ଭୁବନେଶ୍ବର:ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ । ଲେଡିଜ ହଷ୍ଟେଲରେ ଧସେଇ ପଶିବା ସହ ଆତଙ୍କ ଖେଳାଇଲେ ଦୁର୍ବୃତ୍ତ । ହଷ୍ଟେଲ ଅନ୍ତେବାସୀଙ୍କୁ ଆକ୍ରମଣ ସହ ଅସଦାଚରଣ କରିବାକୁ ମଧ୍ୟପଛାଇଲେ ନାହିଁ । ନୟାପଲ୍ଲୀ ଥାନା ବେହେରା ସାହି ନିକଟ ଉଗ୍ରତାରା ହଷ୍ଟେଲରେ ଗତ ରାତିରେ ଏପରି ଆତଙ୍କ ଖେଳାଇଥିଲେ ଦୁର୍ବୃତ୍ତ । ଏପରିକି ଘର ଉପକୁ ପଥର ମାଡ ମଧ୍ୟ କରିଥିଲେ । ଯାହାକୁ ନେଇ ଭୟଭୀତ ହୋଇପଡିଥିଲେ ହଷ୍ଟେଲରେ ଥିବା ଯୁବତୀ ମାନେ । ଏହି ଘଟଣା ପରେ ରାଜଧାନୀରେ ମହିଳା ସୁରକ୍ଷା ନେଇ ଏକ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟା ପ୍ରାୟ ୯ଟା ସମୟରେ ଉଗ୍ରତାରା ହଷ୍ଟେଲର ମାଲିକାଣୀ ଲୀଲା ହଷ୍ଟେଲ ପାଖରେ କଥା ହେଉଥିବା ବେଳେ କିଛି ଦୁର୍ବୃତ୍ତ ସେହି ବାଟ ଦେଇ ଯାଇଥିଲେ । ଏହାପରେ ହଷ୍ଟେଲ ମାଲିକାଣୀଙ୍କୁ ଦେଖି କମେଣ୍ଟ ମାରିଥିଲେ । ଏନେଇ ମାଲିକାଣୀ ପୋଲିସକୁ ଡାକୁଛି କହିବାରୁ ଦୁର୍ବୃତ୍ତ ମାନେ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ହଷ୍ଟେଲ ଭିତରକୁ ଧସେଇ ପଶିଥିଲେ ଦୁର୍ବୃତ୍ତ । ଏପରିକି ଆଉ କିଛି ଦୁର୍ବୃତ୍ତ ମଧ୍ୟ ପାଚେରୀ ଡେଇଁ ହଷ୍ଟେଲର ୧୦୦ ମିଟର ଭିତରକୁ ପଶି ଅନ୍ତେବାସୀଙ୍କୁ ଧମକ ଚମକ ଦେଇଥିଲେ । ଏଥିସହ ମାଲିକାଣୀ ସହ ପାଟିତୁଣ୍ଡ କରିଥିଲେ ଦୁର୍ବୃତ୍ତ । ଏଥିରେ ହସ୍ତକ୍ଷେପ କରିବାରୁ ହଷ୍ଟେଲର କିଛି ମହିଳାଙ୍କୁ ଆକ୍ରମଣ ଓ ଅସଦାଚରଣ କରିଥିଲେ ଦୁର୍ବୃତ୍ତ ମାନେ ।
ସେହିପରି ମାଲିକାଣୀଙ୍କ ଜଣେ ପୁରୁଷ ବନ୍ଧୁଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଥିଲେ ଦୁର୍ବୃତ୍ତ । ଏତିକିରେ ମନ ଶାନ୍ତି ନହେବାରୁ ହଷ୍ଟେଲକୁ ଟେକା ମାଡ କରିଥିଲେ । ଫଳରେ ଘରର କାଚ ଭାଙ୍ଗିବା ସହ ହଷ୍ଟେଲରେ ଥିବା ଗାଡି ମଧ୍ୟ ଭାଙ୍ଗିଯାଇଛି । ପଥର ମାଡ଼ ପରିସ୍ଥିତି ଏପରି ହେଲା ଯେ ସ୍ଥାନୀୟ ଅଞ୍ଚଳରେ ଆତଙ୍କର ମାହୋଲ ଖେଳିଯାଇଥିଲା । ସ୍ଥାନୀୟ ଲୋକେ ବାହାରକୁ ମଧ୍ୟ ଆସିବାକୁ ଭୟ କରିଥିଲେ । ଏହି ଘଟଣା ପରେ ହଷ୍ଟେଲର ମାଲିକାଣୀ ନୟାପଲ୍ଲୀ ଥାନାରେ ଏତଲା ଦେଇଛନ୍ତି ।