦ୍ବାରା ହିଁ ବିକାଶ ପ୍ରକ୍ରିୟା ତ୍ବରାନ୍ବିତ ହୋଇ ପାରିବ ବୋଲି ସେ କହିଥିଲେ । ଲକ୍ଷ୍ୟ ଓ ନିଷ୍ଠା ରଖି କାର୍ଯ୍ୟ କଲେ ସଫଳତା ହାସଲ ଅସମ୍ଭବ ନୁହେଁ ବୋଲି କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଜିଲ୍ଲାପାଳ। ସୀମିତ ସମ୍ବଳରୁ ସାଧୁତାର ସହ ଜୟଯାତ୍ରା ଆରମ୍ଭ କଲେ ଆଗାମୀ ପିଢି ପାଇଁ ମାର୍ଗଦର୍ଶକ ହୋଇ ପାରିବା ନେଇ ସେ ଉଲ୍ଲେଖ କରିଥିଲେ ।
ଏହି ଅବସରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନସିଂ, ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ, ଏଲଡିଏମ୍ ଦିଲ୍ଲିପ କୁମାର ଭୂୟାଁ, ଭାରତୀୟ ଷ୍ଟେଟବ୍ୟାଙ୍କ ଡିଜିଏମ୍ ମନମୋହନ ସ୍ବାଇଁ ପ୍ରମୁଖ ଯୋଗଦେଇ ମହିଳା ମାନଙ୍କ ଆର୍ଥିକ ଓ ସାମାଜିକ ବିକାଶ ଉପରେ ଗୁରୁତ୍ବାରୋପ କରିଥିଲେ ।