ଖୋର୍ଦ୍ଧା: ଜଙ୍କିଆ ଥାନା ଅନ୍ତର୍ଗତ ମଳିପଡା ଗ୍ରାମରେ ବୋମାମାଡ । ଗ୍ରାମର ଭାଗିରଥି ପାହାଡସିଂଙ୍କ ଘରେ ବୋମାମାଡ ହୋଇଛି (Miscreants Hurl Bomb At A House) । ଗତକାଲି ସନ୍ଧ୍ୟାରେ କିଛି ଦୁର୍ବୃତ୍ତ ଜୋର ଜବରଦସ୍ତି ତାଙ୍କ ଘରେ ପଶି ୩ରୁ ୪ଟି ବୋମାମାଡ କରିଥିବା ଅଭିଯୋଗ ହୋଇଛି । ଏଥିରେ ଘରର କାଚ ସହ ୱାସିଂମେସିନ, କୁଲର ଭଳି ସମସ୍ତ ଆସବାବପତ୍ର ନଷ୍ଟ ହୋଇଯାଇଛି । ସେହିପରି ଦୁର୍ବୃତ୍ତମାନେ ଜଣେ ପରିବାର ସଦସ୍ୟଙ୍କୁ ଖଣ୍ଡାରେ ଆକ୍ରମଣ କରିଛନ୍ତି । ଏନେଇ ଜଙ୍କିଆ ଥାନାରେ ଏତଲା ଦିଆଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, ଆଗକୁ ନୂଆବର୍ଷ ଆସୁଛି । ଏଥିପାଇଁ ବିଭିନ୍ନ ସ୍ଥାନରେ ସାଙ୍ଗସାଥୀ ମିଶି ଭୋଜିଭାତ କରୁଛନ୍ତି । ସେହିପରି ଗତକାଲି ସନ୍ଧ୍ୟାରେ ମଳିପଡା ଗ୍ରାମରେ ଥିବା ମା' ଭଗବତୀଙ୍କ ମନ୍ଦିର ଠାରେ ଏକ କଲେଜ ବ୍ୟାଚର ଛାତ୍ରମାନଙ୍କ ବନ୍ଧୁମିଳନ ଥିଲା । ସେହିଠାରେ ସ୍ଥାନୀୟ ଅଞ୍ଚଳର ଅନ୍ୟ କେତେକ ଯୁବକ ଭୋଜି କରୁଥିଲେ । ଏହି ସମୟରେ ସେହି ଯୁବକମାନେ ଭୋଜିସ୍ଥଳରେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଭାଗିରଥୀ ସମ୍ପୃକ୍ତ ଯୁବକମାନଙ୍କୁ ବିରୋଧ କରିବାରୁ ଯୁବକମାନେ ତାଙ୍କ ଉପରେ ଆକ୍ରମଣ କରିଥିଲେ ।