ଭୁବନେଶ୍ବର:ହକି ତାରକାଙ୍କ ଘରେ କଳା କନା ବୁଲାଇଲେ ଦୁର୍ବୃତ୍ତ । ପୂର୍ବତନ ହକି ଖେଳାଳି ତଥା ପୂର୍ବତନ ହକି କ୍ୟାପଟେନ ପ୍ରବୋଧ ତିର୍କିଙ୍କ ଘରୁ ଅନେକ ମୂଲ୍ୟବାନ ଜିନିଷ ପଦାର୍ଥ ସହ ତାଙ୍କ ସମସ୍ତ ପରିଶ୍ରମକୁ ମଧ୍ୟ ଚୋରି କରିନେଇଛନ୍ତି । ଖେଳ କ୍ୟାରିଅର ଭିତରେ ଜିତିଥିବା ସମସ୍ତ ମେଡାଲକୁ ଏହି ଦୁର୍ବୃତ୍ତମାନେ ଚୋରି କରିନେଇଥିବା ଜଣାପଡ଼ିଛି । ସବୁଠୁ ଆଶ୍ଚର୍ଯ୍ୟକର କଥା ରାଜଧାନୀର ହାଇସିକ୍ୟୁରିଟି ଜୋନ୍ରେ ଏଭଳି ଚୋରି ହୋଇଥିବା ସୂଚନା ମିଳିଛି । ଏହି ଘଟଣାରେ କେହି ସ୍ଥାନୀୟ ଲୋକ ସମ୍ପୃକ୍ତି ଥିବା ନେଇ ପୋଲିସ ସନ୍ଦେହ କରିଛି ।
ଦାମି ଜିନିଷର ସହ ଘରର ଆସବାବପତ୍ର ଚୋରମାନେ ଲୁଟି ନେଇଛନ୍ତି । ଏଭଳି ଆତଙ୍କ ହାଇସିକ୍ୟୁରିଟି ଜୋନ୍ ତଥା କ୍ୟାପିଟାଲ ଥାନା ଅଞ୍ଚଳର ଭୁବନେଶ୍ବର କ୍ଲବ୍ ପଛପଟ କ୍ବାଟର ନମ୍ବର VR 86 ଅଞ୍ଚଳରେ ଦେଖିବାକୁ ମିଳିଛି । ଘରର ତାଲା ତାଡି ଘରୁ କଳାକନା ବୁଲାଇଛନ୍ତି ଚୋରଗୋଷ୍ଠୀ । ଅଲମ୍ପିଆନ ତଥା ଭାରତର ପୂର୍ବତନ ହକି କ୍ୟାପଟେନ ପ୍ରବୋଧ ତିର୍କିଙ୍କ ଘରୁ ଏଭଳି ଚୋରି ହୋଇଛି । ସେ ଓ ତାଙ୍କ ପତ୍ନୀ ଘରେ ଅନୁପସ୍ଥିତ ଥିବା ବେଳେ ହୋଇଛି ଚୋରି । ସେ ନିଜ ଭାଇ ଘରେ ଥିବା ବେଳେ ଏହି ସମୟର ସୁଯୋଗ ନେଇ ଚୋରମାନେ ତାଲା ଭାଙ୍ଗି ଚୋରି କରିଛନ୍ତି ।